ରାମ ନବମୀରେ ଜାଣନ୍ତୁ ‘ରାମନାମ’ର ପ୍ରକୃତ ଅର୍ଥ…

ଭୁବନେଶ୍ବର: ଆଜି ପବିତ୍ର ରାମ ନବମୀ । ଚୈତ୍ରମାସ ଶୁକ୍ଳ ନବମୀ ତିଥି ଶ୍ରୀରାମଙ୍କର ଜନ୍ମ ଦିବସ ରୂପେ ସାରା ଭାରତର ହିନ୍ଦୁମାନଙ୍କ ଦ୍ୱାରା ନିଷ୍ଠାର ସହିତ ପାଳିତ ହୋଇ ଆସୁଅଛି । ଜନ୍ମାଷ୍ଟମୀ ଓ ହରିଜନ୍ମ ପରି ଏହା ଏକ ସର୍ବଭାରତୀୟ ହିନ୍ଦୁ ପର୍ବ; ତେଣୁ ଏହାର ପାଳନ ପରିସର କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ ବା ନିର୍ଦ୍ଦିଷ୍ଟ ଭାଷାଭାଷୀ ଲୋକଙ୍କ ମଧ୍ୟରେ ସୀମିତ ନୁହେଁ; ବରଂ ବ୍ୟାପକ ପ୍ରଚାର ପ୍ରସାର ଫଳରେ ପୃଥିବାର ବିଭିନ୍ନ ସ୍ଥାନରେ ଏହା ଆଜିକାଲି ପାଳିତ ହେଉଥିବାର ପରିଲକ୍ଷିତ ହୁଏ ।

ରାମାୟଣରୁ ଜଣାଯାଏ ଚୈତ୍ର ଶୁକ୍ଳ ନବମୀ ଦିନ କର୍କଟ ଲଗ୍ନରେ ପୁନର୍ବସୁ ନକ୍ଷତ୍ର ସମୟେ ପଞ୍ଚଗ୍ରହ ଉଚ୍ଚ ସ୍ଥାନରେ ଓ ସୂର୍ଯ୍ୟ ମେଷ ରାଶି ଉପରେ(ମଧ୍ୟାହ୍ନ ସମୟରେ) ଥିବାବେଳେ ପରମାତ୍ମା ରାମ ଆବିର୍ଭୂତ ହୋଇଥିଲେ । ଏହି ସମୟରେ ଆକାଶରୁ ଦିବ୍ୟପୁଷ୍ପ ବର୍ଷଣ ହୋଇଥିଲା । “ମଧୁମାସେ ସିତେ ପକ୍ଷେ ନବମ୍ୟାଂ କର୍କଟେ ଶୁଭେ, ପୁନର୍ବସ୍ୱକ୍ଷ ସହିତେ ଉଚ୍ଚସ୍ଥେ ଗ୍ରହ ପଞ୍ଚକେ, ମେଷଂ ପୃଷଜ- ସଂପ୍ରାପ୍ତେ ପୁଷ୍ପ ବୃଷ୍ଟି ସମାକୁଳେ, ଆର୍ବିରାସୀଦ୍ ଜଗନ୍ନାଥଃ ପରମାତ୍ମା ସନାତନଃ” । ‘ରାମନାମ’ ବହୁ ପଣ୍ଡିତଙ୍କ ନିକଟରେ ବହୁ ଅର୍ଥବାଚକ । ବଶିଷ୍ଠ ଦଶରଥ ନନ୍ଦନଙ୍କୁ ଉଭୟ ‘ବିଷ୍ଣୁ’ ଓ ‘ଶିବ’ଙ୍କ ପ୍ରତୀକ ରୂପେ କଳ୍ପନା କରି ‘ରାମ’ ନାମ ଦେଇଥିଲେ । ‘ରାମ’- ‘ରା’ ଅର୍ଥ ଓଁ ନମୋ ନାରାୟଣାୟ ଓଁ ‘ମ’ ର ଅର୍ଥ ଓଁ ନମୋ ଶିବାୟ । ଏଣୁ ରାମ ଉଭୟ ହରିହରାତ୍ମକ । ରାମାୟଣରୁ ଜଣାଯାଏ ବିଜ୍ଞାନ ଦ୍ୱାରା ଅଜ୍ଞାନ ନାଶ ହେବା ପରେ ମୁନିମାନେ ଯାହାକୁ ରମଣ କରନ୍ତି ଅଥବା ଯେ ନିଜର ସୌନ୍ଦର୍ଯ୍ୟ ଦ୍ୱାରା ଭକ୍ତଜନ ଚିତ୍ତକୁ ଆନନ୍ଦମୟ କରେ ସେ ରାମ ।ରାମନାମର ମହତ୍ତ୍ୱ ଭାଷାରେ ଅପ୍ରକାଶ୍ୟ । ମାତା ପାର୍ବତୀ ଥରେ ଶିବଙ୍କୁ ପଚାରିଲେ, ‘କୃଷ୍ଣ’ଙ୍କ ସହସ୍ର ନାମ ବିଜ୍ଞ ଲୋକମାନେ କିପରି ଆୟତ୍ତ କରିପାରିବେ? ଶିବ ଉତ୍ତର ଦେଇ କହିଲେ, “ହେ ବରାନନେ ଅତି ସହଜ ଓ ସରଳ ମନ୍ତ୍ର ହେଉଛି ‘ରାମନାମ’ ଉଚ୍ଚାରଣ ।” “ରାମ ରାମେତି ରାମେତି ରାମେ ରାମେ ମନରମେ, ସହସ୍ର ନାମ ସଂତୁଲ୍ୟଂ ରାମନାମ ବରାନନେ!”

ତୁଳସୀ ରାମାୟଣରେ ରାମନାମର ମହତ୍ତ୍ୱ ବହୁ ପଦରେ ସନ୍ଥ କବିଙ୍କ ଅପୂର୍ବ ଲେଖନୀରେ ରୂପାୟିତ । “ଶୁଭାଶୁଭ କର୍ମ ଭସ୍ମ କାରକ ‘ର’ କାର, ‘ଆ’ କାର ଭାନୁ ଯେ ନାଶେ ମୋହ ଅନ୍ଧକାର, ‘ମ’ କାରଟି ହିମକର ମାୟାତାପ ନାଶେ, ଏତିକି ବର୍ଣ୍ଣ ‘ରାମ’ ପଦରେ ବିକାଶେ ।” ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନରେ ରାମନାମର ମହତ୍ତ୍ୱ ସମସ୍ତଙ୍କୁ ଜଣା । ପିଲାଦିନେ ସେ ଭୂତ ପ୍ରେତଙ୍କୁ ଭୟ କରୁଥିଲେ । ତାଙ୍କ ନର୍ସ ରମ୍ଭା ତାଙ୍କୁ କହୁଥିଲେ, ‘ଭୂତପ୍ରେତ କିଛି ନାହିଁ । ଯଦି ଡରୁଛ ରାମନାମ ବାରମ୍ବାର କୁହ ।’ ଏଣୁ ପିଲାଦିନର ଏହି ରାମନାମ ତାଙ୍କ ଜୀବନ ଦୀପ ଲିଭିବା ପର୍ଯ୍ୟନ୍ତ ମଧ୍ୟ ତାଙ୍କ କାୟା ଭିତରେ ସବୁଆଡ଼େ ଚେରମୂଳ ବିସ୍ତାର କରିରହିଥିଲା । ୧୯୪୮ ଜାନୁୟାରୀ ୩୦ ତାରିଖର ସେହି ଶୋକାବହ ଘଟଣାରେ ମଧ୍ୟ ତାଙ୍କ ମୁଖରୁ ବାହାରିଛି, ‘ହେ ରାମ’ ।

ସକଳ ଦୃଷ୍ଟିରୁ ମର୍ଯ୍ୟାଦାବନ୍ତ ଏବଂ ସକଳ ପରିସ୍ଥିତିରେ ନିଜ ମର୍ଯ୍ୟାଦା ଧାରଣ କରି ତାହାକୁ ପ୍ରତିଷ୍ଠିତ କରିଥିବାରୁ ସେ ଯଥାର୍ଥରେ ମର୍ଯ୍ୟାଦା ପୁରୁଷୋତ୍ତମ । ରାମ ଥିଲେ ସକଳ ଆଦର୍ଶର ଅକ୍ଷୟ ମାନଦଣ୍ଡ । ସେଥିପାଇଁ ଆଜି ବି ଜନସାଧାରଣ ରାମଙ୍କ ପରି ପୁତ୍ର, ସୀତାଙ୍କ ପରି ପତ୍ନୀ, ଲକ୍ଷ୍ମଣ, ଭରତଙ୍କ ପରି ଭ୍ରାତା କାମନା କରିଥାନ୍ତି ।ଶ୍ରୀରାମ ନବମୀ ବ୍ରତ ବିଭିନ୍ନ ସ୍ଥାନରେ ଯଥାବିଧି ମର୍ଯ୍ୟାଦାର ସହିତ ପାଳିତ ହୋଇଆସୁଅଛି ।ଏହିଦିନ ବ୍ରତଧାରୀମାନେ ନିଜ ନିଜର ଘର ଅଗଣାକୁ ଧୋଇ ପରିଷ୍କାର କରି ପତ୍ର ପୁଷ୍ପରେ ସୁସଜ୍ଜିତ କରିଥାନ୍ତି ଓ ଶ୍ରୀରାମଙ୍କ ପୂଜା ସମାପ୍ତ ନହେବା ପର୍ଯ୍ୟନ୍ତ ଉପବାସ ବ୍ରତ ପାଳନ କରିଥାନ୍ତି । ଅଶୋକପୁଷ୍ପ, ତୁଳସୀ, କୁଶ, ଘୃତ ପକ୍ୱ ଦ୍ରବ୍ୟ ଓ ବିଭିନ୍ନ ସୁସ୍ୱାଦୁ ଫଳମୂଳ ଦ୍ୱାରା ଶ୍ରୀରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ ।

ଶ୍ରୀରାମଙ୍କ ବିଗ୍ରହ ପୂଜା ପାଉଥିବା ରଘୁନାଥ ମନ୍ଦିରମାନଙ୍କରେ ବିଶେଷ ଆଡ଼ମ୍ବର ସହିତ ଶ୍ରୀରାମଙ୍କର ଏହି ଜନ୍ମୋତ୍ସବ ପାଳିତ ହୋଇଥାଏ । ସ୍ଥାନେ ସ୍ଥାନେ ଶ୍ରୀରାମ ନବମୀରେ ରାମଜନ୍ମ ଲୀଳା ସମ୍ବଳିତ ଯାତ୍ରା, ପାଲା, ନୃତ୍ୟ, ସଙ୍ଗୀତ, ଅଭିନୟ ଆଦି ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ବ୍ୟବସାୟ ସଂସ୍ଥା ଶ୍ରୀରାମ ନବମୀ ଦିନ ନୂତନ ଖାତା ପ୍ରଚଳନ କରିଥାନ୍ତି । ଶ୍ରୀରାମ ନବମୀ ଉପଲକ୍ଷେ ପୁରୀର ଶ୍ରୀଜଗନ୍ନାଥ ରଘୁନାଥ ବେଶ ଧାରଣ କରିଥାନ୍ତି । ଶ୍ରୀରାମ କୌଣସି ନିର୍ଦ୍ଦିଷ୍ଟ ଉତ୍ସବ ମଧ୍ୟରେ ସୀମିତ ନାହଁନ୍ତି । ସେ ଏକ ବିଶିଷ୍ଟ ସଂସ୍କୃତିରେ ରୂପାୟିତ ହୋଇଅଛନ୍ତି । ଜାତି, ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ଯେଉଁ ସୁମହାନ ସଭ୍ୟତା, ସଂସ୍କୃତିର ବ୍ୟକ୍ତି ବୋଲି ସତତ ଗର୍ବ ଅନୁଭବ କରିଥାନ୍ତି ତାହା ହିଁ ରାମ ସଂସ୍କୃତି ।

Share

Leave a Reply

Your email address will not be published. Required fields are marked *

4 + fourteen =