ଯାଜପୁରରେ ମଲ୍ଟି ସ୍କିଲ୍ ଡେଭଲପମେଂଟ ସେଂଟର ପ୍ରତିଷ୍ଠା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର

କଳିଙ୍ଗନଗର: ଯାଜପୁର ଜିଲ୍ଲାରେ ଏକ ମଲ୍ଟି ସ୍କିଲ୍ ଡେଭଲପମେଂଟ ସେଂଟର (ଏମ୍‌ଏସ୍‌ଡିସି) ପ୍ରତିଷ୍ଠା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍ୱାକ୍ଷରିତ ହୋଇଛି ।

ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡାଇଙ୍କ ଉପସ୍ଥିତିରେ ଯାଜପୁରର ଦାନଗଦୀ ବ୍ଲକ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ଅଳକା ମିଶ୍ର, ଟାଟା ଷ୍ଟିଲ ଫାଉଣ୍ଡେସନର ସିଏସ୍‌ଆର (ଓଡ଼ିଶା) ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ଦକ୍ଷତା ବିକାଶ ମୁଖ୍ୟ କ୍ୟାପଟେନ୍ ଅମିତାଭ ପ୍ରମୁଖ ଉପସ୍ଥିତ ଥିଲେ ।

ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ଶିଳ୍ପ ଭିତିକ ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରଦାନ କରିବା ଲକ୍ଷ୍ୟରେ ଦାନଗଦୀ ଓ ସୁକିନ୍ଦା ବ୍ଲକର ଅବହେଳିତ ସମାଜର ଯୁବକଯୁବତୀଙ୍କୁ ଏମ୍‌ଏସ୍‌ଡିସି ଉପକୃତ କରିବ । ଏହି ଚୁକ୍ତି ଅନୁଯାୟୀ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓଡ଼ିଶା ସରକାରଙ୍କ ସହ ମିଶି ଯାଜପୁରର ଦାନଗଦୀ ବ୍ଲକରେ ସ୍ୱଳ୍ପକାଳୀନ ଦକ୍ଷତା ପ୍ରଶିକ୍ଷଣ ପାଠ୍ୟକ୍ରମ ପାଇଁ ଆବଶ୍ୟକ ଭିତିଭୂମି ସ୍ଥାପନ କରିବ ।

ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନର ସିଇଓ ସୌରଭ ରାୟ କହିଛନ୍ତି ଯେ “ଏମ୍‌ଏସ୍‌ସି ପ୍ରତିଷ୍ଠାର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଯେଉଁଠାରେ ସବୁଠାରୁ ଅଧିକ ଆବଶ୍ୟକ ସେଠାରେ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଇବା । ଯୁବବର୍ଗଙ୍କ ଆର୍ôଥକ ଭାବେ ସ୍ୱାବଲମ୍ବୀ ହେବାର ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଏହି ସୁବିଧା ରଖାଯାଇଛି । କେନ୍ଦୁଝର ଜିଲ୍ଲା ବଂଶପାଳସ୍ଥିତ ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ) ଏବଂ ସୁକିନ୍ଦା ଓ ଗୋପାଳପୁରରେ ପ୍ରତିଷ୍ଠା ହୋଇଥିବା ଅନ୍ୟାନ୍ୟ ଦକ୍ଷତା ବିକାଶ ଅନୁଷ୍ଠାନ ଓ ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ ଏମ୍‌ଏସ୍‌ଡିସିି ଯୁବପିଢ଼ିଙ୍କୁ ସେମାନଙ୍କ ପ୍ରତିଭା ସହ ଯୋଡ଼ି ହୋଇଥିବା ନିଯୁକ୍ତି ହାସଲ କରିବାରେ ସହାୟକ ହେବ। ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ଆମ ଉପରେ ଯେଉଁ ବିଶ୍ୱାସ ରଖିଛନ୍ତି ସେଥିପାଇଁ ଆମେ ସେମାନଙ୍କୁ କୃତଜ୍ଞତା ଜଣାଉଛୁ ଏବଂ ଏହାକୁ ସମ୍ଭବ କରିବାରେ ସହଯୋଗ କରୁଛୁ ।”

ଏମ୍‌ଏସ୍‌ଡିସିି ସ୍ଥାନୀୟ ଯୁବକମାନଙ୍କ ଆବଶ୍ୟକତା ଅନୁଯାୟୀ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ କରିବ, ସମ୍ପୂର୍ଣ୍ଣ ହେବା ପରେ ଶିଳ୍ପ ପ୍ରସ୍ତୁତି ଏବଂ ନିଯୁକ୍ତି ଯୋଗ୍ୟତାକୁ ସୁନିଶ୍ଚିତ କରିବ । ଏହାବ୍ୟତୀତ ଏହା କାଉନସେଲିଂ ପ୍ରଦାନ କରିବ, ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ ଏବଂ ନିଯୁକ୍ତି ସହାୟତା ବୃଦ୍ଧି ପାଇଁ ଇଂରାଜୀ ଦକ୍ଷତା, ସଫ୍ଟ ସ୍କିଲ୍ ଏବଂ ଡିଜିଟାଲ୍ ସାକ୍ଷରତା ଭଳି ମୌଳିକ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେବ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଓ ସଚେତନତା ପ୍ରଦାନ ପାଇଁ ଏହି କେନ୍ଦ୍ରରେ ଏକ ସ୍ୱତନ୍ତ୍ର ପରୀକ୍ଷାଗାର ରହିବ ।

Share

Leave a Reply

Your email address will not be published. Required fields are marked *

thirteen − 12 =