ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରଙ୍କ ଭବିଷ୍ୟତକୁ ଅନ୍ଧକାରରୁ ଠେଲିଛି କେନ୍ଦ୍ର

ଭୁବନେଶ୍ବର ()  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ସଂକଳ୍ପବଦ୍ଧ । ସେମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଅନେକ ଅଭିନବ ପଦକ୍ଷେପ ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି, ଯାହା ଫଳରେ ଜନଜାତିମାନଙ୍କର ଜୀବନ ଧାରଣ ମାନରେ ଆଖିଦୃଶିଆ ପରିବର୍ତ୍ତନ ସମ୍ଭବ ହୋଇପାରିଛି । ଆଦିବାସୀମାନଙ୍କ ସଂସ୍କୃତିର ସୁରକ୍ଷା ସହିତ ପ୍ରଗତିକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ପ୍ରସାର ପାଇଁ ସାରା ଓଡ଼ିଶାରେ ୭୦୦୦ରୁ ଊର୍ଦ୍ଧ୍ବ ଛାତ୍ରାବାସ ନିର୍ମାଣ ସହିତ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ କେନ୍ଦ୍ର ଓଡ଼ିଶାର ପ୍ରଗତିରେ ପ୍ରମୁଖ ବାଧକ ସାଜିଛି ବୋଲି ବିଜେଡି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜେଡି ଆଜି ୧୨ ଘଣ୍ଟିଆ ପ୍ରତୀକାତ୍ମକ ରିଲେ ଅନଶନ କରିଛି ।

ରାଜ୍ୟର ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରଙ୍କ ପ୍ରତି କେନ୍ଦ୍ରର ଏହି ବୈମାତୃକ ମନୋଭାବ ବିରୋଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରର ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି ବୋଲି ବିଡେଡି ଅଭିଯୋଗ କରିଛି । ବିଜେଡି ଆହୁରି ମଧ୍ୟ କହିଛି ଯେ, ରାଜ୍ୟରେ ପ୍ରାୟ ୨ଲକ୍ଷ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାଟ୍ରିକ ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରିଥାନ୍ତି । ଏହି ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା ପାଇଁ କେନ୍ଦ୍ର ପ୍ରାୟୋଜିତ ମେଧାବୃତ୍ତି ବ୍ୟବସ୍ଥା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ହୋଇଆସୁଛି । ଏହି ବ୍ୟବସ୍ଥାରେ କେନ୍ଦ୍ର ୯୦% ଆର୍ଥିକ ବ୍ୟବସ୍ଥାରେ ସହଯୋଗ ରଖୁଥିଲା । ୨୦୧୬-୧୭ ଆର୍ଥିକ ବର୍ଷରେ ଏହିକ୍ରମରେ ୨୧୫.୮୦ କୋଟି କେନ୍ଦ୍ରର ଅଂଶ ହୋଇଥିଲା ବେଳେ ରାଜ୍ୟ ଅଂଶ ୨୨.୪୮ କୋଟି ଟଙ୍କା ଥିଲା । ହଠାତ୍‍ କେନ୍ଦ୍ର ସରକାର ଏହି ବ୍ୟବସ୍ଥାର ଆଶ୍ଚର୍ଯ୍ୟଜନକ ଭାବେ ପରିବର୍ତ୍ତନ ଘଟାଇ ରାଜ୍ୟ ସରକାରଙ୍କ ଉପରେ ୮୦%ରୁ ଅଧିକ ଆର୍ଥିକ ବୋଝ ଲଦି ଦେଇଛନ୍ତି, ଯାହା ସମଗ୍ର ଅନୁସୂଚିତ ଜାତି ଛାତ୍ରଛାତ୍ରଙ୍କ ପ୍ରତି ଚରମ ଅନ୍ୟାୟ ବୋଲି ବିଜୁ ଜନତା ଦଳ ଅନୁଭବ କରୁଛି । ଫଳତଃ ଏହି ବର୍ଗର ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ୨୦୧୭-୧୮ ବର୍ଷରେ ମେଧାବୃତ୍ତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ୨୩୮.୨୮ କୋଟି ଟଙ୍କାର ଆର୍ଥିକ ବୋଝକୁ ବହନ କରିବାକୁ ପଡିବ ।

ଅନୁଦାନ ହାରର ପୁନର୍ବିଚାର କରିବା ସହ ପୂର୍ବବତ୍‍ କେନ୍ଦ୍ର ୯୦% ଓ ରାଜ୍ୟ ୧୦% ବହନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି ବିଜେଡି । ରାଜ୍ୟ ସରକାରଙ୍କ ଆର୍ଥିକ ବୋଝକୁ ଲାଘବ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କ୍ଷେତ୍ରରେ ଯେଉଁ ଅଂଶ ପରିବର୍ତ୍ତନ ନିଷ୍ପତ୍ତି ନେଇ ନିଜ ମୁଣ୍ଡରୁ ବୋଝ ହଟାଇଛନ୍ତି, ତାହା ରାଜ୍ୟ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ବୋଲି ବିଜେଡି କହିଛି ।

Share

Leave a Reply

Your email address will not be published. Required fields are marked *

twelve + fifteen =