ମୋଦିଙ୍କ ଆକ୍ଷେପର କଡାଗଣ୍ଡା କରି ଜବାବ ଦେଲେ ନବୀନ

ପ୍ରତିଶୃତି ମନେ ପକେଇଦେଲେ ନିରଂଜନ

ଭୁବନେଶ୍ବର () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ କରିଥିବା ଟାର୍ଗେଟର କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ପ୍ରଧାନମନ୍ତ୍ରୀ ଓଡିଶାକୁ ଦେଇଥିବା ପ୍ରତିଶୃତି ଓ ଏହାର ଅନୁପାଳନର ହିସାବ ଦେଇଛନ୍ତି ।

ଓଡିଶା ସରକାର ପିସି ସରକାର ହୋଇଗଲେଣି, ଏଠି ପିସି ଦିଆନଗଲେ କାମ ହେଉନି ଆଦି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବିଜେଡି ସରକାରକୁ କରିଥିବା ରାଜନୈତିକ ଆକ୍ରମଣର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ପ୍ରଧାମନ୍ତ୍ରୀ ଏସବୁ କହି ନିଜ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରୁଥିବେ । ସେ ଉଜ୍ଜଳା ଯୋଜନାରେ ହୋଇଥିବା ଦୁର୍ନୀତି, ଦକ୍ଷତା ବିକାଶ ଯୋଜନାରେ ହୋଇଥିବା ଦୁର୍ନୀତି ଉପରେ ଗୁରୁତ୍ବ ଦେବା ଉଚିତ । ଏଥିସହିତ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ଯେଉଁଭଳି ଭାବେ ରକେଟ ବେଗରେ ବୃଦ୍ଧି ପାଇଛି ତାହା ସାଧାରଣ ଜନତାଙ୍କୁ ପ୍ରଭାବିତ କରୁଛି ।

ସେ କହିଛନ୍ତି ଯେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ 50 ଲକ୍ଷ ପରିବାରକୁ ଯୋଡ଼ାଯାଇଛି, ମହିଳାଙ୍କ କ୍ଷେତ୍ରରେ ସ୍ବାସ୍ଥ୍ୟ ସେବା ରାଶି 7 ଲକ୍ଷ ଟଙ୍କା ରହିଛି । କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନାରେ 5 ଲକ୍ଷ ଟଙ୍କା ଦେଉଛନ୍ତି, ଯାହାକି ରାଜ୍ୟ ଦେଉଥିବା ସହାୟତା ରାଶିଠାରୁ କମ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଏକ ଇନସୁରାନ୍ସ ଭିତ୍ତିକ ଯୋଜନା ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଏକ ଇନସୁରାନସ୍ ନୁହେଁ ଏକ ନିର୍ଭର ପ୍ରତିଶୃତି ଭିତ୍ତିକ ଯୋଜନା। ସେହିଭଲି ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ 25 ଲକ୍ଷ ନୂଆ ଲୋକଙ୍କୁ ଯୋଡ଼ାଯାଇଛି ବୋଲି ସେ କହିଛନ୍ତି ।

ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ମୋଦିଙ୍କ ଘୋଷଣା ଓ କାର୍ଯ୍ୟକାରିତାର ଚିଠା ସୋସିଆଲ ମିଡିଆରେ ଦେଇଛନ୍ତି । ରାଉଲକେଲା ଆଇଜିଏଚକୁ ମେକାଲ କଲେଜ ସହ ସୁପର ସ୍ପେଶିଆଲିଟି ହସପିଟାଲରେ ରୂପାନ୍ତରିତ କରିବାକୁ ପ୍ରଦାନମନ୍ତ୍ରୀ ଘୋଷଣା କରିଥିଲେ । ଏଭିତରେ 4 ବର୍ଷ ବିତିଗଲାଣି । କାମ ଆରମ୍ଭ ହୋଇନି । ମୁକ୍ତିକାନ୍ତ ବିଶ୍ବାଳ ନାମକ ଜଣେ ଯୁବକ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶୃତି ମନେପକେଇ ଦେବାକୁ 1350 କିଲୋମିଟର ଚାଲି ଚାଲି ଯାଇଥିଲେ । କାମ ତ ଦୂରର କଥା, ପ୍ରଧାନମନ୍ତ୍ରୀ ତାଙ୍କୁ ସାକ୍ଷାତ ବି କଲେନି । ଦ୍ବତୀୟ ପ୍ରତିଶୃତି ଦେଇଥିଲେ ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣର । ଏହି ପ୍ରତିଶୃତିକୁ ବି ଚାରି ବର୍ଷ ପୂରି ଗଲାଣି । ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ ବି ହୋଇଛି, କିନ୍ତୁ କାମ ଆରମ୍ଭ ହୋଇପାରୁନି ।

ପ୍ରଧାନମନ୍ତ୍ରୀ ପ୍ରତିଶୃତି ତ ପୂରଣ କଲେନି, ରାଫେଲ ଦୁର୍ନୀତି କରି ହଜାର ହଜାର ଓଡିଶା ଲୋକଙ୍କ ପାଇଁ ସୃଷ୍ଟି ହୋଇଥିବା ନିଯୁକ୍ତି ସୁଯୋଗ ବି ଛଡାଇନେଲେ । କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ କଳାହାଣ୍ଡିରେ ୱାଗନ କାରଖାନା ନିର୍ମାଣ କରିବାକୁ ଘୋଷଣା କରାଯାଇଥିଲା । ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଜିଲ୍ଲାର ବହୁ ଲୋକ ନିଯୁକ୍ତି ପାଇବା ସହ ଓଡିଶାରେ ଶିଳ୍ପର ବିକାଶ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇଥାନ୍ତା । ହେଲେ ଏହି କାରଖାନାକୁ ବିଜେପି ସରକାର ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତରିତ କରିଦେଇ ଓଡିଶାର ସ୍ବପ୍ନକୁ ଚୁରମାର କରିଦେଲେ ।

Share

Leave a Reply

Your email address will not be published. Required fields are marked *

two × five =