ପୁଞ୍ଜିନିବେଶ ପାଇଁ ଓଡିଶା ପ୍ରଥମ ପସନ୍ଦ

ଭୁବନେଶ୍ୱର () ରାଜ୍ୟ ସରକାରଙ୍କ ଶିଳ୍ପ ଅଭିମୁଖୀ କାର୍ଯ୍ୟକ୍ରମକୁ ମିଳିଛି ବିରାଟ ସଫଳତା । ପୁଂଜିନିବେଶ ପାଇଁ ଓଡିଶା ଏବେ ପୁଂଜିପତିଙ୍କର ପ୍ରଥମ ଚଏସ ହୋଇଛି । ଶିଳ୍ପାୟନକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାରଙ୍କ ଅଭିନବ ସିଙ୍ଗଲ ଓିଣ୍ଡୋ ବ୍ୟବସ୍ଥା “ଗୋ ସ୍ୱିଫଟ” ପୋର୍ଟାଲକୁ ଦୁଇ ବର୍ଷ ପୁରି ନଥିବା ବେଳେ ଏକ ହଜାର ଶିଳ୍ପ ପ୍ରସ୍ତାବ ଆସିଛି ।

ମୁମ୍ବାଇର ଏକ ଶିଳ୍ପାନୁଷ୍ଠାରୁ ଆସିଥିବା ଏକ ପ୍ରସ୍ତାବ ସହ ହଜାରେ ଅଙ୍କ ଛୁଇଁଛି ଗୋ ସ୍ୱିଫଟ । ମୁମ୍ବାଇର ଏକ ରସାୟନିକ କମ୍ପାନୀ ଓଡିଶାରେ ପୁଂଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ଏହି କମ୍ପାନୀ ପାଣି ବିଶୋଧନ ପାଇଁ ଓଡିଶାରେ ଏକ ୟୁନିଟ ଖୋଲିବାକୁ ଇଚ୍ଛା ପ୍ରକାଶ କରିଛି । ଏହାଦ୍ୱାରା ବାର୍ଷି ୭୨ ହଜାର କ୍ୱିବିକ ମିଟର କ୍ଷମତା ସମ୍ପନ୍ନ ଜଳ ବିଶୋଧନ କେମିକାଲ ଉତ୍ପାଦନ ୟୁନିଟ ସ୍ଥାପନ କରିବ । ଏଥିପାଇଁ ୧୬୨ କୋଟି ଟଙ୍କାର ପୁଂଜିନିବେଶ ପ୍ରସ୍ତାବ ଆସିଛି । ଏହାଦ୍ୱାରା ୧୨୫ ଜଣ ଲୋକଙ୍କୁ ପ୍ରତକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବ ।

ଗୋ ସ୍ୱିଫଟ ୨୦୧୭ ନଭେମ୍ବର ମାସରେ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋର୍ଟାଲର ଶୁଭାରମ୍ଭ କରିଥିଲେ । ୨୨ ମାସ ମଧ୍ୟରେ ଏକ ହଜାର ଶିଳ୍ପ ପ୍ରସ୍ତାବ ଏହି ପୋର୍ଟାଲ ଜରିଆରେ ଆସିଛି । ଏହା ରାଜ୍ୟ ସରକାରଙ୍କ ଶିଳ୍ପାୟନ ବିକାଶ ଆଭିମୁଖ୍ୟକୁ ଏକ ବିରାଟ ସଫଳତା ବୋଲି ଦାବି କରିଛନ୍ତି ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ରାଜ୍ୟ ସରକାର ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ସବୁ ପ୍ରକାର ଚେଷ୍ଟା କରିବେ । ଏପରିକି ବାସ୍ତବ କ୍ଷେତ୍ରରେ ମଧ୍ୟ ଶିଳ୍ପାନୁଷ୍ଠାନଗୁଡିକ କିଭଳି ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ଆରମ୍ଭ କରିବେ ସେନେଇ ମଧ୍ୟ ପ୍ରୋତ୍ସାହନ ଦିଆଯିବ ବୋଲି ସେ କହିଛନ୍ତି ।

ଗୋ ସ୍ୱିଫଟ ପୋର୍ଟାଲ ଜରିଆରେ ଆସିଥିବା ପ୍ରସ୍ତାବ ମଧ୍ୟରୁ ରାଜ୍ୟ ସ୍ତରୀୟ ସିଙ୍ଗଲ ଓିଣ୍ଡୋ କ୍ଲିଅରାନ୍ସ ଅଥୋରିଟି ଓ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥୋରିଟି ବୈଠକରେ ଅନୁମୋଦିତ ହୋଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଇଣ୍ଡିଆନ ଅଏଲ କର୍ପୋରେନ, ହଳଦିଆ ପେଟ୍ରୋକେମିକାଲ, ଆଦିତ୍ୟ ବିର୍ଲା ଫେସନ, ମନପସନ୍ଦ ବିଭେରେଜ, ଆଇଟିସି ଫୁଡ, ଅପାର ଇଣ୍ଡଷ୍ଟ୍ରିଜ, ବେଦାନ୍ତ, ଜେଏସଡବ୍ଲୁ ସିମେଣ୍ଟ, ଗୋକୁଳ ଆଗ୍ରୋ ଓ ଜିନ୍ଦଲ ଆଲୁମିନିୟମ । ଉଲ୍ଲେଖନୀୟ ଭାବେ ଗୋ ସ୍ୱିଫଟ ପୋର୍ଟାଲରେ ଟାଟା ଷ୍ଟିଲ ପକ୍ଷରୁ ଆସିଥିବା ୯୨ କୋଟି ଟଙ୍କାର ପ୍ରକଳ୍ପକୁ ରେକର୍ଡ ସମୟ ୪ ଦିନ ମଧ୍ୟରେ ମଂଜୁରୀ ମିଳିଛି ।

ଆଇଓସିଏଲ ପକ୍ଷରୁ ବାଲେଶ୍ୱରରେ ଏକ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ନିର୍ମାଣ ପାଇଁ ୭୮ ହଜାର କୋଟି ଟଙ୍କାର ପୁଂଜି ନିବେଶ କରିବ । ଗୋ ସ୍ୱିଫଟ ପୋର୍ଟାଲରେ ଆସିଥିବା ଏହି ପ୍ରସ୍ତାବକୁ ସରକାର ମଂଜୁରୀ ଦେଇଛନ୍ତି । ଏହି ପୋର୍ଟାଲରେ ଶିଳ୍ପାନୁଷ୍ଠାନଗୁଡିକ ରାଜ୍ୟ ସରକାରଙ୍କ ଠାରୁ ପାଇବାକୁ ଥିବା ସମସ୍ତ ପ୍ରୋତ୍ସାହନ ଏବଂ ବାରମ୍ବାର ବିଭିନ୍ନ କାର୍ଯ୍ୟାଳୟକୁ ନ ଦଉଡି କିଭଳି ମଂଜୁରୀ ପାଇବେ ସେନେଇ ସବୁ ପ୍ରକାର ତଥ୍ୟ ଦିଆଯାଇଛି । ଏହି ପୋର୍ଟାଲରେ ପ୍ରକଳ୍ପ ପ୍ରସ୍ତାବ ଦାଖଲ ଠାରୁ ଆରମ୍ଭ କରି ପ୍ରସ୍ତାବ ଅନୁମୋଦନ ସମ୍ପର୍କିତ ସମସ୍ତ ତଥ୍ୟ ରହିଛି । ଏଥିସହିତ ପୁଂଜିନିବେଶକାରୀଙ୍କୁ ଏସଏମଏସ ଜରିଆରେ ମଧ୍ୟ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

1 × five =