ମାଓ ସମସ୍ୟାର ସମାଧାନ ପାଇଁ ନବୀନଙ୍କ ଦାବି …

ନୂଆଦିଲ୍ଲୀ () ମାଓ ଉପଦ୍ରୁତ ଅଂଚଳ ପାଇଁ ମୋବାଇଲ ନେଟଓ୍ବର୍କର ଅଭିବୃଦ୍ଧି ସହ ଟ୍ରେନ ଯୋଗାଯୋଗ ଏପରିକି ଅଧିକ ଦୁଇଟି କେନ୍ଦ୍ରୀୟ ସଶସ୍ତ୍ର ବାଟାଲିଆନ ଏବଂ ଏକ ହେଲିକ୍ୟାପ୍ଟର ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମାଓ ଉପଦ୍ରୁତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଏହି ପ୍ରସ୍ତାବ ଦେଇଛନ୍ତି ।

ମାଓବାଦୀ ଉପଦ୍ରୁତ ଅଂଚଳରେ 866ଟି ସ୍ଥାନରେ ମୋବାଇଲ ଟାୱାର ପ୍ରତିଷ୍ଠା ସାଙ୍ଗକୁ ରାଜ୍ୟ ପାଇଁ ସ୍ବତନ୍ତ୍ର ହେଲିକ୍ୟାପ୍ଟରର ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ପଡୋଶୀ ରାଜ୍ୟରୁ ଓଡିଶାକୁ ମାଓବାଦୀଙ୍କ ଅନୁପ୍ରବେଶକୁ ଚେକ ଦେବାକୁ ଅଧିକ ଦୁଇଟି ବାଟାଲିଆନ କେନ୍ଦ୍ରୀୟ ଫୋର୍ସ ପ୍ରଦାନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । କୋରାପୁଟ ଓ ନବରଙ୍ଗପୁର ଭଳି ମାଓ ଉପଦ୍ରୁତ ଅଂଚଳକୁ ଆସନ୍ତା 36 ମାସ ମଧ୍ୟରେ ରେଳ ଯୋଗାଯୋଗ ନେଟୱର୍କ କାର୍ଯ୍ୟ ଶେଷ ହେବା ଉଚିତ । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଜମି ଓ ପ୍ରକଳ୍ପ ଖର୍ଚ୍ଚର 50 ପ୍ରତିଶତ ବହନ କରିବାକୁ ପ୍ରତିଶ୍ରୁତିବଦ୍ଧ ।

ସେହିଭଳି ଯେଉଁସବୁ ଅଂଚଳରେ ବ୍ୟାଙ୍କ ନାହିଁ ସେସବୁ ଅଂଚଳରେ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହିତ ସୁରକ୍ଷା ସଂପର୍କିତ ଖର୍ଚ୍ଚ ବାବଦରେ କେନ୍ଦ୍ର ଠାରୁ 227 କୋଟି ଟଙ୍କା ଦାବି କରିଛନ୍ତି ନବୀନ । ସେହିଭଳି ଦେଶର ଆଭ୍ୟନ୍ତରିଣ ସୁରକ୍ଷା ସମ୍ପର୍କିତ ସମସ୍ୟାର ସମାଧାନ କେନ୍ଦ୍ର ସରକାରଙ୍କ ସାମ୍ବିଧାନିକ ଦାୟିତ୍ବ ସେହି ଦୃଷ୍ଟିରୁ କେନ୍ଦ୍ରୀୟ ସୁରକ୍ଷା ବାହିନୀର ମୁତ୍ତୟନ ବାବଦ ଦେୟ ଛାଡ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଦାବି ରଖିଛନ୍ତି ।

ମୋଓ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ପ୍ରଭାବିତ ଅଂଚଳରେ ସାମଗ୍ରୀକ ବିକାଶକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ତେଣୁ ଏଦିଗରେ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ସହଯୋଗ ଲୋଡିଛନ୍ତି ନବୀନ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିପାରିବେ ।

ଗତ ତିନି ଦଶନ୍ଧି ଧରି ଓଡିଶା ମାଓ ଉପଦ୍ରବର ଶିକାର ହେଉଛି । ତେବେ ରାଜ୍ୟ ସରକାରଙ୍କ ସୁଚିନ୍ତିତ ବିକାଶମୂଳକ କାର୍ଯ୍ୟ ଏବଂ ସୁରକ୍ଷାବଳର ସୁବିନିଯୋଗ ଫଳରେ ଓଡିଶାରୁ ମାଓ ସମସ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି । 2018 ଓ 2019 ଅଗଷ୍ଟ 15 ମଧ୍ୟରେ 26ଜଣ ମାଓବାଦୀ ପୋଲିସ ଗୁଳିର ଶିକାର ହୋଇଥିଲ ବେଳେ 85ଜଣ ଗିରଫ ହୋଇଛନ୍ତି । ଏହି ସମୟ ମଧ୍ୟରେ 35ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଧିରେ ଧିରେ ଉପାନ୍ତ ଅଂଚଳରେ ଏହି ବାମପନ୍ଥୀ ଉଗ୍ରବାଦୀମାନେ ସ୍ଥାନୀୟ ଲୋକଙ୍କ ସମର୍ଥନ ହରାଇବା ସହ କ୍ୟାଡର ନିଯୁକ୍ତି ମଧ୍ୟ ହ୍ରାସ ପାଇଛି ।

ଉପାନ୍ତ ଅଂଚଳରେ ଶତ ପ୍ରତିଶତ ବିଦ୍ୟୁତିକରଣ ସାଙ୍ଗକୁ ସ୍ବାସ୍ଥ୍ୟା ସେବାର ବିକାଶ ଏବଂ ସାଧାରଣ ଲୋକ ଏବଂ ଆଦିବାସୀ ଅଭିମୁଖୀ ବିକାଶମୂଳକ କାର୍ଯ୍ୟ ଦ୍ବାରା ରାଜ୍ୟରେ କିଭଳି ମାଓ ଉପଦ୍ରବ ହ୍ରାସ ପାଇଛି ସେସମ୍ପର୍କରେ ନବୀନ ତଥ୍ୟ ରଖିଛନ୍ତି । ଦକ୍ଷୀଣ ଓଡିଶାର ପାହାଡିଆ ଅଂଚଳରେ ମଧ୍ୟ ରାଜ୍ୟ ସରକାର ବିକାଶମୂଳକ ଯୋଜନାର କାର୍ଯ୍ୟକାରିତାକୁ ଗୁରୁତ୍ବ ଦେଉଛନ୍ତି । ସେସବୁ କାର୍ଯ୍ୟ ଉପରେ ମଧ୍ୟ ନିୟମିତ ତଦାରଖ କରାଯାଉଛି । ସେଠାରେ ରାଜ୍ୟ ସରକାର ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛନ୍ତି ଏବଂ ସଡକ ଯୋଗାଯୋଗ ବ୍ୟବସ୍ଥାର ମଧ୍ୟ ଉନ୍ନତି ହୋଇଛି । ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ଆରମ୍ଭ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ନବୀନ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five × two =