ବିଜେପୁର ପାଇଁ ନବୀନଙ୍କ ସ୍ବତନ୍ତ୍ର ପ୍ୟାକେଜ

ଖୁବଶୀଘ୍ର ଘୋଷଣା ହେବ ନୂଆ ଜୀବନଜୀବିକା ପ୍ୟାକେଜ

ଭୁବନେଶ୍ବର () ବିଜେପୁରର ଉତ୍ତର ଦାୟିତ୍ବ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାର ଏହି ରାଜନୈତିକ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ପାଇଁ ଆଜି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । କଚ୍ଚା ଘରକୁ ପକ୍କା କରିବା ସହ ମେଗା ପାନୀୟ ଜଳ ପ୍ରକଳ୍ପ, ନୂଆ ଉଠାଜଳସେଚନ ପ୍ରକଳ୍ପ, ଭିତ୍ତିଭୂମୀ ବିକାଶ, ବିଦ୍ୟୁତ ସଂଯୋଗ ବ୍ୟବସ୍ଥାର ସୁଦୃଢିକରଣ ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି । ଏଥିସହିତ ମୁଖ୍ୟମନ୍ତ୍ରୀ ବିଜେପୁରର ଏହି ବିକାଶ କାର୍ଯ୍ୟକୁ ପ୍ରତି ଦୁଇ ମାସରେ ଥରେ ସମୀକ୍ଷା କରିବେ ।

ବିଜେପୁରରେ ପ୍ରାୟ 34 ହଜାର କଚ୍ଚା ଘରକୁ ପକା କରାଯିବ । ବରଗଡ ଜିଲ୍ଲାର 8 ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ 112 କୋଟି ଟଙ୍କା ବ୍ୟୟ ଅଟକଳରେ ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯିବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଜେପୁରର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ । ଏଥିସହିତ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ 48 କୋଟି ଟଙ୍କା ବିନିମୟରେ ଗାଇସିଲେଟ ବ୍ଲକର ବୋରମୁଣ୍ଡା ପଂଚାୟତରେ ଆଉ ଏକ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବ । ଏଥିପାଇଁ ଅଙ୍ଗ ନଦୀରୁ ଜଳ ସଂଗ୍ରହ କରାଯିବ । ଏହାଦ୍ବାରା ପ୍ରାୟ 3ହଜାର ଏକର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।

ବିଜେପୁର ନିର୍ବାଚନମଣ୍ଡଳୀରେ ପ୍ରାୟ 29ଟି ପୋଖରୀ ଭିତ୍ତିକ ଉଠାଜଳସେଚନ ଏବଂ 3000 ଗଭୀର ବୋରୱେଲ ପ୍ରକଳ୍ପ ନିର୍ମାଣ କରାଯିବ । ବିଜେପୁର ଓ ବରପାଲି ଏନଏସିରେ ପାନୀୟ ଜଳ ଠାରୁ ଆରମ୍ଭ କରି ଷ୍ଟ୍ରିଟ ଲାଇଟ, ରାସ୍ତା, ଷ୍ଟାଡିୟମ, ଡ୍ରେନେଜ, ଟାଉନ ହଲ, କମ୍ୟୁନିଟି ସେଣ୍ଟର, କଲ୍ୟାଣମଣ୍ଡପ, ପାର୍କ ଓ ଅଫିସ ବିଲ୍ଡିଂର ଭିତ୍ତିଭୂମୀ ବିକାଶ କରାଯିବ । ଏଥିପାଇଁ ଦୁଇ ବର୍ଷରେ 40 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେପୁରର ଚାଷୀଙ୍କୁ ଉଚ୍ଚମାନର ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ସ୍ବତନ୍ତ୍ର କୃଷି ଫିଡର ନିର୍ମାଣ କରାଯିବ । ଏଥିପାଇଁ 60 କିଲୋମିଟରର 33 କେଭି ବିଦ୍ୟୁତ ଲାଇନ ଓ 125 କିଲୋମିଟରର 11 କେଭି ବିଦ୍ୟୁତ ଲାଇନ ନିର୍ମାଣ କରାଯିବ । ଏଥିହିତ ଭୋଲଟେଜ ସମସ୍ୟାର ସମାଧାନ ପାଇଁ 50ଟି ନୂଆ ଟ୍ରାନ୍ସଫରମର ପ୍ରତିଷ୍ଠା କରାଯିବ । ଗାଇସିଲେଟ ତହସିଲ ଅନ୍ତର୍ଗତ ଗୁଡେରପାଲ୍ଲୀ, ତଳପାଲ୍ଲୀ ଓ ଡାଙ୍ଗବାହାଲରେ ତିନୋଟି ନୂଆ ଆର.ଆଇ ସର୍କଲ ନିର୍ମାଣ କରାଯିବ । ଏଥିସହିତ ବିଜେପୁର ବ୍ଲକର ତାଳପଦର ଠାରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହାଭିନ୍ନ ବର୍ତ୍ତମାନର ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି କରି ସ୍ବାସ୍ଥ୍ୟ ସେବାରେ ରହିଥିବା ଅଭାବକୁ ପୂରଣ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେପୁରରେ ଏକ ସରକାରୀ ଆଇଟିଆଇ ଏବଂ ଗାଇସିଲେଟ ଓ ବରପାଲୀରେ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । 82 କୋଟି ଟଙ୍କା ବ୍ୟୟ ଅଟକଳରେ 80 କିଲୋମିଟର ଲମ୍ବର ନୂଆ ରାସ୍ତା ଓ ଗୋଟିଏ ବ୍ରିଜ ନିର୍ମାଣ କରାଯିବ । ଏହି ପ୍ୟାକେଜର କାର୍ଯ୍ୟାକାରିତାକୁ ମୁଖ୍ୟମନ୍ତ୍ରୀ ପ୍ରତି ଦୁଇମାସରେ ସମୀକ୍ଷା କରିବେ । ଖୁବଶୀଘ୍ର ବିଜେପୁର ପାଇଁ ସ୍ବତନ୍ତ୍ର ଜୀବନଜୀବିକା ପ୍ୟାକେଜ ମଧ୍ୟ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − seven =