ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଟାଟା ମେମୋରିଆଲ୍ ସେଂଟରକୁ ୧୨୦୦ କୋଟି ଟଙ୍କା ସହାୟତା ପ୍ରଦାନ

ଭୁବନେଶ୍ୱର: ଦେଶରେ କ୍ୟାନସର ରୋଗର ଚିକିତ୍ସା ଓ ଗବେଷଣା କ୍ଷେତ୍ରର ପ୍ରତିଷ୍ଠିତ ଅନୁଷ୍ଠାନ ଟାଟା ମେମୋରିଆଲ ସେଂଟର (ଟିଏମ୍‌ସି)କୁ ୧୨୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ନିଜର ପ୍ରତିବଦ୍ଧତା ଘୋଷଣା କରିଛି । ମିଳିତ ଭାବେ ୭.୫ ଲକ୍ଷ ବର୍ଗଫୁଟ ଅଂଚଳରେ ତିନିଟି ନୂଆ କୋଠା ସ୍ଥାପନ କରିବା ଏବଂ ମହାରାଷ୍ଟ୍ରର ନଭି ମୁମ୍ବାଇ, ପଞ୍ଜାବର ମୁଲାନପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଠଣାରେ ଥିବା ଟିଏମ୍‌ସି କେନ୍ଦ୍ରକୁ ଅତ୍ୟାଧୁନିକ ମେସିନ୍ ପ୍ରଦାନ କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏହାର ସିଏସ୍‌ଆର୍ ପାଣ୍ଠିରୁ ଅର୍ଥରାଶି ପ୍ରଦାନ କରାଯିବ । ଆଇସିଆଇସିଆଇ ବ୍ୟାଙ୍କର ସିଏସ୍‌ଆର୍ ଶାଖା ଆଇସିଆଇସିଆଇ ଫାଉଣ୍ଡେସନ ଫର୍ ଇନ୍‌କ୍ଲୁସିଭ୍ ଗ୍ରୋଥ୍ (ଆଇସିଆଇସିଆଇ ଫାଉଣ୍ଡେସନ) ପକ୍ଷରୁ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବ ଓ ଏହି କାର୍ଯ୍ୟ ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।
ଏନେଇ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଟିଏମ୍‌ସି ମଧ୍ୟରେ ହୋଇଥିବା ବୁଝାମଣାରେ ଆଇସିଆଇସିଆଇ ଫାଉଣ୍ଡେସନର ସଭାପତି ସଂଜୟ ଦତା ଓ ଟାଟା ମେମୋରିଆଲ ସେଂଟରର ନିର୍ଦେଶକ ଡକ୍ଟର ଆର୍ ଏ ବଡ୍‌ୱେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଚତୁର୍ବେଦୀ ଓ କାର୍ଯ୍ୟନିର୍ବାହୀ ନିର୍ଦେଶକ ସନ୍ଦୀପ ବାତ୍ରା ଉପସ୍ଥିତ ଥିଲେ । ମୁମ୍ବାଇର ପରେଲ୍ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ୍‌ରେ ଆଇସିଆଇସିଆଇ ଏମ୍‌ଆର୍‌ଆଇ କେନ୍ଦ୍ରକୁ ଶ୍ରୀ ଚତୁର୍ବେଦୀ ଉଦ୍‌ଘାଟନ କରିଥିଲେ ।
ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଚତୁର୍ବେଦୀ କହିଛନ୍ତି ଯେ, “ଦେଶର ସେବା ପାଇଁ ଆଇସିଆଇସିଆଇ ବ୍ୟାଙ୍କର ଏକ ସୁଦୀର୍ଘ ପରମ୍ପରା ରହିଛି । ସେହି ଦର୍ଶନ ଅନୁସାରେ ଆଇସିଆଇସିଆଇ ଫାଉଣ୍ଡେସନ ପରିବେଶ ସଂରକ୍ଷଣ, ନିରନ୍ତର ଜୀବନଜୀବିକା ପାଇଁ ଦକ୍ଷତା ବିକାଶ, ସୁଲଭ ସ୍ୱାସ୍ଥ୍ୟ ସେବା ଓ ଗୋଷ୍ଠୀ ବିକାଶ ପ୍ରକଳ୍ପ ଜରିଆରେ ନାଗରିକମାନଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ନିରନ୍ତର ଭାବେ କାର୍ଯ୍ୟ କରୁଛି । ବିଗତ ବର୍ଷଗୁଡ଼ିକରେ ଆଇସିଆଇସିଆଇ ଫାଉଣ୍ଡେସନ ସାରା ଦେଶରେ ୨.୬ ନିୟୁତରୁ ଅଧିକ ବୃକ୍ଷରୋପଣ କରିଥିବା ବେଳେ ୫୦୦୦ ଗ୍ରାମୀଣ ସ୍କୁଲ ଓ ଜଳବିଭାଜିକା ଢାଂଚାରେ ବାର୍ଷିକ ୧୭.୧ ବିଲିଅନ ଜଳ ଅମଳ ଲାଗି କ୍ଷମତା ସୃଷ୍ଟି, ଗ୍ରାମୀଣ ସ୍କୁଲରେ ରୁଫଟପ୍ ସୋଲାର ପ୍ୟାନେଲ୍ ମୂତୟନ କରାଯାଇଛି ଏବଂ ଏହାର ଦକ୍ଷତା ଅଭିଯାନରେ ୨.୯ ନିୟୁତରୁ ଅଧିକ ଜୀବନ ଉପକୃତ ହୋଇଥିବା ବେଳେ ସେଥିରୁ ଅଧାରୁ ଅଧିକ ହେଉଛନ୍ତି ମହିଳା । ଏହାର ସାମାଜିକ ଅଭିଯାନ ଜରିଆରେ ୬.୫ ନିୟୁତରୁ ଅଧିକ ଲୋକ ଓ ସ୍ୱାସ୍ଥ୍ୟ ସେବା ଅଭିଯାନରେ ୧.୫ ନିୟୁତରୁ ଅଧିକ ଲୋକ ଲାଭବାନ ହୋଇଛନ୍ତି । ମୋଟ ଉପରେ ଆଇସିଆଇସିଆଇ ଫାଉଣ୍ଡେସନ ଏହାର ବିଭିନ୍ନ ଅଭିଯାନ ଜରିଆରେ ୧୦.୯ ନିୟୁତ ହିତାଧିକାରୀଙ୍କ ଜୀବନକୁ ସକାରାତ୍ମକ ଢଙ୍ଗରେ ପ୍ରଭାବିତ କରିପାରିଛି ।
୨୦୨୭ ସୁଦ୍ଧା ଟିଏମ୍‌ସିର ନଭି ମୁମ୍ବାଇ, ମୁଲାନପୁର ଓ ବିଶାଖାପାଟଣାମ୍‌ରେ ତିନିଟି କୋଟା ନିର୍ମାଣ କରିବା ଲାଗି ଆମେ ୧୨୦୦ କୋଟି ଟଙ୍କାର ପ୍ରତିବଦ୍ଧତା ପ୍ରଦାନ କରିଛୁ । ସ୍ୱାସ୍ଥ୍ୟ ସେବାର ପ୍ରସାର ପ୍ରତି ରହିଥିବା ଆମ ପ୍ରତିବଦ୍ଧତାର ଅଂଶ ସ୍ୱରୂପ, ଏହି ଅଭିଯାନ ରୋଗୀମାନଙ୍କ ପାଖରେ ଉନ୍ନତ ଓ ସଦ୍ୟତମ କ୍ୟାନସର ଚିକିତ୍ସା ପହଂଚାଇ ଆମ ଦେଶଣ ବିଭିନ୍ନ ଅଂଚଳରେ କ୍ୟାନସର ସେବାରେ ବ୍ୟାପକ ଉନ୍ନତି ଆଣିବ । ଏହି ନୂଆ କୋଠାଗୁଡ଼ିକ ଆଂଚଳିକ ରେଫରାଲ କେନ୍ଦ୍ର ଭାବେ କାର୍ଯ୍ୟ କରିବ ଏବଂ ମୁମ୍ବାଇର ପରେଲ୍‌ରେ ଥିବା ଟାଟା ମେମୋରିଆଲ ହସ୍ପିଟାଲ୍‌କୁ ଆସିବା ପାଇଁ ଦୂର ଯାତ୍ରା କରିବାର ଆବଶ୍ୟକତାକୁ ଦୂର କରିବ ।’’
ଟାଟା ମେମୋରିଆଲ ସେଂଟରର ନିର୍ଦେଶକ ଡକ୍ଟର ଆର୍ ଏ ବଡ୍‌ୱେ କହିଛନ୍ତି ଯେ, “ସାରା ଦେଶରେ କ୍ୟାନସର ରୋଗ ସେବାରେ ଉନ୍ନତି ଆଣିବା ଲାଗି ଅନ୍ୟତମ ସର୍ବବୃହତ ସିଏସ୍‌ଆର ଅଭିଯାନର ଶୁଭାରମ୍ଭ କରିଥିବାରୁ ଆଇସିଆଇସିଆଇ ଫାଉଣ୍ଡେସନ ନିକଟରେ ଆମେ କୃତଜ୍ଞ । ନଭି ମୁମ୍ବାଇ, ବିଶାଖାପାଟଣାମ୍ ଓ ମୁଲାନପୁରରେ ଟାଟା ମେମୋରିଆଲ ସେଂଟରରେ ଥିବା ତିନି ହସ୍ପିଟାଲ୍‌ରେ ଯୋଡ଼ାଯିବାକୁ ଥିବା ଭିତିଭୂମି ଅତି ସୁଲଭ ମୂଲ୍ୟରେ ଏହି ଅଂଚଳର ଲୋକମାନଙ୍କ ପାଖରେ ସମୟୋପଯୋଗୀ ଓ ଉଚ୍ଚ ମାନର ଚିକିତ୍ସା ପହଂଚାଇବ । ଉନ୍ନତ କ୍ୟାନସର ସେବାକୁ ଲୋକମାନଙ୍କ ଘର ପାଖରେ ପହଂଚାଇବା ଦରକାର ଯଦ୍ୱାରା ଏହି ଚିକିତ୍ସା ସୁବିଧା ପାଖରେ ପହଂଚି ଏହି ଅଂଚଳର ଅଧିକରୁ ଅଧିକ ଲୋକ ଉପକୃତ ହୋଇପାରିବେ ।’’

Share

Leave a Reply

Your email address will not be published. Required fields are marked *

six + 6 =