ବିଜେଡିର ସ୍ଲୋଗାନ – ନବୀନଙ୍କ ସହ ଓଡ଼ିଶାର ବିକାଶ

ଭୁବନେଶ୍ୱର:  ବିଜେଡି ପକ୍ଷରୁ ଆସନ୍ତା ଅକ୍ଟୋବର ୨ରୁ  ନଭେମ୍ୱର ୨ ପର୍ଯ୍ୟନ୍ତ ଏକ ମାସ ଧରି ଜନସଂପର୍କ ପଦଯାତ୍ରା ଚାଲିବ। ଅକ୍ଟୋବର ୨ ତାରିଖରେ ରାଜ୍ୟସ୍ତରୀୟ ପଦଯାତ୍ରାକୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଶୁଭାରମ୍ଭ କରିବେ। ଜନ ସଂପର୍କ ପଦଯାତ୍ରା ସମୟରେ ଦଳର କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି, ୱାର୍ଡ କମିଟିର ସଦସ୍ୟ/ସଦସ୍ୟା ଓ ସମସ୍ତ ଦଳୀୟ ସଂଗଠନର କର୍ମକର୍ତ୍ତା ପଦଯାତ୍ରାରେ ଯାଇ ପ୍ରତ୍ୟେକ ଘରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ବିଜେଡି ସରକାରଙ୍କ ସଫଳତାର ବାର୍ତ୍ତା ପ୍ରସାର ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରିବେ। ଏହି ମର୍ମରେ ନବୀନ ସମସ୍ତ ଦଳୀୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସଂଯୋଜକ, ବିଧାୟକ, ବିଧାୟିକା, ସାଂସଦ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ଛାମୁଆ ସଂଗଠନର ରାଜ୍ୟ ସଭାପତି, ବ୍ଲକ ଓ ନଗର ସଭାପତି ଓ ପର୍ଯ୍ୟବେକ୍ଷକଙ୍କୁ ପତ୍ର ଲେଖି ଜଣାଇଛନ୍ତି।
ପଦଯାତ୍ରା ସମୟରେ ଦଳୀୟ କର୍ମୀମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଯଥା- ‘ଆମ ଗାଁ ଆମ ବିକାଶ’ ‘ଆମ ସହର ଆମ ଉନ୍ନତି’, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’, ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ମହିଳା, କୃଷକ ଓ ଛାତ୍ରଙ୍କ ପାଇଁ 1ପ୍ରତିଶତ ସୁଧରେ ଋଣ ବ୍ୟବସ୍ଥା, ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ, ୪ବର୍ଷରେ ୧୭ଲକ୍ଷ ପକ୍କା ଘର ନିର୍ମାଣ, ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଭୂମି ଓ ସମ୍ପତ୍ତି ଅଧିକାର, କୃଷକଙ୍କ ଆୟ, କୃଷି ଉତ୍ପାଦନ ୨ଗୁଣ ହେବା, ୭ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା, ରାଜ୍ୟର ଯୁବକ-ଯୁବତୀଙ୍କ ସଶକ୍ତିକରଣ, ‘ମିଶନ ଶକ୍ତି’ ଓ ମହିଳା ସଶକ୍ତିକରଣ, ଆମ ରାଜ୍ୟର ଅନୁକରଣୀୟ ‘ସାମାଜିକ ସୁରକ୍ଷା ଯୋଜନା’ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବେ। ଗତ ନିର୍ବାଚନ ସମୟରେ ବିଜୁ ଜନତା ଦଳ ଦେଇଥିବା ପ୍ରତିଶ୍ରୁତିର ପରିପୂରଣ ସଂପର୍କରେ ଜନସାଧାରଣଙ୍କୁ ମଧ୍ୟ ଅବଗତ କରାଇବେ।
ସେହିପରି ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କର ବିଭିନ୍ନ ସମୟରେ ଅବହେଳା, ପକ୍ଷପାତିତା ଓ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରୁଥିବା ଆମର ଦାବି ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବେ। ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା, କେବିକେକୁ ସ୍ୱତନ୍ତ୍ର ଅନୁଦାନ, ବିଭିନ୍ନ ଜନହିତକର ଯୋଜନାରୁ ଅର୍ଥ କାଟ, ସ୍ୱାମୀନାଥନ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରି ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ଲାଗୁ କରି ଚାଷୀଙ୍କୁ ନ୍ୟାୟ ଦେବା, ଏବଂ ମହାନଦୀ ଓ ପୋଲାଭରମ ପ୍ରସଂଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରିବା, ଭାଟ ଓ ବିମୁଦ୍ରୀକରଣର କୁପ୍ରଭାବ, ମୁଦ୍ରାର ବିନିମୟ ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ଏବଂ ସଂପ୍ରତି ଅହେତୁକ ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ ଦର ବୃଦ୍ଧି କରି ସାଧାରଣ ଖାଉଟି-ଗୃହିଣୀଙ୍କ ଉପରେ ବୋଝ ଲଦିବା ସଂପର୍କରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବେ।
Share

Leave a Reply

Your email address will not be published. Required fields are marked *

6 − 3 =