ଏନଡିଏ ସରକାରଙ୍କର 4 ବର୍ଷର ସଫଳତା ହିସାବ ଦେଲେ ଧର୍ମେନ୍ଦ୍ର

ତିନି ବର୍ଷରେ ସ୍କିଲ ଇଣ୍ଡିଆରେ ୨.୫ କୋଟି ଯୁବକଙ୍କୁ ମିଳିଛି ତାଲିମ

ନୂଆଦିଲ୍ଲୀ, 06/06 ():  ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ବାରା ଗତ ତିନି ବର୍ଷରେ ସ୍କିଲ ଇଣ୍ଡିଆ ଯୋଜନାରେ ୨.୫ କୋଟି ଯୁବକଙ୍କୁ ତାଲିମ ପ୍ରଦାନ କରା ଯାଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନଡିଏ ସରକାରଙ୍କର ଚାରି ବର୍ଷରେ କରାଯାଇଥିବା କାମ ଓ ସଫଳତାର ବିବରଣୀ ଦେଲା ବେଳେ ଶ୍ରୀ ପ୍ରଧାନ ଏହା କହିଛନ୍ତି ।

ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ୪୫୦ଟି ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର (ପିଏମକେକେ) ସ୍ଥାପନା କରା ଯାଇ ସାରିଛି । ଆଗାମୀ ଜୁଲାଇ ସୁଦ୍ଧା ଆଉ ୫୦ ଟି ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ସ୍ଥାପିତ ହେବାକୁ ଥିବା ବେଳେ ୨୦୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋଟ ୭୦୦ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ସ୍ଥାପିତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଲକ୍ଷ୍ୟ ଆଧାରିତ ଆତ୍ମନିଯୁକ୍ତି ପାଇଁ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏକ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରା ଯିବାର ଲକ୍ଷ୍ୟ ରଖା ଯାଇଥିବା ସେ ପ୍ରକାଶ କରିଛନ୍ତି । ମୁଦ୍ରା ଯୋଜନାରେ ଜରିଆରେ ଉଦ୍ୟମିତା ସମ୍ଭାବନାକୁ ଯୋଡିବା ପାଇଁ ନିଷ୍ପତି ନିଆ ଯାଇଛି ଓ ଏହି ସମୟ ମଧ୍ୟରେ ଏକ ଲକ୍ଷ ଦକ୍ଷତା ବିକାଶରେ ପ୍ରଶିକ୍ଷିତ ଛାତ୍ରଙ୍କୁ ଯୋଡା ଯିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କୌଶଲ ବିକାଶ ଯୋଜନାରେ ୨୦୧୫ରେ ଦେଶରେ ୫୦ ଲକ୍ଷ ଯୁବକଙ୍କୁ ତାଲିମ ଦିଆ ଯାଇ ସରିଛି ଏବଂ ୨୦୨୦ ସୁଦ୍ଧା ଏକ ଲକ୍ଷ ଯୁବକଙ୍କୁ ତାଲିମ ପ୍ରଦାନ କରା ଯିବାର ଲକ୍ଷ୍ୟ ରଖା ଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ବିଭିନ୍ନ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ୩ ହଜାର କୋଟି ଟଙ୍କା ଆବଂଟନ କରା ଯାଇଛି ଯାହାକି ୨୦୧୬-୧୮ ମଧ୍ୟରେ ୨୦ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ଦେବାକୁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ବର୍ତମା ସୁଦ୍ଧା ମୋଟ ଚାରି କୋଟି ହିତାଧିକାରୀଙ୍କୁ ଗ୍ୟାସ ସଂଯୋଗ ପ୍ରଦାନ କରା ଯାଇଛି । ଉଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଉର୍ଜା ଯୋଜନା, ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନେଟବର୍କ ମାଧ୍ୟମରେ ଅନେକ ଉପଲବ୍ଧି ହାସଲ କରା ଯାଇ ପାରିଛି ବୋଲି ସେ କହିଛନ୍ତି । ସାମାଜିକ ଦାୟିତ୍ବବୋଧ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ୨୦୧୪ରୁ ୨୦୧୮ ମଧ୍ୟରେ ୧୨୦୧ ଜଣଙ୍କୁ ପେଟ୍ରୋଲ ପମ୍ପ ଆବଂଟନ କରା ଯାଇଛି ।

ସେହିପରି ୨୦୧୪ରୁ ୨୦୧୮ ମଧ୍ୟରେ ୧୨୯୫ ଜଣଙ୍କୁ ଏଲପିଜି ବିତରକ ଭାବେ ନିଯୁକ୍ତି ଦିଆ ଯାଇଛି ବୋଲି ସେ କହିଛନ୍ତି । ମୋଦି ସରକାର କ୍ଷମତାରେ ଆସିବା ପୂର୍ବରୁ କେବଳ ଗୋଟିଏ ଦେଶ ସହ ୭ ଏମଏମଟିପିଏର ଏଲଏନଜି ଆମଦାନୀ କଂଟ୍ରାକ୍ଟ ଥିଲା । ବର୍ତମାନ ଏହା ବଢି ଚାରୋଟି ଦେଶ ସହ ୧୮ ଏମଏମଟିପିଏର ଦୀର୍ଘକାଳୀନ ଆମଦାନୀ କଂଟ୍ରାକ୍ଟ ହୋଇଛି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 + 4 =