ଶିକ୍ଷା

ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଆଠଗଡ଼ରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ପକ୍ଷରୁ ‘ଗ୍ରୀନ୍ ସ୍କୁଲ୍’ ଅଭିଯାନ ଶୁଭାରମ୍ଭ

ଆଠଗଡ଼, ନଭେମ୍ବର ୬, ୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍) ପକ୍ଷରୁ ଆଠଗଡ଼ସ୍ଥିତ ଅନନ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ଗ୍ରୀନ୍ ସ୍କୁଲ୍ ପ୍ରୋଗ୍ରାମ୍’ ଶୁଭାରମ୍ଭ ହୋଇଛି। ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହଭାଗିତାରେ ପିଲାମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ସହ ଦୀର୍ଘସ୍ଥାୟୀ ଅଭ୍ୟାସକୁ ପ୍ରୋତ୍ସାହିତ କରିବା  ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅନନ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଅନନ୍ତପୁର), ନୂଆଶାସନ ସରକାରୀ ୟୁ.ଜି.ଏମ୍.ଇ. ସ୍କୁଲ୍ (ନୂଆଶାସନ), ବ୍ରହ୍ମପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ବ୍ରହ୍ମପୁର) ଏବଂ ସରକାରୀ ଶାସ୍ତ୍ରୀ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଧୁରୁଷିଆ) ଆଦି ୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହା ପରେ ଏକ ସବୁଜ ପରିବେଶ ଗଠନର ସଂକଳ୍ପ ସହ ବୃକ୍ଷରୋପଣ କରାଯାଇଥିଲା। ଏହି ଅବସରରେ ଗ୍ରୀନ୍ ସ୍କୁଲ୍ ପ୍ରୋଗ୍ରାମ୍ ଉପରେ ଏକ ଉପସ୍ଥାପନା ପ୍ରଦର୍ଶିତ ହେବା ସହ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଶିକ୍ଷା ବିଭାଗ ପ୍ରତିନିଧିମାନଙ୍କ ଦ୍ୱାରା ଏହାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଆଠଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ସିଙ୍ଗୁ ହାଁସଦା, କଟକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ରଶ୍ମିତା ପ୍ରିୟଦର୍ଶିନୀ, ଆଠଗଡ଼ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଟାଟା ଷ୍ଟିଲ୍ (ଏଫଏଏମଡି) ର ପ୍ଲାଣ୍ଟ ଚିଫ୍ ନତାଶା ଝା ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ବି. ଡି. ମହାନ୍ତି ଉପସ୍ଥିତ ଥିଲେ। ଏହା ସହିତ ଟାଟା ଷ୍ଟିଲ୍ ଓଡ଼ିଶାର ଏଫ୍‌ଏପି ଚିଫ ସଞ୍ଜୀବ ସାହୁ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ମେରାମଣ୍ଡଳୀର ୟୁନିଟ୍ ଲିଡ୍ କୁମାର ସୌରଭ ଏବଂ ଫାଉଣ୍ଡେସନର ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଥିଲେ ଯେ, ପ୍ରତ୍ୟେକ ପିଲା ନିଜ ଜନ୍ମଦିନରେ ଗୋଟିଏ ଲେଖାଏଁ ଚାରା ଲଗାଇ ବୃକ୍ଷରୋପଣକୁ ଏକ ସଂକଳ୍ପ କରିବା ଉଚିତ। ପରିବେଶ ସଚେତନତାକୁ କାର୍ଯ୍ୟରେ ପରିଣତ କରିବା, ସ୍ଥାୟୀ ପରିବେଶ ଅଭ୍ୟାସ ଆପଣାଇବା ଏବଂ ନିଜ ପରିବାର ତଥା ସମାଜରେ ପରିବେଶ ସଂରକ୍ଷଣର ବାର୍ତ୍ତାବାହକ ସାଜିବାକୁ ରଶ୍ମିତା ପ୍ରିୟଦର୍ଶିନୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

1 × 4 =