ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ୍‌ ବିଭ୍ରାଟକୁ ୬ ମାସ ବିତିଲା

ମହାମହିମ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ମେ’ ମାସରେ ପ୍ରଥମ ମୟୂରଭଞ୍ଜ ଗସ୍ତରେ ଆସି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ତେବେ ଠିକ୍‌ ମହାମହିମ୍‌ଙ୍କ ଭାଷଣ ସମୟରେ ହିଁ ଅଡିଟୋରିୟମ୍‌ରେ ଲାଇନ୍‌ ଚାଲି ଯାଇଥିଲା। ପ୍ରାୟ ୯ ମିନିଟ୍‌ ଧରି ଘନ ଅନ୍ଧାର ଭିତରେ ନିଜ ଭାଷଣ ଜାରି ରଖିଥିଲେ ରାଷ୍ଟ୍ରପତି।

ଏହି ବିଦ୍ୟୁତ୍‌ ବିଭ୍ରାଟ ଘଟଣା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି) ଏହି ଘଟଣାର ତଦନ୍ତ କରିଥିଲେ। ‌ଘଟଣାର ଗମ୍ଭୀରତାକୁ ଅନୁଭବ କରି କୁଳପତି ଓ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଥିଲେ ତତ୍କାଳୀନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌। କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ରାଜ୍ୟପାଳଙ୍କୁ ନିଜ ରିପୋର୍ଟ ଦେଇଥିବା ଗଣମାଧ୍ୟମ ଆଗରେ କହିଥିଲେ। ହେଲେ ମୁଖ୍ୟ ଶାସନ ସଚିବ ରିପୋର୍ଟ ‌ଦେଲେ କି ନାହିଁ ତାହା ଜଣା ପଡ଼ିଲା ନାହିଁ। ତେବେ ତଦନ୍ତ ରିପୋର୍ଟରେ ଏମିତି କଣ ରହିଥିଲା କେଜାଣି, ଘଟଣାର ୬ ମାସ ପରେ ବି ଏହି ବିଭ୍ରାଟ ପ‌ାଇଁ କାହାରିକୁ ଉତ୍ତରଦାୟୀ କରାଗଲାନି କି କାର୍ଯ୍ୟାନୁଷ୍ଠାନ ହେଲାନାହିଁ।

ଅନ୍ୟପକ୍ଷରେ ୬ ମାସ ପରେ ପୁଣି ଥରେ ମହାମହିମ୍‌ ରାଷ୍ଟ୍ରପତି ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ଏଥର ବି ବାରିପଦାରେ ତାଙ୍କର କାର୍ଯ୍ୟକ୍ରମ ରହିଛି। ତେବେ ସହିଦ ସ୍ମୃତି ଭବନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯେମିତି ଯେମିତି କିଛି ତ୍ରୁଟି ବିଚ୍ୟୁତି ନହୁଏ ସେଥିପାଇଁ ଦିନରାତି ଏକ୍‌ କରି ଦେଇଛି ପ୍ରଶାସନ।

Share

Leave a Reply

Your email address will not be published. Required fields are marked *

19 + fourteen =