ବିଦ୍ୟୁତ ଚୋରି ବିରୋଧରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଦୃଢ଼ ପଦକ୍ଷେପ

ଛତ୍ରପୁରରୁ ଧରାପଡିଲା ଅଭିନବ ମିଟର ଟାମ୍ପରିଂ

ବ୍ରହ୍ମପୁର: ବିଦ୍ୟୁତ ଚୋରିକୁ ଠାବ କରିବା ନେଇ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍)ର ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି । ଏହିକ୍ରମରେ ଛତ୍ରପୁର ଡିଭିଜନରେ ୧୫ରୁ ୨୦ଟି ମିଟର ଟାମ୍ପରିଂ ଘଟଣା ସାମ୍ନାକୁ ଆସିଛି । ଏହି ପ୍ରକାରର ଟାମ୍ପରିଂ ନୂଆ ହୋଇଥିବା ବେଳେ ଅଭିନବ ଉପାୟ ଅବଲମ୍ବନ କରାଯାଇ ବିଦ୍ୟୁତ ଚୋରି ହୋଇଛି ।

ମିଟର ଟାମ୍ପରିଂ ପାଇଁ ରିମୋଟ୍ ସର୍କିଟ ମାନୁପୁଲେସନ ପଦ୍ଧତିର ବ୍ୟବହାର କରାଯାଉଛି । ସ୍ୱତନ୍ତ୍ର ରିମୋଟ୍ ଯୋଗେ ଏଭଳି ବିଦ୍ୟୁତ ଚୋରି କରାଯାଉଛି । କିଛି ସ୍ଥାନରେ ଟାମ୍ପରିଂ ପାଇଁ ଚୁମ୍ବକର ବ୍ୟବହାର ମଧ୍ୟ ହେଉଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଧରପଗଡ଼କୁ ଅଧିକ କଡାକଡି କରାଯାଇଛି । କମ୍ପାନୀର ଏନଫୋର୍ସମେଣ୍ଟ ଟିମ୍ ଜୋରସୋରରେ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି । ସିଧାସଳଖ ବିଦ୍ୟୁତ ଚୋରି, ମିଟର ଟାମ୍ପରିଂ, ମିଟର ବାଇପାସ ଓ ସମାନ୍ତରାଳ ହୁକିଙ୍ଗ ଭଳି ବିଦ୍ୟୁତ ଚୋରି ଉପରେ ଟିପିଏସ୍ଓଡିଏଲ୍ କଡା ନଜର ରହିଛି । ବିଜୁଳି ଚୋରି କରିବା ଫଳରେ ସାଧାରଣ ଓ ନିୟମିତ ଗ୍ରାହକ ହିଁ ପରୋକ୍ଷରେ ପ୍ରଭାବିତ ହୋଇ ଥାଆନ୍ତି ।

ଟିମର ଅଭିଜ୍ଞ କର୍ମଚାରୀମାନେ ଅତ୍ୟାଧୁନିକ ସରଞ୍ଜାମ ତଥା ପ୍ରଯୁକ୍ତିବିଦ୍ୟାର ପ୍ରୟୋଗରେ ସବୁ ପ୍ରକାରର ବିଦ୍ୟୁତ ଚୋରିକୁ ଠାବ କରିବାରେ ସକ୍ଷମ ଅଟନ୍ତି । ଏଣୁ ବିଦ୍ୟୁତ ଚୋରି ଭଳି ବେଆଇନ କାର୍ଯ୍ୟକଳାପରେ ସାମିଲ ନେହେବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ପରାମର୍ଶ ଦିଆଯାଉଛି। କୌଣସି ଉପଭୋକ୍ତା ବିଦ୍ୟୁତ ଚୋରି କରୁଥିବା ନେଇ ଧରା ପଡିଲେ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ ହେବାକୁ ପଡ଼ିବ ।

ଭାରତୀୟ ବୈଦ୍ୟୁତିକ ଅଧିନିୟମ – ୨୦୦୩ର ଧାରା ୧୩୫ ଅନୁଯାୟୀ, ବିଦ୍ୟୁତ ଚୋରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ୩ ବର୍ଷ ପର୍ଯ୍ୟନ୍ତର କାରାଦଣ୍ଡ କିମ୍ବା ଜୋରିମାନା ଦେବାକୁ ପଡ଼ି଼ପାରେ । ସେହିଭଳି କାରାଦଣ୍ଡ ଓ ଜରିମାନା ଉଭୟ ମଧ୍ୟ ଲାଗୁ ହୋଇପାରିବ । ଏହାସହ ବାରମ୍ବାର ବିଦ୍ୟୁତ ଚୋରି କରି ଧରାପଡ଼ିଲେ, କମ୍ପାନୀ ସମ୍ପୃକ୍ତ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବାରୁ ମଧ୍ୟ ବଞ୍ଚିତ କରିପାରିବାର ପ୍ରାବଧାନ ରହିଛି । ଏଣୁ ବିଦ୍ୟୁତ ଚୋରିରୁ ନିବୃତ୍ତ ରହିବା ସହ ଦାୟିତ୍ୱବାନ ଉପଭୋକ୍ତାର ଭୂମିକା ନିର୍ବାହ କରିବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ନିବେଦନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

six + five =