ସୁରକ୍ଷା ଓ ଦକ୍ଷତା ବିକାଶ ନେଇ ଦୁଇ ଆଇଟିଆଇ ସହ ଟିପିଏସ୍‌ଓଡିଏଲର ବୁଝାମଣା ପତ୍ର

ବ୍ରହ୍ମପୁର ଓ ହିଞ୍ଜିଳିକାଟୁ ଆଇଟିଆଇ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ
ସୁରକ୍ଷା ଓ ଦକ୍ଷତା ବିକାଶ ନେଇ ତାଲିମ ନେବେ ଛାତ୍ରଛତ୍ରୀ

ବ୍ରହ୍ମପୁର: କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଓ ଦକ୍ଷତା ବିକାଶକୁ ପ୍ରାଥମିକତା ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ବ୍ରହ୍ମପୁର ଓ ହିଞ୍ଜିଳିକାଟୁସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ) ସହ ଦୁଇଟି ପୃଥକ ପୃଥକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ବ୍ରହ୍ମପୁରସ୍ଥିତ ଟିପିଏସ୍‌ଓଡିଏଲର କର୍ପୋରେଟ କାର୍ଯ୍ୟାଳୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ, ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରିନ୍ସିପାଲ ଡଃ ରଜତ କୁମାର ପାଣିଗ୍ରାହୀ ଓ ହିଞ୍ଜିଳିକାଟୁ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରିନ୍ସିପାଲ ଇଂ ରାଜେଶ ତ୍ରିପାଠୀ ଉପସ୍ଥିତ ରହି ବୁଝାମଣା ପତ୍ରରେ ଦସ୍ତଖତ କରିଥିଲେ ।

ଏହି ସହଭାଗିତା ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ତାଲିମ ସୁଯୋଗ ଦେବ । ଯାହାଫଳରେ ଛାତ୍ରଛାତ୍ରୀଙ୍କର ତାତ୍ତ୍ୱିକ ଜ୍ଞାନ ଓ ବ୍ୟାବହାରିକ ଜ୍ଞାନ ମଧ୍ୟରେ ଥିବା ପ୍ରଭେଦ ଦୂର ହୋଇପାରିବ । ବୁଝାମଣା ଅଧୀନରେ କମ୍ପାନୀ ସେଫ୍ଟି ଟ୍ରେନିଂ ପ୍ରୋଗ୍ରାମ ( ସେଫ୍ଟି – ନେଷ୍ଟ: ନର୍ଚରିଂ ଏ ସିକ୍ୟୁର ଏନଭାରମେଣ୍ଟ )କୁ କାର୍ଯ୍ୟକ୍ଷମ କରିବ । କମ୍ପାନୀରେ ଦୈନନ୍ଦିନ କାର୍ଯ୍ୟକ୍ରମରେ ନିଆଯାଉଥିବା ସୁରକ୍ଷା ପଦକ୍ଷେପଗୁଡିକ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦିଆଯିବ ।

ଟିପିଏସ୍‌ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କହିଛନ୍ତି ଯେ,\”ବ୍ରହ୍ମପୁର ଓ ହିଞ୍ଜିଳିକାଟୁ ଶିଳ୍ପ ତାଲିମ ଅନୁଷ୍ଠାନ ସହ ଯୋଡି ହୋଇ ଆମେ ସେଫ୍ଟି – ନେଷ୍ଟ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି । ଏହି ସହଭାଗିତା ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ଓ ଜ୍ଞାନକୁ ଅଧିକ ସଶକ୍ତ କରିପାରିବ ବୋଲି ଆମର ଦୃଢ଼ ବିଶ୍ୱାସ ରହିଛି ।”

ଛାତ୍ରଛାତ୍ରୀମାନେ କିଭଳି ଭାବେ ଶିଳ୍ପ ସାପେକ୍ଷ ଦକ୍ଷତା ପାଇପାରିବେ ଓ ସୁରକ୍ଷାର ଗୁରୁତ୍ୱକୁ ହୃଦୟଙ୍ଗମ କରିପାରିବେ ତାହାକୁ ଧ୍ୟାନରେ ରଖି ଏହି ପ୍ରୋଗ୍ରାମକୁ କାର୍ଯ୍ୟକ୍ଷମ କରାଯାଇଛି । ସେହିଭଳି ଆଗାମୀ ଦିନରେ ଟିପିଏସ୍‌ଓଡିଏଲ୍ ଦକ୍ଷିଣ ଓଡ଼ିଶାର ଅନ୍ୟାନ୍ୟ ଶିଳ୍ପ ତାଲିମ ଅନୁଷ୍ଠାନ ସହ ପର୍ଯ୍ୟାୟ କ୍ରମେ ଯୋଡି ହେବା ନେଇ ଯୋଜନା ରହିଛି ।

ଗତ ଡିସେମ୍ବର ୨୦ ତାରିଖରେ ଟାଟା ପାୱାର ଓ ରାଜ୍ୟ ସରକାରଙ୍କର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ରାଜ୍ୟର ଯୁବଗୋଷ୍ଠୀଙ୍କୁ ଶିଳ୍ପସାପେକ୍ଷ ଶିକ୍ଷା ପ୍ରଦାନ ସହ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

8 + 16 =