ମହାମାରୀ ରୋକିବାକୁ ହାଇ ଆଲର୍ଟରେ ପାଞ୍ଚ ଜିଲ୍ଲା

ଭୁବନେଶ୍ୱର () ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ଯେଭଳି କୌଣସି ଠାରେ ମହାମାରୀ ନବ୍ୟାପେ ସେଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୫ଟି ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି । ଏହିସବୁ ଜିଲ୍ଲାରେ ଥିବା ଡାକ୍ତରଖାନକୁ ଆସୁଥିବା ଝାଡାବାନ୍ତି ଆକ୍ରାନ୍ତ କିମ୍ବା ଜ୍ୱର ଆଦିରେ ପୀଡିତ ରୋଗୀ ଯଦି ଚିକିତ୍ସପାଇଁ ଭର୍ତ୍ତି ହୁଅନ୍ତି ତେବେ ନିଶ୍ଚିତ ଭାବେ ତାଙ୍କର ନମୂନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନମୂନା ପରୀକ୍ଷାରୁ କୌଣସି ଅଞ୍ଚଳରେ କି ପ୍ରକାର ରୋଗ ଦେଖାଦେଇଛି ତାହା ସହଜରେ ଜଣାପଡିବ ସହିତ ସେ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ।

ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ ମହାମାରୀର ସୂଚନା ନଥିବାବେଳେ କାଁ ଭାଁ ଲୋକମାନେ ସାଧାରଣ ଝାଡାବାନ୍ତିରେ ଆକ୍ରନ୍ତ ହୋଇ ଆସୁଛନ୍ତି । ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ୬ଟି ବ୍ଲକ ଯଥା ଗୋପ, ପୁରୀସଦର, କଣାସ, ସତ୍ୟବାଦୀ, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟିସ୍କାନ୍‍, ଆଇସିୟୁ, ଏସ୍‍ଏନ୍‍ସିୟୁ ଏବଂ ଡାଏଲିସିସ୍‍ ବ୍ୟବସ୍ଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଛି । ଉପରୋକ୍ତ ସମସ୍ତ ସ୍ଥାନରେ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ, ହାଲୋଜେନ୍‍ ଓ କ୍ଲୋରିନ୍‍ ବଟିକା, ସାଲାଇନ୍‍, ସାପକାମୁଡା ଇଞ୍ଜେକସନ ଆଦି ମହଜୁଦ ରହିଛି । ୧୨୦ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ର ଏହି ବ୍ଲକ ଗୁଡିକରେ ଲୋକଙ୍କ ଘର ନିକଟରେ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ।

ଉପରେକ୍ତ ୫ଟି ଜିଲ୍ଲାରେ ୭୪ଜଣ ଡାକ୍ତର ଓ ୨୩୪ ଜଣ ପାରାମେଡିକ୍‍ ମୁତୟନ ହୋଇଥିବାବେଳେ ପୁରୀ ଓ ଖୋରଧା ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ୨୦ଜଣ ଡାକ୍ତର ଓ ୨୦୦ ପାରାମେଡିକ୍‍ ନିୟୋଜିତ ହୋଇଛନ୍ତି । ପୁରୀ ଜିଲ୍ଲାର ୧୫ରୁ ୪୫ ବର୍ଷ ବୟସର ବାଳିକା ଓ ମହିଳାମାନଙ୍କୁ ମାଗଣାରେ ସାନିଟାରୀ ନାପକିନ୍‍ ଯୋଗାଇ ଦିଆଯାଇଛି । ଆସନ୍ତା ୨ମାସ ପର୍ଯ୍ୟନ୍ତ ସେମାନଙ୍କୁ ଏହା ମାଗଣାରେ ମିଳିବ । ପୁରୀ ଜିଲ୍ଲାର ସମସ୍ତ ଗାଁ କଲ୍ୟାଣ ସମିତି ଗୁଡିକୁ ସେମାନଙ୍କ ଅଞ୍ଚଳକୁ ସଫାସୁତୁରା ରଖିବାପାଇଁ ଅଧିକ ୧୦ହଜାର ଟଙ୍କା କରି ଯୋଗାଇ ଦିଆଯାଇଛି । ବାତ୍ୟାଞ୍ଚଳରେ ଜଳ ଓ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଲାଗି ଗାଁ କଲ୍ୟାଣ ସମିତି ଜରିଆରେ ବର୍ତ୍ତମାନ ସୁଦ୍ଧା ୧୮,୫୩୬ ଟି ସଫେଇ କାର୍ଯ୍ୟ ହୋଇଥିବାବେଳେ ପ୍ରାୟ ୬୯,୬୭୨ ମୁକ୍ତ ପାନୀୟଜଳ ଉତ୍ସ ଗୁଡିକୁ ବିଶୋଧନ କରାଯାଇଛି । ଏହି ବିଶୋଧନ ସମୟରେ ପ୍ରାୟ ୧୫ଟି ଜଳଉତ୍ସରେ ମୃତ ପଶୁ ପକ୍ଷୀ ଭାସୁଥିବା ପରିଲକ୍ଷିତ ହେବାରୁ ସେହି ଉତ୍ସ ଗୁଡିକୁ ବ୍ୟବହାର ନକରିବାକୁ ବାରଣ କରାଯାଇଛି । କୌଣସି ରୋଗର ପୂର୍ବ ସୂଚନା ଜାଣିବାପାଇଁ କେନ୍ଦ୍ରରୁ ଆସିଥିବା ୧୨ଜଣିଆ ବିଶେଷଜ୍ଞ ଦଳ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ଜଣିଆ ଦଳ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସର୍ବେକ୍ଷଣ ଜାରି ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

two × one =