ମିଶନ ଶକ୍ତିକୁ ନୂଆ ଦିଶା ଦେଇଛନ୍ତି ସୁଜାତା

ଭୁବନେଶ୍ୱର : ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ରାଜ୍ୟକୁ ଆଗକୁ ନେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ଫଳବତୀ କରିଛନ୍ତି ଓଡିଆ ଆଇଏଏସ୍‍ ଅଫିସର ସୁଜାତା ରାଉତ (କାର୍ତ୍ତିକେୟନ) । କେନ୍ଦ୍ରାପଡାର ଝିଅ ସୁଜାତା ମିଶନଶକ୍ତିଙ୍କୁ ଯେଉଁ ଶକ୍ତି ଦେଇଛନ୍ତି ତାହା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଆଜି ମିଶନଶକ୍ତିକୁ ବିଭାଗ କରାଯିବା ନେଇ ଘୋଷଣା କରିଛନ୍ତି । ଜଣେ ଓଡିଆ ଝିଅର ଏଭଳି ସଫଳତା ପାଇଁ ଓଡିଶାର ନାରୀ ସମାଜ ଆଜି ଗର୍ବିତ । ରାଜ୍ୟର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ଗଠନ ହୋଇଥିଲା ମିଶନ ଶକ୍ତି । ଏହି ମିଶନ ଶକ୍ତି ହିଁ ମହିଳାଙ୍କୁ ଯୋଗାଇଥିଲା ଅପୂର୍ବ ଶକ୍ତି ।

ଯେବେଠାରୁ ସୁଜାତା ଏହାର ଦାୟିତ୍ୱରେ ରହିଲେ ସେବେଠାରୁ ରାଜ୍ୟର ମହିଳାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ନୂଆ ଉନ୍ମାଦନା । ଇତିମଧ୍ୟରେ ୭ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗଠନ ହୋଇଛି । ୭୦ଲକ୍ଷ ମହିଳା ଏଥିରେ ଯୋଡିହୋଇ ଯାଇଛନ୍ତି । ସବୁଠାରୁ ବଡ କଥା ହେଲା ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ରାଜ୍ୟ ସରକାର ମୂଳଧନ ଯୋଗାଇବା ସହିତ ବିନା ସୁଧରେ ଋଣ ଯୋଗାଇ ଦେଇଛନ୍ତି । ଏଥିଯୋଗୁଁ ରାଜ୍ୟରେ ଅଧିକରୁ ଅଧିକ ମହିଳା ଏହି ଆନ୍ଦୋଳରେ ସାମିଲ ହୋଇଛନ୍ତି । ସୁଜାତା ରାଉତ (କାର୍ତ୍ତିକେୟନ) ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହଧର୍ମିଣୀ । ହେଲେ ଅନେକ ହୁଏତ ଏହା ଜାଣିନଥିବେ । କାରଣ ଗଣମାଧ୍ୟମର ଚର୍ଚ୍ଚାରୁ ସର୍ବଦା ନିଜକୁ ଦୂରେଇ ରଖୁଥିବା ସୁଜାତା ନିଜ ଢଙ୍ଗରେ କାର୍ଯ୍ୟ କରିଥାନ୍ତି । ଚୁପ୍‍ଚାପ ଯୋଜନାକୁ ସଫଳ ରୂପ ଦେଇଥାନ୍ତି । ତେଣୁ ତାଙ୍କରି ଉପରେ ଭରସା କରି ମୁଖ୍ୟମନ୍ତ୍ରୀ ଧରାଇଛନ୍ତି ମିଶନ ଶକ୍ତିର ମଙ୍ଗ । ସୁଜାତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମନକୁ ବୁଝି ମିଶନ ଶକ୍ତିକୁ ଆଜି ଏକ ନୂଆ ଦିଶା ଦେଇଛନ୍ତି । ମିଶନ ଶକ୍ତି ଆଉ ଏବେ ରାଜ୍ୟ ଭିତରେ ସୀମିତ ନୁହେଁ । ମିଶନ ଶକ୍ତି ମହିଳାଙ୍କ ଉତ୍ପାଦିତ ସାମଗ୍ରୀ ଦେଶ ବିଦେଶରେ ପହଞ୍ଚିଛି ।

ଦେଶର ବିଭିନ୍ନ ସ୍ଥାନରେ ମିଶନ ଶକ୍ତି ତାହାର ଉପସ୍ଥିତି ଜାହିର କରିବା ସହିତ ଜାପାନ ଜର୍ମାନ ଭଳି ଦେଶରେ ବି ନିଜର ପାଦ ଥାପିଛି । ମୁଖ୍ୟମନ୍ତ୍ରୀ ଏହାକୁ ଏକ ବିଭାଗ ଭାବେ ଘୋଷଣା କରିବାପରେ ସୁଜାତାଙ୍କ ନିଷ୍ଠା, ପରିଶ୍ରମ ଓ ଏକାଗ୍ରତା ଯେ ସଫଳ ହୋଇଛି ତାହାକୁ ଅନେକ ବରିଷ୍ଠ ଓ କନିଷ୍ଠ ଅଫିସର ସ୍ୱୀକାର କରିବାରେ ଲାଗିଛନ୍ତି । ରାଜ୍ୟ ଅର୍ଥନୀତିକୁ ନୂଆ ଦିଗ୍‍ଦର୍ଶନ ଦେଇଥିବା ମିଶନଶକ୍ତିକୁ ସୁଜାତା ଯେ ଆଗାମୀ ଦିନରେ ଢେର ଆଗକୁ ନେବେ ତାହା ଏବେ ସମସ୍ତଙ୍କ କାମନା ।

Share

Leave a Reply

Your email address will not be published. Required fields are marked *

nineteen − eleven =