ନିରନ୍ତର ବିକାଶ ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ବିପିସିଏଲ୍ ପକ୍ଷରୁ ଇ-ବର୍ଜ୍ୟ ପରିଚାଳନା ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଏକ ମହାରତ୍ନ ଓ ଫର୍ଚୁନ୍ ୫୦୦ କଂପାନି ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍‌) ପକ୍ଷରୁ ଇ-ବର୍ଜ୍ୟର ହ୍ରାସ ଓ ରିସାଇକ୍ଲିଂ ପାଇଁ କଂପାନିର ଦୀର୍ଘସ୍ଥାୟୀ ଅଭିଯାନର ଅଂଶ ସ୍ୱରୂପ “ସାଉଣ୍ଡ୍ ମ୍ୟାନେଜମେଂଟ୍ ଅଫ୍ ୱେଷ୍ଟ ଡିସ୍‌ପୋଜାଲ୍ (ଏସ୍‌ଏମ୍‌ଡବ୍ଲୁଡି) ନାମକ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ ଘୋଷଣା କରାଯାଇଛି ।
ବୈଧାନିକ ଆବଶ୍ୟକତା ଅନୁସାରେ ସଠିକ୍ ସମୟରେ ନିସ୍କାସନ ସହିତ ସାରା କଂପାନିରେ ଇ-ବର୍ଜ୍ୟର ପ୍ରଭାବୀ ପରିଚାଳନା ପାଇଁ କଂପାନି ପକ୍ଷରୁ ଏକ ନିର୍ଦେଶନାମା ଜାରି କରାଯାଇଥିଲା ।
୨୦୨୫ ସୁଦ୍ଧା ସମସ୍ତ କାର୍ଯ୍ୟକ୍ଷମ ବିଶୋଧନାଗାର ଓ ମାର୍କେଟିଂ କାର୍ଯ୍ୟକ୍ଷେତ୍ରରେ ଲ୍ୟାଣ୍ଡ୍‌ଫିଲ୍ ସାର୍ଟିଫିକେସନ୍ ପାଇଁ ଶୂନ ବର୍ଜ୍ୟ ଲକ୍ଷ୍ୟ ହାସଲ କରିବା ଲାଗି ବିପିସିଏଲ୍ କାର୍ଯ୍ୟ କରୁଛି ।
ଘାତକ ଉପାଦାନ ରହିଥିବା ବର୍ଜ୍ୟର ଅନୁପଯୁକ୍ତ ନିସ୍କାସନ ଭଳି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନକୁ ସାରା ବିଶ୍ୱ ସାମ୍ନା କରୁଛି ଯାହା ପରିବେଶ, ପଶୁ, ସାମୁଦ୍ରିକ ଜୀବ ଓ ମାନବ ସମାଜକୁ ଗୁରୁତର ଭାବେ ପ୍ରଭାବିତ କରିପାରେ ।
ବିଶୋଧନାଗାର ଓ ଅନ୍ୟାନ୍ୟ କାର୍ଯ୍ୟ କ୍ଷେତ୍ରରୁ ସୃଷ୍ଟି ହେଉଥିବା ବର୍ଜ୍ୟ ପରିବେଶ ଓ ସମାଜକୁ କ୍ଷତି ପହଂଚାଇପାରେ ବୋଲି ବିପିସିଏଲ୍ ଭଲ ଭାବେ ଜାଣିଛି । ତେଣୁ, ଏହାର ପ୍ରଭାବଶାଳୀ ବର୍ଜ୍ୟ ପରିଚାଳନା ପଦ୍ଧତିକୁ କାର୍ଯ୍ୟକାରୀ କରି ଏବଂ ସ୍ୱୀକୃତିପ୍ରାପ୍ତ ଭେଣ୍ଡର ଜରିଆରେ ସେଗୁଡ଼ିକୁ ନିସ୍କାସନ କରି ଏହାର କାର୍ଯ୍ୟକ୍ଷେତ୍ରରେ ସୃଷ୍ଟି ହେଉଥିବା ବର୍ଜ୍ୟକୁ ହ୍ରାସ କରିବା ଲାଗି କଂପାନି ସଂକଳ୍ପ ନେଇଛି ।
ବର୍ତମାନ ସମୟରେ ମୋବାଇଲ୍ ଫୋନ୍‌, ପର୍ସନାଲ୍ କମ୍ପ୍ୟୁଟର, ଲାପଟପ୍‌, ସର୍ଭର, ଟେଲିଭିଜନ, ୱାସିଂ ମେସିନ, ରେଫ୍ରିଜରେଟର, ଏୟାର କଣ୍ଡିସନର ଇତ୍ୟାଦି ଭଳି ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ୍ ଉପକରଣ (ଇଇଇ)ର ବ୍ୟବହାର ଓ ନିର୍ଭରଶୀଳତା ବଢ଼ିଛି ଯେଉଁଥିପାଇଁ ଅଧିକ ପରିମାଣର ଇ-ବର୍ଜ୍ୟ ସୃଷ୍ଟି ହେଉଛି । ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ ହେଉଛି ମୂଲ୍ୟବାନ ସାମଗ୍ରୀ ଏବଂ ସେଥିରେ ଥିବା ଉପକରଣରେ ଘାତକ/ ବିଶାକ୍ତ ଉପକରଣ ରହିଥାଇପାରେ । ଇଇଇର ଅନୁପଯୁକ୍ତ ନିସ୍କାସନ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ଏବଂ ପରିବେଶକୁ କ୍ଷତି ପହଂଚାଇପାରେ ।
ସମ୍ବଳର ଚକ୍ରମାନ ସୁଯୋଗକୁ ଉଜାଗର କରିବା ଉପରେ ବିପିସିଏଲ୍‌ର ଦୃଢ଼ ବିଶ୍ୱାସ ରହିଛି ଏବଂ ସେଥିପାଇଁ ପଞ୍ଜୀକୃତ ରିସାଇକଲରମାନଙ୍କ ଜରିଆରେ ଇ-ବର୍ଜ୍ୟ ଓ ଅଣ ହାନିକାରକ ସ୍କ୍ରାପ୍‌କୁ ରିସାଇକଲ୍ ଓ ରିଫରବିସ୍ କରିବା ପାଇଁ ପଠାଉଛି । ୨୦୨୧-୨୨ରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ୍‌ଲାଇନ୍ ଅନୁସାରେ ଏହା ୨.୫୭ ଟନ୍ ଇ-ବର୍ଜ୍ୟକୁ ନିସ୍କାସନ କରିଛି ।
ବ୍ୟବସାୟ ଅଭିବୃଦ୍ଧି ଓ ନିରନ୍ତରତା ପାଇଁ ଭବିଷ୍ୟତ ଦକ୍ଷତା ବଢ଼ାଇବା, ନୂଆ ପ୍ରଯୁକ୍ତି, ସ୍ୱତନ୍ତ୍ର ଉତ୍ପାଦର ନବସୃଜନ ଓ ସୃଷ୍ଟି କ୍ଷେତ୍ରରେ ବିପିସିଏଲ୍‌ର ଗବେଷଣା ଓ ବିକାଶ (ଆର୍‌ଆଣ୍ଡ୍‌ଡି) ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ସ୍ୱତନ୍ତ୍ର ପେଟ୍ରୋକେମିକାଲ୍‌ସ, ବର୍ଜ୍ୟ ପରିଚାଳନା, ଶକ୍ତି ମିତବ୍ୟୟୀ ବିଶୋଧନ ପ୍ରକ୍ର୍ରିୟା, ସବୁଜ ରସାୟନ, ବାୟୋଫୁଏଲ୍‌, ଗ୍ରିନ ହାଇଡ୍ରୋଜେନ୍ ଓ ସିଓ୨ର ପରିଚାଳନା ପାଇଁ ଆର୍‌ଆଣ୍ଡ୍‌ଡି ବିଭାଗ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଗ୍ରହଣ କରୁଛି ।

Share

Leave a Reply

Your email address will not be published. Required fields are marked *

three + two =