ନବୀନ କାହିଁକି ଲୋକପ୍ରିୟ ଓ ସଫଳ?

ଭୁବନେଶ୍ୱର () ଇଣ୍ଡିଆ ଟୁଡେ ରିପୋର୍ଟକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚହଳ ପଡିଛି । ନବୀନ ପଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ 59 ପ୍ରତିଶତ ଲୋକ ଆଗ୍ରହ ପ୍ରକାଶ କରିବା ଯେତିକି ଭୃକୁଂଚନ ସୃଷ୍ଟି କରିନି, ବିରୋଧୀ ବିଜେପି ଓ କଂଗ୍ରେସ ଲୋକପ୍ରିୟତାର ମପକାଠିରେ ତାଙ୍କ ପାଖ ପଶିନପାରିବ ସେତିକି ଚର୍ଚ୍ଚିତ ହୋଇଛି ।

2017 ପଂଚାୟତ ନିର୍ବାଚନରେ କଂଗ୍ରେସର ନିଷ୍କ୍ରିୟତାର ସୁଯୋଗ ନେଇ ବିଜେପି କିଛିଟା ସଫଳତା ପାଇଥିଲା । ଏହି ସଫଳତାକୁ ନେଇ ରାଜ୍ୟ ବିଜେପି ନେତାଙ୍କ ଅହଂକାର ମୁଣ୍ଡକୁ ଏତେମାତ୍ରାରେ ଚଢିଥିଲା ଯେ, ସେମାନେ ନିଜ ନିଜ ମଧ୍ୟରେ ମନ୍ତ୍ରୀପଦ ବାଣ୍ଟି ସରକାର ଗଠନର ସ୍ୱପ୍ନ ଦେଖୁଥିଲେ । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ସ୍ତର ପର୍ଯ୍ୟନ୍ତ ଆକ୍ଷେପ କରୁଥିଲେ । ସେହିପରି ରାଜ୍ୟ କଂଗ୍ରେସର ନେତୃତ୍ୱ ପରିବର୍ତନ ପରେ ସେମାନେ ବିକଳ୍ପ ଶକ୍ତି ଭାବେ କ୍ଷମତାକୁ ଫେରିବେ ବୋଲି ଭାବୁଥିଲେ । କିନ୍ତୁ ଏହି ରିପୋର୍ଟ ସମସ୍ତଙ୍କ ପ୍ରକୃତ ଗ୍ରହନୀୟତାକୁ ପ୍ରମାଣିତ କରିଛି ।

ବିଜେପି ଗତ ଚାରି ବର୍ଷ ହେଲା ରାଜ୍ୟ ଦୁର୍ନୀତିର ଗନ୍ତାଘର ହୋଇଛି, ନବୀନ ରାଜ୍ୟ ସ୍ୱାର୍ଥ କଥା ଚିନ୍ତା କରୁନାହାନ୍ତି, ସାଧାରଣ ଲୋକ ଓ ଚାଷୀଙ୍କ ସମସ୍ୟାର ସମାଧାନ ହେଉନି ଏମିତି ଦୁର୍ନୀତିର ଲମ୍ବା ଚଉଡା ତାଲିକା ଦେଉଥିଲେ । ହେଲେ ଭୋଟରଙ୍କ ଅଦାଲତରେ ବିରୋଧୀଙ୍କ କୌଣସି ଦଲିଲ କାମ ଦେଇନି ତାହା ପୁଣିଥରେ ପ୍ରମାଣିତ ହୋଇଛି ।

ନବୀନଙ୍କ ବିପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ଓ ନିରଞ୍ଜନ ପଟନାୟକ ଯେତେ ଗର୍ଜିଲେବି ଲୋକଙ୍କ ବିଶ୍ୱାସଭାଜନ ହୋଇପାରିନାହାନ୍ତି । ଯେଉଁଥି ପାଇଁ ନବୀନଙ୍କୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିବାକୁ 59 ପ୍ରତିଶତ ଲୋକ ଚାହୁଁଥିବା ବେଳେ ଧର୍ମେନ୍ଦ୍ରଙ୍କୁ 21 ପ୍ରତିଶତ ଓ ନିରଂଜନଙ୍କୁ ମାତ୍ର 5 ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଛନ୍ତି ।

ଏହା ନବୀନଙ୍କ ସାଧାରଣ ଜୀବନ, ଧଳା କୁର୍ତ୍ତା ପାଇଜାମା ଓ ଚପଲ ତାଙ୍କ ଭାବମୂର୍ତ୍ତିକୁ ଅନ୍ୟ ବିରୋଧିଙ୍କଠାରୁ ଅଧିକ ଆକର୍ଷଣୀୟ ଓ ଗ୍ରହଣୀୟ କରିଛି । କ୍ଷମତାର ଶୀର୍ଷରେ ଥାଇବି ସେ ନମ୍ର, ଭଦ୍ର ଓ ସ୍ଵଳ୍ପଭାଷୀ । କ୍ରମାଗତ ଭାବେ 4ଥର କ୍ଷମତାରେ ରହି ସବୁ ନିର୍ବାଚନରେ ସଫଳତା ପାଉଥିବା ନେତାଙ୍କଠୀ ଏଭଳି ଚରିତ୍ର ସାଧାରଣରେ ଦେଖିବାକୁ ମିଳେନି । ତାଙ୍କ ପାଇଁ ସାଧାରଣ ଜନତା ପ୍ରାଥମିକତା । ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ସହ ଗୋଟିଏ ପରେ ଗୋଟିଏ ଜନକଲ୍ୟାଣକାରୀ ଯୋଜନା ତାଙ୍କ ପ୍ରତି ଭୋଟରଙ୍କ ବିଶ୍ୱାସନୀୟତାକୁ ବହୁଗୁଣିତ କରିଛି ।

ନବୀନଙ୍କ 18 ବର୍ଷର ଶାସନରେ ରାଜ୍ୟର ଦାରିଦ୍ର୍ୟ ସ୍ଥିତିରେ ଉନ୍ନତି, ଅନାହାର ମୁକ୍ତ ରାଜ୍ୟର ମାନ୍ୟତା, ସ୍ୱାସ୍ଥ୍ୟ ସେବାର ଉନ୍ନତି, ଶିକ୍ଷାରେ ବିକାଶ, ଶିଳ୍ପର ଅଭିବୃଦ୍ଧି, ଉତ୍ପାଦନ ଶିଳ୍ପର ଦ୍ରୁତ ଅଗ୍ରଗତି ସର୍ବୋପରି ସମାଜର ପଛୁଆ ଶ୍ରେଣୀକୁ ଅଗ୍ରାଧିକାର ରାଜ୍ୟକୁ ସର୍ବଭାରତୀୟ ସ୍ତରରେ ଏକ ଦ୍ରୁତ ପ୍ରଗତିଶୀଳ ରାଜ୍ୟ ଭାବେ ସ୍ୱୀକୃତି ଦେଇଛି ।

ନବୀନଙ୍କ ଥ୍ରୀ-ଟି ଫର୍ମୁଲ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ମଧୁବାବୁ ପେନସନ ଯୋଜନା, ଆହାର ଯୋଜନା, ଉନ୍ନତି ଯୋଜନା, ମମତା, ଆମ ଗାଁ ଆମ ବିକାଶ, ନିଦାନ, ମିଶନ ଶକ୍ତି ଭଳି ଯୋଜନା ବିଜେଡି ସରକାରକୁ ଏକ ଲୋକପ୍ରିୟ ଭାବେ ପ୍ରତିପାଦିତ କରିଛି । ରାଜ୍ୟରେ ସବୁଠୁ ସଫଳ ରାଜନେତା ହୋଇ ମଧ୍ୟ ନବୀନ କେବେବି କେନ୍ଦ୍ରୀୟ ରାଜନୀତି ଆଡେ ଆକର୍ଷିତ ହୋଇନାହାନ୍ତି । ଯଦିଓ କେନ୍ଦ୍ରରେ ବିଜେଡି ଏକ ପ୍ରଭାବଶାଳୀ ଦଳ, ନବୀନ କିନ୍ତୁ କ୍ଷମତା ଲୋଭରେ ଜାତୀୟ ରାଜନୀତିକୁ ଢଳି ନାହାନ୍ତି । ବରଂ ବାରମ୍ବାର ଓଡିଶା ପ୍ରତି କେନ୍ଦ୍ରୀୟ ଅବହେଳା ବିରୋଧରେ ସ୍ୱର ଉଠାଇଛନ୍ତି । ମହାନଦୀ, ପୋଲାଭରମ, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଆଦି ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ନବୀନ ଲଢେଇ ଜାରି ରଖିଛନ୍ତି । ଫଳରେ ନବୀନ କେବଳ ଜଣେ ସଫଳ ରାଜନେତା ହୋଇ ରହିନାହାନ୍ତି । ସେ ଏବେ ଏକ ବ୍ରାଣ୍ଡ ହୋଇଛନ୍ତି । ବ୍ରାଣ୍ଡ ନବୀନ ହିଁ ବିଜେଡି ସଫଳତାର ମୂଳ ମନ୍ତ୍ର ହୋଇଛି ।

Share

Leave a Reply

Your email address will not be published. Required fields are marked *

one × 3 =