‘ଉଲା ମଡେଲ’ ଅଧୀନରେ ୪୪ଟି ଗ୍ରାମରେ ସୋଲାର ପ୍ୟାନେଲ୍ ସ୍ଥାପନ ପାଇଁ ଆଦିତ୍ୟ ଆଲୁମିନିୟମ ଏବଂ ଟିପିଡବ୍ଲୁଓଡିଏଲ୍ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
ସମ୍ବଲପୁର, ଜୁନ୍ ୦୬, ୨୦୨୬: ସବୁଜ ଶକ୍ତି ଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ପ୍ରାଇଭେଟ୍ ଲିମିଟେଡର କାର୍ଯ୍ୟକ୍ଷମ କ୍ଷେତ୍ରର ଆଖପାଖରେ ଅବସ୍ଥିତ ଗ୍ରାମଗୁଡ଼ିକ ଘରର ଛାତ ଉପରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଅନ୍ତର୍ଗତ ଉଲା ମଡେଲ ଅଧୀନରେ ସୌର ପ୍ୟାନେଲ୍ ସ୍ଥାପନ କରିବା ପାଇଁ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର ହୋଇଅଛି ।
ଆଜି (ଶନିବାର) ସମ୍ବଲପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ପ୍ରସନ୍ନ ପାତ୍ର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ସମ୍ବଲପୁରଙ୍କ ଉପସ୍ଥିତିରେ ଆଦିତ୍ୟ ଆଲୁମିନିୟମର ୟୁନିଟ୍ ହେଡ୍ ଶ୍ରୀ ଜଗନ୍ନାଥ ନାୟକ ଏବଂ ଟିପିଡବ୍ଲୁଓଡିଏଲ୍ର ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମାଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ଆଦାନପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଲୁମିନିୟମର ସିପିପି ମୁଖ୍ୟ ଶ୍ରୀ ଗୁଲସନ ତିୱାରୀ, ଶ୍ରୀ ଜ୍ୟୋତି ମୁଦୁଲି, ଆଦିତ୍ୟ ଆଲୁମିନିୟମର ସିଏସ୍ଆର୍ ଟିମ୍ ସଦସ୍ୟ ଏବଂ ଟିପିଡବ୍ଲୁଓଡିଏଲ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ଏହି ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରର ଏକ ଅଂଶ ଭାବରେ, ଆଦିତ୍ୟ ଆଲୁମିନିୟମର ପ୍ଲାଣ୍ଟ ପରିଧିରେ ଅବସ୍ଥିତ ୬ଟି ଗ୍ରାମ ପଞ୍ଚାୟତର ୪୪ଟି ଗ୍ରାମକୁ କାର୍ଯ୍ୟକାରୀ କରିବା ପାଇଁ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଲୁଧାପାଲି ଏବଂ ଆରଆର କଲୋନୀ, ପୋଣ୍ଡଲୋଇ ଗ୍ରାମର ମୋଟ ୩୩୬ ଜଣ ଯୋଗ୍ୟ ଉପଭୋକ୍ତାଙ୍କ ଘରର ଛାତ ଉପରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଅନ୍ତର୍ଗତ ଟିପିଡବ୍ଲୁଓଡିଏଲର ୟୁଟିଲିଟି-ଲେଡ୍ ଏଗ୍ରିଗେସନ୍ (ଉଲା ମଡେଲ୍) ମାଧ୍ୟମରେ ସୌର ପ୍ୟାନେଲ୍ ସ୍ଥାପନ କରାଯିବ । ଏହି ସୌର ପ୍ୟାନେଲ୍ ଗୁଡ଼ିକ ସ୍ଥାପନ ଲାଗି ଆବଶ୍ୟକ ଅର୍ଥରାଶି ଆଦିତ୍ୟ ଆଲୁମିନିୟମର ସିଏସ୍ଆର୍ ପାଣ୍ଠିରୁ ସହାୟତା କରାଯିବ । ଯାହା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଗୁଡ଼ିକ ସ୍ୱଚ୍ଛ, ନିର୍ଭରଯୋଗ୍ୟ ଏବଂ ସୁଲଭ ସୌରଶକ୍ତି ଯୋଗାଇ ଦେଇପାରିବ । ଯାହା ଫଳରେ ସେମାନେ ଏକ ସବୁଜ ଭବିଷ୍ୟତ ଗଠନ କରିବା ସହିତ ସେମାନଙ୍କର ମାସିକ ବିଦ୍ୟୁତ୍ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିପାରିବେ।
ଏହି ଅବସରରେ ସମସ୍ତଙ୍କୁ ଉଦବୋଧନ ଦେଇ ଆଦିତ୍ୟ ଆଲୁମିନିୟମ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟ ପରିଚାଳକ ଶ୍ରୀ ଜଗନ୍ନାଥ ପ୍ରସାଦ ନାୟକ କହିଥିଲେ ଯେ “ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ଆଗାମୀ ଦିନରେ ଗ୍ରାମୀଣ କ୍ଷେତ୍ରରେ ଛାତଘରମାନଙ୍କରେ ସୌରଶକ୍ତିର ଉତ୍ପାଦନ, ଶୁଦ୍ଧଶକ୍ତି ଏବଂ ସ୍ଥାୟୀ ଶକ୍ତିର ବ୍ୟବହାର ଓ ଲୋକମାନଙ୍କର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବାରେ ସହଯୋଗ କରିବ” ।
ସେହିପରି ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରରେ ଖୁସି ବ୍ୟକ୍ତ କରି ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଛନ୍ତି ଯେ, “ଗ୍ରାମାଞ୍ଚଳର ପରିବାରମାନଙ୍କ ନିକଟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ଆଦିତ୍ୟ ଆଲୁମିନିୟମ ସହ ଭାଗୀଦାରୀ କରି ଆମେ ଆନନ୍ଦିତ । ଏହି ସହଯୋଗ ସ୍ଥାୟୀ ବିକାଶ ଏବଂ ସାମାଜିକ ଅନ୍ତର୍ଭୁକ୍ତି ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହା ମାଧ୍ୟମରେ ଯୋଗ୍ୟ ପରିବାରମାନେ ବିଦ୍ୟୁତ ବିଲ୍ ଖର୍ଚ୍ଚ କମାଇ ପାରିବେ ଏବଂ ସ୍ୱଚ୍ଛ ଶକ୍ତିର ଦୀର୍ଘମିଆଦି ଲାଭ ଉପଭୋଗ କରିପାରିବେ । ଏହି ମହତ୍ ପଦକ୍ଷେପ ପାଇଁ ଆଦିତ୍ୟ ଆଲୁମିନିୟମକୁ ଆମେ ଆନ୍ତରିକ ଧନ୍ୟବାଦ ଜଣାଉଛୁ।”
ଅନ୍ୟପଟେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଶ୍ରୀ ପ୍ରସନ୍ନ ପାତ୍ର କହିଛନ୍ତି, “ଏହା ଏକ ପ୍ରଶଂସନୀୟ ପଦକ୍ଷେପ, ଯାହା ଗ୍ରାମାଞ୍ଚଳ ପରିବାରକୁ ସିଧାସଳଖ ନବୀକରଣ ଯୋଗ୍ୟ ଶକ୍ତିର ଲାଭ ପହଞ୍ଚାଇବ। ଅବଶିଷ୍ଟ ଚିହ୍ନଟ ଗ୍ରାମଗୁଡ଼ିକୁ ପର୍ଯ୍ୟାୟକ୍ରମେ ଅନ୍ତର୍ଭୁକ୍ତ କରାଯିବ। ମୁଁ ନିଶ୍ଚିତ ଯେ ଆଗାମୀ ଦିନଗୁଡ଼ିକରେ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୩୦୦ରୁ ୩,୦୦୦ପରିବାରକୁ ବୃଦ୍ଧି ପାଇବ।”

