ପ୍ରଥମ ରୋଗୀକୁ ବର୍ଷେ, ମନେ ପଡୁଛି କରୋନା ସଂଗ୍ରାମରେ ନବୀନଙ୍କ ରଣନୀତି

ଭୁବନେଶ୍ବର: ମହାମାରୀର ହୃଦୟ ବିଦାରକ ବିଭୀଷିକା କୁ ପୁରିଛି ୧ବର୍ଷ । ଆଜିର ଦିନରେ ରାଜ୍ୟରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ । ୧୫ ମାର୍ଚ୍ଚ ୨୦୨୦ ଇଟାଲୀରୁ ଫେରିଥିବା ଜଣେ ଯୁବକଙ୍କ ଠାରେ ରାଜଧାନୀରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା ।କ୍ୟାପିଟାଲ ହସପିଟାଲରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା ।

ତେବେ ରାଜ୍ୟରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହେବା ପୂର୍ବରୁ ନବୀନ ସରକାର ମହାମାରୀର ଭୟାବହତା ଅନୁମାନ କରି ଏକାଧିକ ସତର୍କତାମୂଳକ ପଦକ୍ଷେପ ନେଇଥିଲେ । ଗତବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ କୋରୋନା ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ରାଜ୍ୟ ସରକାର । ମାର୍ଚ୍ଚ ୧୩ ତାରିଖରେ କୋଭିଡକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ ସରକାର । ମାର୍ଚ୍ଚ ୨୧ରୁ ଘୋଷଣା ହୋଇଥିଲା ସଟଡାଉନ୍ । କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରାକ୍ ସକ୍ରିୟତା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଥିଲା ।

କେନ୍ଦ୍ର ଓ ଅନ୍ୟ ରାଜ୍ୟ ସରକାରମାନେ ଓଡିଶା ସରକାରଙ୍କ ପଦାଙ୍କ ଅନୁସରଣ କରି ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ନେଇଥିଲେ । ମହାମାରୀ ବିରୋଧୀ ଲଢେଇ ପାଇଁ ତୃଣମୂଳସ୍ତରରୁ ହିଁ ବିଭିନ୍ନ ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଥିଲା । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସଂପନ୍ନ ଦୃଢ ଓ ସଠିକ ପଦକ୍ଷେପ ଯୋଗୁଁ ହିଁ ଓଡିଶାରେ କୋରାନା ମହାମାରୀକୁ ସଫଳତାର ସହ ନିୟନ୍ତ୍ରଣ କରାଯାଇପାରିଛି ।ତଥାପି ରାଜ୍ୟରୁ କୋରୋନା ଭୟ ସଂପୂର୍ଣ୍ଣ ଦୂର ହୋଇନାହିଁ । ଦ୍ୱିତୀୟ ପର୍ଯ୍ୟାୟ ଆଶଙ୍କା ଥିବାରୁ ରାଜ୍ୟବାସୀଙ୍କୁ ସତର୍କ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ନିୟମ ମାନି ଚଳିଲେ ଲକଡାଉନ ଭଳି ସ୍ଥିତିର ସାମନା କରିବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 + 5 =