ମେଡ଼ିକାଲ କଲେଜକୁ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ଡାକ୍ତରଖାନାରେ  ଚାଲିଥିବା ଚିକିତ୍ସା ଓ ଅତ୍ୟାବଶ୍ୟକ ସରଞ୍ଜାମର ସମୀକ୍ଷା କରିବା ପାଇଁ ରାଜ୍ୟ ସରକାର ଆଜି ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଏଥିସହିତ ୭ଟି ମେଡିକାଲ୍ କଲେଜକୁ ୩୦ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ମେଡିକାଲ କଲେଜର  ମେଡିସିନ କିମ୍ବା ପଲମୁନାରୀ ବିଭାଗର ଅଧ୍ୟାପକ, ମାଇକ୍ରୋ ବାୟୋଲୋଜି ଓ ଆନାସ୍ଥେସିଆ ବିଭାଗର ଅଧ୍ୟାପକଙ୍କୁ ନେଇ ମେଡିକାଲ କଲେଜସ୍ତରୀୟ ଟିମ୍ ଗଠନ କରାଯିବ । ସେହିଭଳି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜନସ୍ୱାସ୍ଥ୍ୟ ସ୍ୱତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ଟିମ୍ ଗଠନ କରାଯିବ ।

ପ୍ରତ୍ୟେକ ମେଡ଼ିକାଲ କଲେଜର ଡିନ୍ ଓ ଅଧ୍ୟକ୍ଷ ନିଜର ଟିମ ଗଠନ କରିବେ । ଏଥିପାଇଁ ସେମାନଙ୍କ ଅଧୀନରେ ଥିବା ଡାକ୍ତରଖାନା ଓ ୩ଟି ବିଭାଗୀୟ ମୁଖ୍ୟଙ୍କ ସହ ପରାମର୍ଶ କରି ଏହି ଟିମ୍ ଗଠନ କରିବେ । ପ୍ରଥମ ପର୍ଯ୍ୟାୟ କୋଭିଡ୍ ମୁକାବିଲା ସମୟରେ ରାଜ୍ୟ ସରକାର ସବୁ ଜିଲ୍ଲାରେ ଏକାଧିକ କୋଭିଡ କେୟାର ସେଣ୍ଟର, କୋଭିଡ୍ ହେଲଥ ସେଣ୍ଟର ଓ କୋଭିଡ ହସ୍ପିଟାଲ୍ ପ୍ରତିଷ୍ଠା କରିଥିଲେ । ସେ ମଧ୍ୟରୁ ଅନେକ ଏ ଭିତରେ ବନ୍ଦ ହୋଇସାରିଛି । କିନ୍ତୁ ଏବେ ପୁଣି ଥରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବ୍ୟାପକ ହେଉଥିବାରୁ ସ୍ୱାସ୍ଥ୍ୟ ବିଭାଗ ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ କୋଭିଡ୍ ଶଯ୍ୟା ଓ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ମହାମାରୀରୁ ମୁକୁଳିବାକୁ ଘରୋଇ ହସ୍ପିଟାଲଗୁଡିକରେ ମଧ୍ୟ ପୁଣି ଥରେ କୋଭିଡ୍ ଚିକିତ୍ସା ବ୍ୟବସ୍ଥା ସୃଷ୍ଟି କରାଯିବ ।

ମେଡିକାଲ କଲେଜର ଟିମ୍ ସେମାନଙ୍କ ଅଧୀନରେ ଥିବା ଡାକ୍ତରଖାନାଗୁଡିକୁ ଗସ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରାମର୍ଶରେ କିଭଳି ଭାବରେ ଡାକ୍ତରଖାନାରେ ଆବଶ୍ୟକ ସ୍ୱାସ୍ଥ୍ୟ ଉପରକଣ ଗଚ୍ଛିତ ରଖାଯିବ ସେ ନେଇ ଆଲୋଚନା କରିବେ । ସଂକ୍ରମିତଙ୍କ ଟେଷ୍ଟିଂ, କ୍ୱାରେଣ୍ଟାଇନ୍, ନମୂନା ସଂଗ୍ରହଠୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ରହିଥିବା ବ୍ୟବସ୍ଥାର ସମୀକ୍ଷା କରିବ ଏହି ଟିମ୍ । ସଂକ୍ରମଣକୁ ରୋକିବା ପାଇଁ ମେଡିକାଲ ବର୍ଜ୍ୟବସ୍ତୁର ପରିଚାଳନା ବ୍ୟବସ୍ଥାର ମଧ୍ୟ ସମକ୍ଷା କରାଯିବ । ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟଠାରୁ ଅକ୍ସିଜେନ୍, ଔଷଧ ଓ ପିପିଇ କିଟ୍ର ଷ୍ଟକ୍ ମଧ୍ୟ ଯାଞ୍ଚ କରାଯିବ । ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ମତାମତ ମଧ୍ୟ ସଂଗ୍ରହ କରାଯିବ । ମେଡିକାଲ୍ ଟିମ୍ ଦେଉଥିବା ରିପୋର୍ଟ ଆଧାରରେ ରାଜ୍ୟସ୍ତରୀୟ ଟିମ୍ କୋଭିଡ୍ ହସ୍ପିଟାଲର ପରିଚାଳନାକୁ ତଦାରଖ କରିବ ।

ଏସ୍ସିବି ମେଡିକାଲ କଲେଜ ସହ କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଦାୟିତ୍ୱ ଦିଆଯାଇଛି । ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜକୁ ବୌଦ୍ଧ, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ଦାୟିତ୍ୱ ମିଳିଥିବାବେଳେ ଭିମସାର ବୁର୍ଲାକୁ ଅନୁଗୁଳ, ବରଗଡ଼, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର ଓ ସୁନ୍ଦରଗଡ଼ ଦାୟିତ୍ୱ ଦିଆଯାଇଛି । ସହିଦ ଲକ୍ଷ୍ମଣ ନାଏକ ମେଡ଼ିକାଲ କଲେଜକୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ବାରିପଦା ମେଡିକାଲ କଲେଜକୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱ ମିଳିଛି । ବଲାଙ୍ଗୀର ମେଡିକାଲ କଲେଜକୁ ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ଓ ସୋନପୁର ଦାୟିତ୍ୱ ଦିଆଯାଇଛି । 

Share

Leave a Reply

Your email address will not be published. Required fields are marked *

13 + 3 =