Uncategorized

ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲା ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି

ଭୁବନେଶ୍ୱର, ୨୫/୧୧/୨୦୨୫: ତୃତୀୟ ହକି ଇଣ୍ଡିଆ କନିଷ୍ଠ ମହିଳା ଏକାଡେମି ଚାମ୍ପିଅନସିପ୍ ରେ ପୁଣିଥରେ ଜାତୀୟସ୍ତରରେ ପ୍ରତିଭା ଦେଖାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ମହିଳା ଟିମ୍‌। ହରିୟାଣାର କର୍ଣ୍ଣାଲଠାରେ ଚାଲିଥିବା ଚାମ୍ପିୟନସିପରେ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଂଟର (ଓଏନ୍‌ଟିଏଚ୍‌ଏଚ୍‌ପିସି)ର ମହିଳା ଟିମ୍ କୁ ସ୍ୱର୍ଣ୍ଣ ପଦକ ମିଳିଛି। ଗ୍ରାଣ୍ଡ୍ ଫିନାଲେରେ ରାଉଣ୍ଡ୍‌ଗ୍ଲାସ୍ ପଞ୍ଜାବ ହକି ଏକାଡେମିକୁ ୨-୦ରେ ପରାସ୍ତ କରି ଓଏନ୍‌ଟିଏଚ୍‌ଏଚ୍‌ପିସି ଟିମ୍ ଚମତ୍କାର ଢଙ୍ଗରେ ଟୁର୍ଣ୍ଣାମେଂଟ୍ ସୁଇପ କରିଛି।

ଟୁର୍ଣ୍ଣାମେଂଟ୍‌ରେ ଓଏନ୍‌ଟିଏଚ୍‌ଏଚ୍‌ପିସି ଟିମ୍ ଉନ୍ନତ ଖେଳ ପ୍ରଦର୍ଶନ ସହ ଶୃଙ୍ଖଳା ରକ୍ଷା ଓ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ସଫଳତା ଅର୍ଜନ କରିଛି।
ଗ୍ରୁପ୍ ସ୍ତରରୁ ହିଁ ଟିମ୍ ଏହାର ଚମତ୍କାର ପ୍ରଦର୍ଶନ ଆରମ୍ଭ କରିଥିଲା। ଗ୍ରୁପ୍ ସ୍ତରରେ ଏହା ସ୍ପୋର୍ଟସ୍ ଅଥରିଟି ଅଫ୍ ଗୁଜରାଟ ହକି ଏକାଡେମିକୁ ୩-୦ରେ ଏବଂ ମୁମ୍ବାଇ ସ୍କୁଲ ସ୍ପୋର୍ଟସ୍ ଆସୋସିଏସନ୍‌କୁ ୯-୦ରେ ପରାସ୍ତ କରିଥିଲା। ସେମି ଫାଇନାଲ୍‌ରେ ମଧ୍ୟ ସେମାନେ ସେହି ଧାରା ବଜାୟ ରଖି ଜୟ ଭାରତ ହକି ଏକାଡେମିକୁ ୪-୦ରେ ପରାସ୍ତ କରିଥିଲେ। ଫାଇନାଲ୍‌ରେ ମଧ୍ୟ ଓଏନ୍‌ଟିଏଚ୍‌ଏଚ୍‌ପିସି ଟିମ୍ ଧୈର୍ଯ୍ୟର ସହ ମ୍‌ଯାଚ ଖେଳି ଚାମ୍ପିୟନ ହୋଇଛି।

ଷ୍ଟାର ମିଡ୍‌ଫିଲ୍‌ଡର୍ ପ୍ରଜ୍ଞା ପଟେଲ୍ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଗ୍ରାଣ୍ଡ୍ ଫିନାଲେରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି। ପୁରା ମ୍ଯାଚରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା।

ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଏହି କ୍ରୀଡ଼ାବିତମାନଙ୍କର ସଫଳତା ହିଁ ଭବିଷ୍ୟତର ହକି ଚାମ୍ପିଅନ ପ୍ରସ୍ତୁତ କରିବା ଦିଗରେ ଓଏନ୍‌ଟିଏଚ୍‌ଏଚ୍‌ପିସିର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ଖେଳାଳି, ପ୍ରଶିକ୍ଷକ ଓ ସମଗ୍ର ହାଇ ପରଫର୍ମାନ୍ସ ଟିମ୍‌ର କଠିନ ପରିଶ୍ରମକୁ ପ୍ରତିଫଳିତ କରୁଛି।

ଏହି ଉଲ୍ଲେଖନୀୟ ସଫଳତା ପାଇଁ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସି ପକ୍ଷରୁ ଟିମ୍‌କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିବା ବେଳେ ସମସ୍ତ ପ୍ରଶିକ୍ଷକ, ସହାୟକ ଓ ସହଯୋଗୀଙ୍କ ପ୍ରୟାସକୁ ପ୍ରଶଂସା କରାଯାଇଛି।

ଓଡ଼ିଶା ନାଭାଲ ଟାଟା ହକି ଏଚପିସି ନିକଟରେ ଅନେକ ସଫଳତା ହାସଲ କରିଛି। ୧୪ ବର୍ଷରୁ କମ୍ ଗ୍ରାସରୁଟ୍ ବାଳକ ଟିମ୍ ୩୫ତମ କେ ଡି ସିଂହ ବାବୁ ହକି ଟୁର୍ଣ୍ଣାମେଣ୍ଟ ବିଜେତା ହୋଇଥିବା ବେଳେ ୯ତମ ଏସଏନବିପି ଅଲ୍ ଇଣ୍ଡିଆ ହକି ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ହାସଲ କରିଛି। ସେହିପରି
ଜୁନିଅର ମହିଳା ଟିମ୍ ଏଚଏଓ ରାଜ୍ୟ ହକି ଚ୍ୟାମ୍ପିୟନସିପ୍‌ ବିଜେତା ହୋଇଛନ୍ତି ଏବଂ ଜୁନିଅର ପୁରୁଷ ଦଳ ରାଜ୍ୟ ଚାମ୍ପିୟନସିପରେ ତୃତୀୟ ସ୍ଥାନରେ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

1 + 2 =