ନରେନ୍ଦ୍ର ମୋଦିଙ୍କ ନାଟକବାଜି

ଭୁବନେଶ୍ୱର,୨୩ା୯(ନି.ପ୍ର.): ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ୨୦୧୩ ମସିହାରେ କେନ୍ଦ୍ରରେ କଂଗ୍ରେସ ସରକାର ସମୟରୁ ନିଷ୍ପତ୍ତି ହୋଇ ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ପରବର୍ତ୍ତୀ କାଳରେ ନରେନ୍ଦ୍ର ମୋଦିଙ୍କ ଏନ୍ଡିଏ ସରକାର କ୍ଷମତାକୁ ଆସି ଏହାର କାର୍ଯ୍ୟକୁ ଦୀର୍ଘ ୪ବର୍ଷ କାଳ ବନ୍ଦ ରଖି ଏବେ ନିର୍ବାଚନକୁ ଆଖିଆଗରେ ରଖି ତାଳଚେର ସାର କାରଖାନାର ଶୁଭଦେବା ନାମରେ ନାଟକବାଜି କରୁଛନ୍ତି ବୋଲି ପୂର୍ବତନ କେନ୍ଦ୍ର ସାର ଓ ରସାୟନ ବିଭାଗମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ।
ଆଜି ସ୍ଥାନୀୟ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ୨୦୦୨ ମସିହାରେ କେନ୍ଦ୍ରରେ ଏନ୍ଡିଏ ସରକାର ତାଳଚେର ସାର କାରଖାନା ସମେତ ଦେଶର ୮ଟି ସାର କାରଖାନାକୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ୨୦୦୭ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱରେ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କରିବା ପାଇଁ ଏହି କାରଖାନାଗୁଡିକୁ କିପରି ପୁନରୁଦ୍ଧାର କରାଯାଇ ପାରିବ ସେ ସମ୍ପର୍କରେ ବିଭିନ୍ନ ବିଭାଗର ସଚିବମାନଙ୍କୁ ନେଇ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଏହି ୮ଟି କାରଖାନାରେ ସେତେବେଳକୁ ୧୧ହଜାର କୋଟି ଟଙ୍କା କ୍ଷତି ହୋଇସାରିଥିଲା । ଏହି କ୍ଷତିକୁ ଛାଡି କରି କାରଖାନା ଗୁଡିକର ପୁନରୁଦ୍ଧାର କରିବାକୁ ସେତେବେଳେ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ମଧ୍ୟ ନେଇଥିଲା । ସେହି ନିଷ୍ପତ୍ତି ଅନୁଯାୟୀ ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ କୋଲ ଇଣ୍ଡିଆ, ରାଷ୍ଟ୍ରୀୟ କେମିକାଲ ଏବଂ ଫର୍ଟିଲାଇଜର ଓ ଗେଲ୍ ଇଣ୍ଡିଆ ଏକ ଚୁକ୍ତି ହୋଇ ଯୌଥ ଉଦ୍ୟମରେ ତାଳଚେର ସାର କାରଖାନାର ପୁନରୁଦ୍ଧାର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ପୁରୁଣା ଯନ୍ତ୍ରପାତିକୁ ସ୍ଥାନାନ୍ତରିତ କରି ନୂତନ ଯନ୍ତ୍ରପାତି ସହ ଏହାକୁ ଏକ ଉଚ୍ଚକ୍ଷମତା ସମ୍ପନ୍ନ ଓ ଆଧୁନିକ କାରଖାନା କରିବାକୁ ନିଷ୍ପତ୍ତି ହୋଇ ଟେଣ୍ଡର ମଧ୍ୟ କରାଯାଇଥିଲା । ଟେଣ୍ଡର ପରେ ପୁରୁଣା ଯନ୍ତ୍ରପାତିକୁ ସ୍ଥାନାନ୍ତରିତ କରି ନୂଆ ଯନ୍ତ୍ରପାତି ବସାଇବା ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ସରକାର ଚାଲିଯାଇଥିଲେ । ଏହାପରେ ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ସରକାର ଆସିବା ପରେ ଏହାଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲେ । ଦୀର୍ଘ ୪ବର୍ଷ କାଳ ଏହି ପ୍ରକଳ୍ପକୁ ବିଜେପି ବିଳମ୍ବିତ କରି ଏହାର ମୂଳ ବ୍ୟୟ ଅଟକଳ ୮ହଜାର କୋଟି ଥିବାବେଳେ ବର୍ତ୍ତମାନ ଏହା ୧୩୦୦୦ କୋଟିରେ ପହଂଚିଲାଣି ବୋଲି ସେ ଅଭିଯୋଗ କରିଛନ୍ତି ।
ପୂର୍ବ ସରକାରର ଏମ୍ଓୟୁ ଅନୁଯାୟୀ ତାଳଚେର ସାରକାରଖାନା କାର୍ଯ୍ୟ ଆରମ୍ଭ ହୋଇଥିଲେ ୨୦୧୭ ସୁଦ୍ଧା କାର୍ଯ୍ୟ ସରିଥାଆନ୍ତା । ମାତ୍ର ବିଜେପି ଏହାକୁ ବିଳମ୍ବିତ କରି ନୂଆ କାରଖାନାର ଶିଳାନ୍ୟାସ କରି ଆସନ୍ତା ନିର୍ବାଚନରେ ବାହାବା ନେବାକୁ ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
Share

Leave a Reply

Your email address will not be published. Required fields are marked *

8 + two =