ରାଜ୍ୟସଭାରେ ଟ୍ରିପଲ ତଲାକ ପାଇଁ ହଟ୍ଟଗୋଳ

ରାଜ୍ୟସଭା ଆରମ୍ଭରୁ ବିରୋଧୀ ହଟ୍ଟଗୋଳ କରିଛନ୍ତି । ଫଳରେ ରାଜ୍ୟସଭାକୁ ଦିନ ୨ଟା ପର୍ୟ୍ୟନ୍ତ ମୁଲତବୀ ରଖାଯାଇଛି । ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ଏହାକୁ ଗୃହୀତ କରିବାକୁ ଅଣ୍ଟା ଭି଼ଡିଛି ବିଜେପି। ଏପଟେ କୌଣସି ପରିସ୍ଥିତିରେ ବିଲକୁ ଗୃହୀତ ନକରାଇ ଚୟନ କମିଟିକୁ ପଠାଇବାକୁ କଂଗ୍ରେସ ତୟାର ହୋଇଛି। ଏଥିପାଇଁ ୨ଦଳର ସମସ୍ତ ସାଂସଦ ଗୃହରେ ଉପସ୍ଥିତ ରହିବାକୁ ହ୍ଵିପ ଜାରି ହୋଇଛି। ଏପରିକି ବିରୋଧୀ ଦଳ ଏକାଠି ହୋଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ।

ଏପଟେ ମୁସଲିମ ମହିଳା ବିବାହ ଅଧିକାର ଆଇନ ସୁରକ୍ଷା ବିଲ ୨୦୧୮ ବିଲକୁ ଚୟନ କମିଟିକୁ ପଠାଇବାକୁ ତୃଣମୂଳ କଂଗ୍ରେସ ପ୍ରସ୍ତାବ ଆଣିଛି । ପୂର୍ବରୁ ବିଲକୁ ଚୟନ କମିଟିକୁ ନପଠାଇବା ପ୍ରତିବାଦରେ ୨୭ତାରିଖରେ କଂଗ୍ରେସ ସମେତ ୧୦ଟି ଦଳ କକ୍ଷତ୍ୟାଗ କରିଥିଲେ। କିନ୍ତୁ ସଂଖ୍ୟା ଗରିଷ୍ଠତା ପାଇଁ ଏହା ଗୃହୀତ ହୋଇଥିଲା। ସଂଶୋଧିତ ବିଲରେ ତିନିତଲାକକୁ ଅପରାଧ ଓ ମହିଳାଙ୍କ ସ୍ୱାମୀଙ୍କୁ ତିନବର୍ଷର ଜେଲ ଦଣ୍ଡ ପାଇଁ ପ୍ରସ୍ତାବ ରହିଛି। କିନ୍ତୁ ଏହା ଦ୍ୱାରା ସଂପୃକ୍ତ ମହିଳାଙ୍କ ଭରଣପୋଷଣରେ ଅନିଶ୍ଚିତତା ଓ ତାଙ୍କର ଗରିମା କ୍ଷୁର୍ଣ୍ଣ ନେଇ ବିରୋଧୀ ଦଳ ପ୍ରତିବାଦ କରିଛି।

ରାଜ୍ୟସଭାରେ ୟୁପିଏର ସଦସ୍ୟ ସଂଖ୍ୟା ଅଧିକ ଥିବାରୁ ବିଲ ଗୃହୀତ ହୋଇପାରିବ ନାହିଁ ବୋଲି ଆଶା ରଖିଛି କଂଗ୍ରେସ। ରାଜ୍ୟସଭାରେ ୟୁପିଏର ୧୧୨ ସଦସ୍ୟ ରହିଛନ୍ତି। ଏନଡିଏର ସଦସ୍ୟ ସଂଖ୍ୟା ୯୩ ହୋଇଥିବା ବେଳେ ୩୯ଜଣ ସଦସ୍ୟ ଅନ୍ୟର ଦଳର। ଏମାନେ ତିନିତଲାକ ବିଲକୁ ରୋକିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି।

ଅନ୍ୟପଟେ ତିନି ତଲାକ ବିଲ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେଡି । ବିଲ୍‌କୁ ଦଳ ବିରୋଧ କରୁନାହିଁ ବୋଲି କହିଛନ୍ତି ରାଜ୍ୟସଭା ବିଜେଡି ସଂସଦୀୟ ଦଳନେତା ପ୍ରସନ୍ନ ଆଚାର୍ୟ୍ୟ। ତେବେ ବିଲରେ ଥିବା ତ୍ରୁଟିର ଆବଶ୍ୟକୀୟ ସଂଶୋଧନ ପାଇଁ ଦଳ ପ୍ରସ୍ତାବ ଦେଇଛି । ୩ବର୍ଷ ଜେଲଦଣ୍ଡ ବଦଳରେ ଜରିମାନା ଲାଗୁ କରିବାକୁ ଦଳ ଦାବି କରି ଆସୁଛି । ଏ ନେଇ ସରକାର ବିରୋଧୀ ଦଳ ସହ ଆଲୋଚନା କରିବା ଉଚିତ୍‌ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven − ten =