ଦିନେ ବଢିଲା ସ୍କୁଲ ଛୁଟି, ଆହୁରି ବଢ଼ିପାରେ
ପ୍ରବଳ ବର୍ଷା ଯୋଗୁଁ ଆହୁରି ଦିନେ ଦୁଇଦିନ ସ୍କୁଲ ଛୁଟି ବଢ଼ିଲା । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଅତ୍ୟଧିକ ବର୍ଷାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ଜିଲ୍ଲାପାଳଙ୍କ ପକ୍ଷରୁ ଦୁଇଦିନ ପାଇଁ ସ୍କୁଲ ବନ୍ଦ ଘୋଷଣା କରାଯାଇଥିଲା। ବାରମ୍ବାର ଲଗାଣ ବର୍ଷା ଯୋଗୁଁ ସ୍କୁଲ ବନ୍ଦ ରହୁଥିବାରୁ ଶିକ୍ଷାବର୍ଷ ପ୍ରଭାବିତ ହେଉଛି । ଏହା ସହ ପିଲାମାନଙ୍କ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ଆବଶ୍ୟକ ପଡ଼ିଲେ ପାଠପଢ଼ାର ଅଭାବକୁ ପୂରଣ କରିବା ପାଇଁ ଅତିରିକ୍ତ କ୍ଲାସ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ବିଶେଷକରି ମାଲକାନଗିରି ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ରହିଛି । ଜିଲ୍ଲାର ୪ଟି ବ୍ରିଜ୍ ଉପରେ ପାଣି ପ୍ରବାହିତ ହେଉଥିବା ସୂଚନା ମିଳିଛି । ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ବିଶେଷ କ୍ଷୟକ୍ଷତି ହୋଇନଥିବା ମନ୍ତ୍ରୀ କହିଛନ୍ତି। ସ୍ଥିତିର ଅନୁଧ୍ୟାନ ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ମାଲକାନଗିରି ଗସ୍ତ କରିଥିବା ମଧ୍ୟ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଏବେ ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଏବଂ ବର୍ଷାଜନିତ ପରିସ୍ଥିତି ଉପରେ ନଜର ରଖିବା ।

