ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ଦ୍ୱାରା ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ବିଜେତାଙ୍କ ଇସ୍ରୋ ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋର)ର ଅହମ୍ମଦାବାଦ ସ୍ଥିତ ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍‌ଏସି)କୁ ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ(ୟାଟ୍‌ସ)୨୦୨୨-୨୩ ର ୨୦ ଜଣ ବିଜେତାଙ୍କ ଯାତ୍ରାକୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସରକାରୀ ଉଦ୍ୟୋଗ, ଦିବ୍ୟାଙ୍ଗ ଜନଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଛନ୍ତି । ୨୦୨୩ ମେ’ ୨୨ରୁ ଭୁବନେଶ୍ୱରଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍‌ର ନିର୍ଦ୍ଦେଶିକା ସଂଜୁଲତା ବେହେରାଙ୍କ ନେତୃତ୍ୱରେ ସାରା ଓଡ଼ିଶାରୁ ଆସିଥିବା ଏହି ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାମିଲ ହୋଇଛନ୍ତି । ଏହି ଯାତ୍ରା ୨୦୨୩ ମେ’ ୨୯ରେ ସମାପନ ହେବ ।

ଯାତ୍ରାର ଶୁଭାରମ୍ଭ ଭୁବନେଶ୍ୱରର ପଠାଣୀ ସାମନ୍ତ ପ୍ଲାନେଟାରିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମ ସହ ଆରମ୍ଭ କରାଯାଇଥିଲା ଯେଉଁଠାରେ ପ୍ଲାନେଟୋରିୟମ୍‌ର ଉପନିର୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଓ ଟାଟା ଷ୍ଟିଲ୍‌ର କର୍ପୋରେଟ୍ ଯୋଗାଯୋଗ ମୁଖ୍ୟ ଶ୍ରୀ ସର୍ବେଶ କୁମାର ଉପସ୍ଥିତ ଥିଲେ ।

ଏହି ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ବିଭିନ୍ନ ଏସ୍‌ଏସି ଲ୍ୟାବ୍ ପରିଭ୍ରମଣ କରିବା ସହ ଭାରତର ବିଶିଷ୍ଟ ମହାକାଶ ବିଜ୍ଞାନୀମାନଙ୍କଠାରୁ ଗଭୀର ଜ୍ଞାନ ହାସଲ କରି ମହାକାଶ ଅନୁସନ୍ଧାନ ଜଗତରେ ସେମାନଙ୍କ ଉତ୍ସାହକୁ ସମୃଦ୍ଧ କରିପାରିବେ । ଏସ୍‌ଏସି ସହିତ ଛାତ୍ରଛାତ୍ରୀମାନେ ସାଇନ୍ସ ସିଟି ଓ ଆଇଆଇଟି ଗାନ୍ଧୀନଗର ପରିଦର୍ଶନ କରିବେ ଯାହା ସେମାନଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କୁ ବୁଝିବା ଓ ଜାଣିବା ସୀମାକୁ ବ୍ୟାପକ କରିବ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, “ୟାଟ୍‌ସରେ ବିଜୟୀ ହୋଇଥିବା ୨୦ ଛାତ୍ରଛାତ୍ରୀଙ୍କ ସହିତ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ମୁଁ ମୋର ହୃଦୟରୁ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି । ଓଡ଼ିଶାର ଉଦୀୟମାନ ପ୍ରତିଭାଙ୍କୁ ସମୃଦ୍ଧ କରିବା ଏବଂ ସେମାନଙ୍କ ଭିତରେ ଜ୍ୟୋତିର୍ବିଜ୍ଞାନକୁ ନେଇ ଅଭିଳାଷକୁ ବଢ଼ାଇବା ଲାଗି ଉଲ୍ଲେଖନୀୟ ମଂଚ ପ୍ରଦାନ କରିବାରେ ଟାଟା ଷ୍ଟିଲ୍ ଓ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଏହି ଅତୁଳନୀୟ ସୁଯୋଗ ସହ ମୁଁ ଆଶା କରୁଛି ଯେ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ଜଗତରେ ଏକ ଚମତ୍କାର ପଥରେ ଯୁବପିଢ଼ି ଆଗକୁ ବଢ଼ିବେ ।’’

ୟାଟ୍‌ସର ବୃହତ ସଫଳତା ପାଇଁ ନିରନ୍ତର ସହଯୋଗ ଜାରି ରଖିଥିବା ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇ ଶ୍ରୀ ସର୍ବେଶ କୁମାର ଏହି କାର୍ଯ୍ୟକ୍ରମକୁ ଏକ ସତନ୍ତ୍ର ଅଭିଯାନ ଭାବେ ଅଭିହିତ କରିଥିଲେ । ଏହା ଯୁବ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ବୌଦ୍ଧିକ ପରିସୀମାକୁ ଆବଦ୍ଧ ଥିବା ପାରମ୍ପରିକ ଶିକ୍ଷାଦାନଠାରୁ ଆଗକୁ ବଢ଼ାଇବା ଓ ନିଜ ଭିତରେ ଥିବା ବିଜ୍ଞାନ ଉତ୍ସାହକୁ ସମୃଦ୍ଧ କରିବା ଲାଗି ଅନୁପ୍ରାଣିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ପଠାଣୀ ସାମନ୍ତ ପ୍ଲାନେଟାରିୟମ୍‌ର ସହଯୋଗିତାରେ ଆୟୋଜନ କରାଯାଉଥିବା ଟାଟା ଷ୍ଟିଲ୍‌ର ଏହି ବାର୍ଷିକ କାର୍ଯ୍ୟକ୍ରମର ଚଳିତ ୧୬ତମ ସଂସ୍କରଣକୁ ବିପୁଳ ସମର୍ଥନ ମିଳିଥିଲା ଯେଉଁଥିରେ ଓଡ଼ିଶାର ସମସ୍ତ ୩୦ ଜିଲ୍ଲାର ୭୭,୫୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଡିସେମ୍ବର ୧୩, ୨୦୨୨ରେ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍‌ଠାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଏକ ପ୍ରତିଯୋଗିିତାରେ ୨୦ ଜଣ ଛାତ୍ରଛାତ୍ରୀ ବିଜୟୀ ହୋଇଥିଲେ । ଚଳିତ ବର୍ଷର ବିଷୟବସ୍ତୁ ଥିଲା “ବ୍ରହ୍ମାଣ୍ଡକୁ ଜାଣିବାର ସମୟ’ ଯାହା ଏହି କାର୍ଯ୍ୟକ୍ରମର ଭାବକୁ ସଠିକ୍ ଭାବେ ଉପସ୍ଥାପନ କରିବା ସହ ମହାଜାଗତିକ ଅନ୍ୱେଷଣକୁ ଚିତାକର୍ଷକ ଓ ରୋମାଂଚକ କରିପାରିଛି ।

୨୦୦୭ରେ ଶୁଭାରମ୍ଭ ହେବା ପରଠରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନକୁ ନେଇ ସଚେତନତା ବଢ଼ାଇବା ଲାଗି ୟାଟ୍‌ସ ଉଦ୍ୟମ କରୁଥିବା ସହ ବିଶିଷ୍ଟ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ପଠାଣୀ ସାମନ୍ତଙ୍କ ଅତୁଳନୀୟ ଯୋଗଦାନକୁ ସମ୍ମାନ ଜଣାଉଛି । ଏହି ମଂଚ ବିଶେଷ କରି ଓଡ଼ିଶାର ଗ୍ରାମାଚଂଳ ଓ ଦୁର୍ଗମ ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ସେମାନଙ୍କ ଦକ୍ଷତାକୁ ପ୍ରଦର୍ଶର୍ନ କରିବା ସହ ମାନ୍ୟତା ପ୍ରଦାନ କରୁଛି ।

ଗତ ୧୬ ବର୍ଷ ଭିତରେ ୟାଟ୍‌ସ ରାଜ୍ୟର ୨,୭୦,୦୦୦ରୁ ଅଧିକ ଯୁବ ବିଜ୍ଞାନ ଉତ୍ସାହୀଙ୍କୁ ଆକର୍ଷିତ କରିପାରିଛି । ମୋଟ ୧୮୦ ବିଜୟୀ ଛାତ୍ରଛାତ୍ରୀଙ୍କୁ ଇସ୍ରୋର ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିବାର ସୁବିଧା ସୁଯୋଗ ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

2 × 3 =