Friday, October 30, 2026
Latestରାଜନୀତିରାଜ୍ୟ

ଜାଣନ୍ତୁ କେବେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ୨୦୨୨ ମାର୍ଚ୍ଚରେ ପଞ୍ଚାୟତ ନିର୍ବାଚନ ହେବା ପ୍ରାୟତଃ ନିଶ୍ଚିତ ବୋଲି ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଇତିମଧ୍ୟରେ ପଞ୍ଚାୟତ ସୀମା ପୁନଃ ନିର୍ଦ୍ଧାରଣ କାମ ଶେଷ ହୋଇଛି। ଆଗାମୀ ୬ ମାସ ମଧ୍ୟରେ ପଞ୍ଚାୟତ ନିର୍ବାଚନ କରାଇବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପୂର୍ବରୁ ସରକାର ଚିଠି ଲେଖିଥିଲେ। ଏବେ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପୁନର୍ବାର ରିପୋର୍ଟ ପ୍ରଦାନ କରାଯିବ। ଏହାପରେ ଆୟୋଗଙ୍କ ପକ୍ଷରୁ ଯେବେ ଦିନ ଧାର‌୍ୟ୍ୟ ହେବ ସେହି ଅନୁସାରେ ନିର୍ବାଚନ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।ସେ କହିଛନ୍ତି ଯେ ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି। ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ଜୁନ୍ କିମ୍ବା ଜୁଲାଇରେ ପୌର ନିର୍ବାଚନ ହୋଇପାରେ। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ପ୍ରକ୍ରିୟା ଚୂଡାନ୍ତ ହୋଇସାରିଛି। କେବଳ ନିର୍ବାଚନ ଆୟୋଗ ତାଙ୍କର ଦିନ ଧାର‌୍ୟ୍ୟ କଲେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି। ନିୟମ ଅନୁଯାୟୀ ନିର୍ବାଚନର ୪୫ଦିନ ପୂର୍ବରୁ ଆଚରଣ ବିଧି ଲାଗୁ ହେବ। ପଞ୍ଚାୟତ ନିର୍ବାଚନ ଯଦି ମାର୍ଚ୍ଚ ସୁଦ୍ଧା ହୁଏ, ତେବେ ୨୦୨୨ ଜାନୁଆରୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବ ବୋଲି ମନ୍ତ୍ରୀଙ୍କ ତଥ୍ୟରୁ ଜଣାଯାଇଛି।

Share

Leave a Reply

Your email address will not be published. Required fields are marked *

18 − 13 =