ରାଜସ୍ଥାନ: ମହିଳା ଡାକ୍ତର ଆତ୍ମହତ୍ୟା ମାମଲାରେ ରାଜ୍ୟ ବିଜେପି ସମ୍ପାଦକ ଗିରଫ

ଦୌସାର ଲାଲସୋଟ ସହରରେ ଜଣେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ବିଜେପି ରାଜ୍ୟ ସମ୍ପାଦକ ଜିତେନ୍ଦ୍ର ଗୋଠୱାଲଙ୍କ ସମେତ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ମାନସିକ ନିର୍ଯ୍ୟାତନା ଓ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି।
ଗୋଥୱାଲ ଗୁରୁବାର ସକାଳେ ଟୁଇଟ୍ କରି କହିଛନ୍ତି, “ମୋତେ ଗିରଫ କରିବା ପାଇଁ ଗତକାଲି ମଧ୍ୟରାତ୍ରିରେ ମୋ ଜୟପୁର ବାସଭବନରେ ପୋଲିସ ପହଞ୍ଚିଥିଲା ।

ଗୋଥୱାଲ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟକୁ ଟ୍ରେନ୍ ଟିକେଟ୍ ପଠାଇଥିବାରୁ ରାଜ୍ୟ ସରକାର ଏହାର ପ୍ରତିଶୋଧ ନେଉଛନ୍ତି।

ପୋଲିସର ସୂଚନାନୁସାରେ, ଏହି ମାମଲାରେ ଗୋଥୱାଲଙ୍କ ସହ ଗିରଫ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ରାମ ମନୋହର ମଧ୍ୟ ଅଛନ୍ତି। ଉଭୟଙ୍କୁ ଆଇପିସି ଧାରା ୩୮୪, ୩୮୮ ଏବଂ ୩୦୬ (ଆତ୍ମହତ୍ୟା ପାଇଁ ଉସୁକାଇବା ଏବଂ ବାଟି ଆଦାୟ) ଅଧୀନରେ ମାମଲା ରୁଜୁ କରାଯାଇଥିଲା |

ସୂଚନାଯୋଗ୍ୟ ଯେ, ରାଜସ୍ଥାନର ଦୌସା ଜିଲ୍ଲାର ଲାଲସୋଟ ସହରର ଏକ ଘରୋଇ ଡାକ୍ତରଖାନାର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅର୍ଚ୍ଚନା ଶର୍ମା ମଙ୍ଗଳବାର ଦିନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସୋମବାର ତାଙ୍କ ଘରୋଇ ଡାକ୍ତରଖାନାରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ବିରୋଧରେ ଚିକିତ୍ସାରେ ଅବହେଳା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା।

ସେହି ଡାକ୍ତରଖାନାର ପରିଚାଳନା ନିର୍ଦ୍ଦେଶକ ତଥା ମୃତ ଡାକ୍ତରଙ୍କ ସ୍ୱାମୀ ଡକ୍ଟର ସୁନୀତ ଉପାଧ୍ୟାୟ ଏକ ଭିଡିଓ ବିବୃତ୍ତିରେ କହିଛନ୍ତି ଯେ ତାଙ୍କ ପତ୍ନୀ ଡଃ ଅର୍ଚ୍ଚନା ଶର୍ମା ମଙ୍ଗଳବାର ସକାଳେ ତାଙ୍କ ବିରୋଧରେ ହତ୍ୟା ମାମଲାର ଖବର ପଢ଼ି ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ ଏବଂ ଗିରଫ ନେଇ ଡରି ଯାଇଥିଲେ । ଏଥିପାଇଁ ସେ ଆତ୍ମହତ୍ୟା କରିଥିଲେ ।

ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ମାମଲାରେ ଏହି ଡାକ୍ତରୀ ଦମ୍ପତିଙ୍କ ବିରୋଧରେ ଆଇପିସି ଧାରା ୩୦୨ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ସୋମବାର ଗୋଥୱାଲ ଡାକ୍ତରଖାନା ବାହାରେ ଧାରଣା ଦେଉଥିବା ଲୋକଙ୍କ ଗହଣରେ ଉପସ୍ଥିତ ଥିଲେ ଏବଂ ଡାକ୍ତର ଉପାଧ୍ୟାୟ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ।

ଏହି ମାମଲାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟର ଘରୋଇ ଡାକ୍ତରଖାନା ଏବଂ ନର୍ସିଂହୋମଗୁଡିକ ଆଜି ଦ୍ୱିତୀୟ ଦିନ ପାଇଁ ମଧ୍ୟ ବନ୍ଦ ରହିଥିଲା। ତେବେ ଜରୁରୀକାଳୀନ ସେବାକୁ ଏଥିରୁ ଦୂରେଇ ରଖାଯାଇଛି।

ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ବୁଧବାର ଦିନ ଦୌସା ପୋଲିସ୍ ଅଧୀକ୍ଷକ ଅନିଲ କୁମାରଙ୍କୁ ହଟାଇ ଦେଇଥିବାବେଳେ ଲାଲସଟ୍ ପୋଲିସ୍ ଥାନାଧିକାରୀ ଅଙ୍କେଶ କୁମାରଙ୍କୁ ନିଲମ୍ବିତ କରାଯାଇଛି। ଲାଲସୋଟର କ୍ଷେତ୍ରାଧିକାରୀ ଶଙ୍କର ଲାଲଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ଏହି ମାମଲାର ପ୍ରଶାସନିକ ତଦନ୍ତ ଜୟପୁର ବିଭାଗୀୟ କମିଶନର ଦୀନେଶ କୁମାର ଯାଦବଙ୍କୁ ପ୍ରଦାନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

5 × 4 =