Friday, October 30, 2026
Latestରାଜ୍ୟ

ଲକଡାଉନ୍ ଜାରି ରହିବ ଏହିସବୁ ସେବା,ଜାଣନ୍ତୁ କଣ ?

ଭୁବନେଶ୍ୱର: ରାଜ୍ୟରେ କାରଣ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଘୋଷଣା ହୋଇଛି । ଚଳିତ ମେ ମାସ ୫ତାରିଖ ବୁଧବାର ସକାଳ ଠାରୁ ୧୯ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଘରଠାରୁ ୫୦୦ମିଟର ଦୂରତା ମଧ୍ୟରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ ପନିପରିବା ଆଦି ଲୋକେ ଚାଲି ଚାଲି ଯାଇ କିଣିପାରିବେ। ଲକଡାଉନ ଅବଧି ମଧ୍ୟରେ ପୂର୍ବ ପରି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ। ଲକଡାଉନ ସମୟରେ ଟିକାକରଣ ଜାରି ରହିବା ସହ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିବ। ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ନ ରହିବା ସହ ପରିବହନ ସେବା କଟକଣା ମୁକ୍ତ ହେବ। ଏନେଇ ଓଡ଼ିଶାର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ଲକଡାଉନ୍ । ତେବେ ଆସନ୍ତୁ ଜାଣିବା ଲକଡାଉନ୍ ବେଳେ କଣ ଖୋଲା ରହିବ ଓ କଣ ବନ୍ଦ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିଷୟରେ ସୂଚନାଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ :-

୧) ଚଳିତ ମଇ ମାସ ୫ ତାରଖ ବୁଧବାର ସକାଳ ୬ଟା ଠାରୁ ୧୯ ତାରିଖ ବୁଧବାର ସକାଳ ୫ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍‌ଡ଼ାଉନ୍‌ ଜାରି ରହିବ । ଲକ୍‌ଡ଼ାଉନ୍‌ର ମୁଖ୍ୟ ଉଦ୍ଦେଶ୍ୟ ଯାତାୟତ ଓ ଜନଗହଳି କମାଇ ସଂକ୍ରମଣ ରୋକିବା । କୌଣସି ପ୍ରକାର ମାଲ୍‌ ପରିବହନ, କୃଷି , ଆନୁସଙ୍ଗିକ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ଓ ଜରୁରୀସେବା ଯୋଗାଣକୁ ଏହି ଲକ୍‌ଡ଼ାଉନ୍‌ ପ୍ରଭାବିତ କରିବ ନାହିଁ ।

୨) ଏହି ସମୟ ମଧ୍ୟରେ ସପ୍ତାହନ୍ତ  ଶନିବାର ଓ ରବିବାର ଦିନ ସଂପୂର୍ଣ୍ଣ ସଟ୍‌ଡ଼ାଉନ୍‌ ରହିବ ।

୩) ଲକ୍‌ଡ଼ାଉନ୍‌ ସମୟରେ ଅତ୍ୟାବଶ୍ୟକ ସେବା ବଜାୟ ରହିବ ।

୪) ଲକ୍‌ଡ଼ାଉନ୍‌ ସମୟରେ ବସ୍‌ ଚଳାଚଳ ବନ୍ଦ ରହିବ।

୫) କାର୍ଯ୍ୟଚାଲୁ ରଖିବାପାଇଁ ସରକାର ଅନୁମତି ଦେଇନଥିବା ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ୍‌କେନ୍ଦ୍ର, କୋଚିଂ ସେଣ୍ଟର ଆଦି ବନ୍ଦ ରହିବ ।

୬) ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ଅନୁଷ୍ଠାନ ମାନଙ୍କ ଦ୍ୱାରା ହେବାକୁଥିବା ପରୀକ୍ଷା ସଂପୃକ୍ତ ବିଭାଗଙ୍କର ଅନୁମତିକ୍ରମେ କରାଯିବ ।

୭) ସମସ୍ତ ପ୍ରକାର ପ୍ରଦର୍ଶନୀ, ମେଳା, ସମ୍ମିଳନୀ, ସିନେମାହଲ୍‌, ମାର୍କେଟ୍‌ କମ୍ପ୍ଲେକ୍ସ,ମଲ,ଜିମ୍‌, ଥିଏଟର୍‌ ,ବାର୍‌, ଯାତ୍ରା, ଅପେରା, ମୁକ୍ତାକାଶ ରଂଗମଞ୍ଚ ଆଦି ସର୍ବସାଧାରଣ ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରହିବ ।

୮) ସେଲୁନ୍‌, ସ୍ପା, ବିଯୁଟି ପାର୍ଲର ଆଦି ବନ୍ଦ ରହିବ ।

୯) ଧର୍ମସ୍ଥଳୀ ଓ ଧର୍ମାନୁଷ୍ଠାନମାନଙ୍କରେ ଦେବନିତୀ ସ୍ୱଳ୍ପ ସଂଖ୍ୟକ ପୁଜାରୀ ଓ ସେବାୟତଙ୍କୁ ନେଇ କରାଯାଇ ପାରିବ । ଏସବୁ ସ୍ଥାନ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । ଧାର୍ମିକ ସମାବେଶକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

୧୦) ବିବାହରେ ସର୍ବାଧିକ ୫୦ ଏବଂ ଅନ୍ତେଃଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ବ୍ୟକ୍ତି ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ଅନୁମତିକ୍ରମେ ଭାଗନେଇ ପାରିବେ ।

        କୋଭିଡ୍‌ ମହାମାରୀ ସମୟରେ ଜୀବନ ଓ ଜୀବିକାର ସମନ୍ୱୟ ରକ୍ଷାକରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ-

୧) ଲକ୍‌ଡ଼ାଉନ୍‌ ସମୟରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଗାଇଡ଼୍ ଲାଇନ୍‌ ଅନୁସାରେ ବ୍ୟାଙ୍କ୍‌, ଏ.ଟି.ଏମ୍‌ , ଇନ୍‌ସ୍ୟୁରାନ୍‌ସ୍‌, ଅଣ-ବ୍ୟାଙ୍କି ଆର୍ଥିକ ସଂସ୍ଥା, ଋଣ ସମବାୟ ସମିତି ଆଦି ସେମାନଙ୍କର କାର୍ଯ୍ୟ ଚାଲୁ ରଖିପାରିବେ ।

୨) ସ୍ୱାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍‌ ଓ ଇନ୍ଟରନେଟ୍‌ ସେବା, ଡି.ଟି.ଏଚ୍‌. ସେବା, ଗ୍ୟାସ୍‌ ବିତରଣ ଓ ପେଟ୍ରୋଲ୍ ପମ୍ପ ଆଦି ଖୋଲା ରହିବ ।

୩) କୃଷି, ପଶୁପାଳନ, ମତ୍ସ୍ୟଚାଷ ଆଦି କାର୍ଯ୍ୟ ଚାଲୁ ରହିବ । କୃଷି ଓ ଆନୁସଙ୍ଗିକ କାର୍ଯ୍ୟନିମନ୍ତେ ଆବଶ୍ୟକ ବିହନ, ସାର, କୀଟନାଶକ ଦ୍ରବ୍ୟ ଦୋକାନ ଆଦି ଖୋଲା ରହିବ ।

୪) ରାସ୍ତାକଡ଼ ଖାଦ୍ୟ ଦୋକାନ, ଗୋଟିକିଆ ପନିପରିବା, ଫଳ, ମାଛ ଓ ମାଂସ ଆଦି ଦୋକାନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଖୋଲିପାରିବେ, କିନ୍ତୁ ଗୋଟିଏ ଦୋକାନରୁ ଅନ୍ୟଦୋକାନର ଦୁରତା ଅତିକମ୍‌ରେ ୩୦ ଫୁଟ ରହିବ। ଗ୍ରାହକ ଓ ବିକ୍ରେତା କଡ଼ାକଡ଼ି ଭାବେ କୋଭିଡ୍‌ ନିୟମ ପାଳନ କରିବେ।

୫) ଦୈନନ୍ଦିନ ଓ ସାପ୍ତାହିକ ହାଟ ବନ୍ଦରହିବ । ଲୋକମାନେ ନିଜର ଆବଶ୍ୟକ ଖାଦ୍ୟ ପଦାର୍ଥ ପାଖ ଦୋକାନରୁ ପାଦରେ ଚାଲି ଚାଲି ଯାଇ ଆଣିବେ ।

୬) ଅଙ୍ଗନାବାଡ଼ି ହିତାଧିକାରୀମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ।

୭) ବୃଦ୍ଧାଶ୍ରମ, ବଳାଶ୍ରମ, କନ୍ୟାଶ୍ରମ, ଭିନ୍ନକ୍ଷମ କେନ୍ଦ୍ର ଆଦି ସେମାନଙ୍କର କାର୍ଯ୍ୟକ୍ରମ ଚାଲୁ ରଖିପାରବେ ।

୮) ବିଭିନ୍ନ ଅନ୍‌ଲାଇନ୍‌ ବିକ୍ରି ସଂସ୍ଥାମାନେ ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ହୋମ୍‌ ଡେଲିଭରି କରିପାରିବେ ।

୯) ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ୍‌ ଶକ୍ତି କାର୍ଯ୍ୟ ଚାଲୁ ରହିବ । କିନ୍ତୁ, ଏସବୁ ସଂସ୍ଥା, କର୍ମଚାରୀ ଓ ସଦସ୍ୟ କୋଭିଡ଼୍‌ ନିୟମ ଅନୁପାଳନ ନିଶ୍ଚିତ କରାଇବେ ।

୧୦) କେନ୍ଦ୍ର ସରକାରଙ୍କ ଅଧିନ ସଂସ୍ଥା ଓ ଦପ୍ତର କାର୍ଯ୍ୟ କରିପାରିବେ ।

୧୧) ରାଜ୍ୟ ସରକାରଙ୍କ ସମସ୍ତପ୍ରକାର ଜରୁରୀକାଳୀନ ସେବା ସଂପର୍କିତ କାର୍ଯ୍ୟାଳୟ ଓ କୋଭିଡ଼୍‌ ପରିଚାଳନା ସଂପର୍କିତ କାର୍ଯ୍ୟାଳୟ ଚାଲୁରହିବ ।

୧୨) ପିପିଲି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ନିମନ୍ତେ ତାଲିମ୍‌, ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀମାନଙ୍କ ଯାତାୟତ ଆଦି ଚାଲୁ ରହିବ । ନିର୍ବାଚନ ଦିନ ଭୋଟଦାତା ମାନେ ଭୋଟଗ୍ରହଣ କେନ୍ଦ୍ରକୁ ଯାଇପାରିବେ ।

୧୩) ବିଭିନ୍ନ ଗ୍ରାମ ଓ ସହରାଞ୍ଚଳରେ ସଂକ୍ରମଣ ସ୍ଥିତିକୁ ଲକ୍ଷ୍ୟକରି ସ୍ଥାନୀୟ ପ୍ରଶାସନ କ୍ଷୁଦ୍ର କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରିପାରିବେ ।

୧୪) ସପ୍ତାହନ୍ତ ସଟ୍‌ଡାଉନ୍‌ ସମୟରେ ସମସ୍ତ ଖାଦ୍ୟ, ପନିପରିବା, ତେଜରାତି ଓ ମାଛ ମାଂସ ଆଦି ଦୋକାନ ବନ୍ଦ ରହିବ । କେବଳ ଓୗଷଧ ଦୋକାନ ଖୋଲା ରହିବ ।

୧୫) ସଂକ୍ରମଣ ପ୍ରତିରୋଧ କରିବା ପାଇଁ ନିଜ ନିଜ ଅଂଚଳରେ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସରପଂଚ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସହରମାନଙ୍କରେ ଥିବା ରେସିଡେନ୍‌ସିଆଲ୍ କମିଟି ମାନଙ୍କୁ ଅନୁରୋଧ କରିଥିଲେ ।

        ରାଜ୍ୟସରକାରଙ୍କ ଏହି ସବୁ ନିଷ୍ପତ୍ତିର ଅନୁପାଳନ କରି ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାର ଓ ରାଜ୍ୟରେ ସଂକ୍ରମଣ ରୋକିବାରେ ସହାୟକ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ପୂର୍ଣ୍ଣଭାବେ ପାଳନ କରିବାପାଇଁ ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

17 − three =