ୟୁକ୍ରେନ୍‌ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ୟୁକ୍ରେନ୍‌ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଅନଲାଇନରେ ଆଲୋଚନା କରି ଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ସମସ୍ତେ ନିରାପଦରେ ଫେରିଆସିଥିବାରୁ ମୁଁ ଆଶ୍ଵସ୍ତ । ୟୁକ୍ରେନରେ ରହିଯାଇଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ । ଓଡିଆ ଛାତ୍ରଛାତ୍ରୀମାନଙ୍କ ଫେରିବା ସଂପର୍କରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ପୁଣି ମଧ୍ୟ ଏ ବାବଦରେ କଥାବାର୍ତ୍ତା କରି ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ସେମାନେ ସମସ୍ତେ ରୋମାନିଆ ସୀମା ଅତିକ୍ରମ କରି ଭାରତୀୟ ଅଧିକାରୀମାନଙ୍କ ସହିତ ବୁକାରେଷ୍ଟ ଯାଇଥିଲେ । ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଆସିଥିଲେ ।

ନୂଆଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ କମିଶନର ସେମାନଙ୍କ ସହିତ ସବୁ ସମୟରେ ଅନଲାଇଇନରେ ଯୋଗାଯୋଗରେ ଥିଲେ । ୟୁକ୍ରେନର ଅନ୍ୟ ସ୍ଥାନରେ ବିଶେଷକରି ଖାରକିବ୍‌ରେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ଅଛନ୍ତି ଓ ସେମାନଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଥିଲେ । ୟୁକ୍ରେନରୁ ଫେରୁଥିବା ପିଲାଙ୍କ ସୁବିଧା ପାଇଁ ମୁମ୍ବାଇ ବିମାନ ବନ୍ଦରରେ help desk ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଭୁବନେଶ୍ୱରରେ ପହଞ୍ଚିବା ପରେ ପିଲାମାନଙ୍କୁ ଓଟିଡିସି ବସ୍‌ ଯୋଗେ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି.କେ. ପାଣ୍ଡିଆନ ଆଲୋଚନାକୁ ସଂଯୋଜନା କରିଥିଲେ।

Share

Leave a Reply

Your email address will not be published. Required fields are marked *

1 + 18 =