ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିରେ ‘ଟାଇମ୍ସ ଏଡୁରାଇଜ୍ ଏଆଇ ବୁଟ୍ କ୍ୟାମ୍ପ୍ ଆଣ୍ଡ୍ କନକ୍ଲେଭ୍’ ଅନୁଷ୍ଠିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (ବିଜିୟୁ) କ୍ୟାମ୍ପସରେ ଆଜି ‘ଟାଇମ୍ସ ଏଡୁରାଇଜ୍ ଏଆଇ ବୁଟ୍ କ୍ୟାମ୍ପ୍ ଆଣ୍ଡ୍ କନକ୍ଲେଭ୍’ର ପ୍ରଥମ ସଂସ୍କରଣ ଉତ୍ସାହର ସହ ଆୟୋଜିତ ହୋଇଯାଇଛି। ‘ଦ ଟାଇମ୍ସ ଅଫ୍ ଇଣ୍ଡିଆ’ର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), ନୂତନ ଚିନ୍ତାଧାରା, ଉଦ୍ୟୋଗିତା (ଷ୍ଟାର୍ଟ-ଅପ୍ସ) ଏବଂ ଭବିଷ୍ୟତର କାର୍ଯ୍ୟକ୍ଷେତ୍ର ବିଷୟରେ ଆଲୋଚନା କରିବା ପାଇଁ ଶିକ୍ଷାବିତ୍, ଉଦ୍ୟୋଗୀ, ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିତ୍ବ ଓ ଛାତ୍ରଛାତ୍ରୀମାନେ ଏକାଠି ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀ ଓ ଯୁବ ପ୍ରତିଭାମାନେ ଭାଗ ନେଇଥିଲେ। ଯୁବପିଢ଼ିଙ୍କୁ ଏଆଇ ଚାଳିତ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏଠାରେ ପ୍ୟାନେଲ୍ ଆଲୋଚନା, ହ୍ୟାକାଥନ୍ ଏବଂ କୁଇଜ୍ ପ୍ରତିଯୋଗିତା ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମମାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଆରମ୍ଭ ହୋଇଥିଲା ଏବଂ ଏଥିରେ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର କୁଳସଚିବ ଡକ୍ଟର ବି. କେ. ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି କନକ୍ଲେଭ୍ରେ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କରୁଣା କର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ, “ନିରନ୍ତର ଗବେଷଣା ଏବଂ ନୂତନ ଆବିଷ୍କାର ମାଧ୍ୟମରେ ଆମେ ଜୀବନଧାରଣର ମାନ ବଢ଼ାଇବା ସହ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରୁଛୁ। ଆଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କେବଳ ପ୍ରଯୁକ୍ତିବିଦ୍ୟାର ଉନ୍ନତି କରୁନାହିଁ, ବରଂ ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଲୋକଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ବଡ଼ ଭୂମିକା ଗ୍ରହଣ କରୁଛି।”
ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର କୁଳସଚିବ ଡକ୍ଟର ବି. କେ. ଦାସ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର ଆବଶ୍ୟକୀୟ କୌଶଳରେ ଦକ୍ଷ କରିବା ଏବଂ ଶିକ୍ଷା ସହ ଶିଳ୍ପ ଜଗତକୁ ଯୋଡ଼ୁଥିବା ଏଭଳି ମଞ୍ଚ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ।

