ଇତିହାସରେ ପ୍ରଥମ : ପେଟ୍ରୋଲ ଠାରୁ ଡିଜେଲ ମହଙ୍ଗା

ଭୁବନେଶ୍ୱର () ଇତିହାସରେ ପ୍ରଥମ । ପେଟ୍ରୋଲ ଠାରୁ ଡିଜେଲ ଦର ଅଧିକା । ତୈଳ କମ୍ପାନୀ ଉପରେ ନିୟନ୍ତ୍ରଣ ନରହିବା କିମ୍ବା ଭୁଲ ତୈଳ ନୀତି ଯୋଗୁଁ ଏଭଳି ଏକ ବିଚିତ୍ର ଓ ଅସ୍ୱାଭାବିକ ସ୍ଥିତି ଉପୁଜିଛି । ଆଜିର ଦିନରେ ପେଟ୍ରୋଲ ଲିଟର ପିଛା ଦର 80 ଟଙ୍କା 57 ପଇସା ଥିବା ବେଳେ ଡିଜେଲ ଦର 80 ଟଙ୍କା 69 ପଇସା ହୋଇଛି ।

କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିପାଇ 81 ଟଙ୍କା ଅତିକ୍ରମ କରିଥିବା ବେଳେ ଦୁଇଦିନ ତଳେ ଦର କିଛିଟା କମିଥିଲା । କିନ୍ତୁ ଅସ୍ୱାଭାବିକ ଭାବେ ଡିଜେଲ ଦର ପେଟ୍ରୋଲ ଠାରୁ ଅଧିକ ହୋଇଛି । ଚଳିତ ମାସ 16 ତାରିଖରେ ରେକର୍ଡ ସୃଷ୍ଟି କରିଥିଲା । ପେଟ୍ରୋଲ ଦର 81ଟଙ୍କା 65 ପଇସା ଥିବା ବେଳେ ଡିଜେଲ ଦର ଥିଲା 81 ଟଙ୍କା 23 ପଇସା । 17 ତାରିଖରେ ଦର ଅପରିବର୍ତ୍ତିତ ଥିଲା । 18 ତାରିଖରୁ ଦର ସାମାନ୍ୟ ହ୍ରାସ ପାଉଥିଲା । କାରଣ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର କମିଥିଲା ।

20 ତାରିଖରେ ପେଟ୍ରୋଲ ଦର 83 ପଇସା କମିଥିଲା, ଆଉ ଡିଜେଲ ଦର 35 ପଇସା ହ୍ରାସ ପାଇଥିଲା । ଫଳରେ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟରେ 12 ପଇସାର ପାର୍ଥକ୍ୟ । ବିଶେଷଜ୍ଞଙ୍କ ମତରେ ଅତୀତରେ ପେଟ୍ରୋଲ ଠାରୁ ଡିଜେଲ ଦର ମହଙ୍ଗା ହେବା କେବେ ଦେଖାଦେଇନଥିଲା । ମୂଳ ବେସ ପ୍ରାଇସ ଅଧିକ ରହିବା ଦ୍ୱାରା ଏଭଳି ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଛି ।

ରାଜ୍ୟରେ ଦୈନିକ 60 ଲକ୍ଷ ଲିଟର ଡିଜେଲ ବିକ୍ରି ହୋଇଥାଏ । ଡିଜେଲ ଦର ବୃଦ୍ଧି ଯୋଗୁ ଟ୍ରକ, ବସ ସହ ପରିବହନ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହେବ । ଏଥିସହ ଖଣି, ଶିଳ୍ପ, କୃଷି, ମୋବାଇଲ ଟାୱାର ଆଦି କ୍ଷେତ୍ରରେ ମଧ୍ୟ ଡିଜେଲର ବ୍ୟବହାର ହେଉଥିବାରୁ ଏସବୁ କ୍ଷେତ୍ର ବି କ୍ଷତିଗ୍ରସ୍ତ ହେବ ।

Share

Leave a Reply

Your email address will not be published. Required fields are marked *

12 + 15 =