ଜାତୀୟ ରାଜନୀତିରେ ନବୀନ ଇଫେକ୍ଟ : ମହିଳା ସଂରକ୍ଷଣକୁ ରାହୁଲଙ୍କ ସମର୍ଥନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଟରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ । ନବୀନଙ୍କ ପରେ ସେ ମଧ୍ୟ ମହିଳାଙ୍କ ପାଇଁ ବିଧାନସଭା ଓ ସଂସଦରେ ଏକ ତୃତୀୟାଂଶ ସଂରକ୍ଷଣ ପାଇଁ ଦାବି ଉଠାଇଛନ୍ତି । କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ରାହୁଲ ସେମାନଙ୍କୁ ନିଜ ନିଜ ବିଧାନସଭାରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ପାରିତ କରିବାକୁ ପରାମର୍ଶ ଦେଇଛନ୍ତି ।

ସଂସଦରେ ଏହି ବିଲକୁ ପାରିତ କରିବାକୁ ଦେଶର ବିଧାନସଭାଗୁଡିକରେ ଏସଂକ୍ରାନ୍ତୀୟ ସଂକଳ୍ପ ପାରିତ ହେବା ଆବଶ୍ୟକ । ଏହାଦ୍ବାରା ସଂସଦରେ ଏହି ବିଲକୁ ସମର୍ଥନ ଥିବା ସୁନିଶ୍ଚିତ ହୋଇପାରିବ । କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠିରେ ରାହୁଲ କହିଛନ୍ତି ଯେ, ସଂସଦରେ ମହିଳାଙ୍କ ପ୍ରତିନିଧିତ୍ବରେ  ବିଶ୍ବର 193ଟି ରାଷ୍ଟ୍ର ମଧ୍ୟରୁ ଭାରତର ସ୍ଥାନ 148 । ରାଜ୍ୟ ବିଧାନସଭାଗୁଡିକରେ ସ୍ଥିତି ଆହୁରି ଖରାପ ।

ରାଜନୀତି ଓ ଗଣତନ୍ତ୍ରରେ ମହିଳାଙ୍କର ଆବଶ୍ୟକ ସଂଖ୍ୟକ ପ୍ରତିନିଧିତ୍ବ ହୋଇପାରୁନଥିବାରୁ ଆମ ଗଣତନ୍ତ୍ରର ମୂଲ୍ୟହାନୀ ହେଉଥିବା ବେଳେ ପ୍ରଚଳିତ ଅନ୍ୟାନ ବ୍ୟବସ୍ଥା ଚୀରସ୍ଥାୟୀ ହେଉଛି । ଆଞ୍ଚଳିକ ସ୍ତରରେ ସ୍ବାୟତ ଶାସନ ବ୍ୟବସ୍ଥାରେ ମହିଳା ପ୍ରତିନିଧିମାନେ ନିଜକୁ ପ୍ରଭାବୀ ନେତା ଭାବେ ପ୍ରତିଷ୍ଠିତ କରିପାରିଛନ୍ତି । ଏଥିସହିତ ସେମାନେ ପାରମ୍ପାରିକ ଲିଙ୍ଗ ବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ।

ଏ ସଂକ୍ରାନ୍ତୀୟ ବିଲ 2010ରେ ରାଜ୍ୟସଭାରେ ପାସ ହୋଇଥିବା ବେଳେ 2014ରେ ପଂଚଦଶ ସଂସଦର ଅଧିବେଶନର କାର୍ଯ୍ୟକାଳ ପୂରିଯିବାରୁ ବିଲଟି ଆଲୋଚନାକୁ ଆସିପାରିନଥିଲା । ରାହୁଲଙ୍କ ପୂର୍ବରୁ ନବୀନ ସବୁ ରାଜନୈତିକ ଦଳର ମୁଖ୍ୟ ଏବଂ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମହିଳାଙ୍କ ପାଇଁ ରାଜନୀତିରେ ଏକ ତୃତୀୟାଂଶ ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ କରିବାକୁ ଚିଠି ଲେଖିଥିଲେ ।

Share

Leave a Reply

Your email address will not be published. Required fields are marked *

five × 4 =