ଭିନ୍ନକ୍ଷମଙ୍କ ପାଇଁ ସୋନପୁର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ‘ଉଦ୍ୟମ’

ସୋନପୁର () ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଦେଶରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ଏକ ଅଭିନବ ପଦକ୍ଷେପ ନେଇଛି । ସମଗ୍ର ଶିକ୍ଷା ଯୋଜନାରେ ଭିନ୍ନକ୍ଷମଙ୍କ ପାଇଁ ଉପଲବ୍ଧ ସମସ୍ତ ସୁବିଧା ଏବଂ ଯୋଜନା ସମ୍ପର୍କରେ ଅବଗତ କରିବାକୁ ଉଦ୍ୟମ ନାମରେ ଏକ ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ କରିଛି ।

ଉଦ୍ୟମ ଏଭଳି ଏକ ଡିଜିଟାଲ ପ୍ଲାଟଫର୍ମ ଯେଉଁଠି ଭିନ୍ନକ୍ଷମମାନେ ସେମାନଙ୍କ ପାଉଁ ଉପଲବ୍ଧ ଏସକର୍ଟ ଆଲାଉସ, ପରିବହନ ଭତ୍ତା, ଷ୍ଟାଇପେଣ୍ଡ ଆଦି ଅନଲାଇନରେ ଆବେଦନ କରିପାରିବେ । ଏଥିସହିତ ସେମାନଙ୍କ ପାଇଁ ଉପଲବ୍ଧ ସମସ୍ତ ପ୍ରକାର ନିୟମାବଳୀ, ଆବେଦନପତ୍ର ଏବଂ ଆଇନ କାନୁନ ସମ୍ପର୍କରେ ଜାଣିପାରିବେ ।

ଏହି ପୋର୍ଟାଲର ଉନ୍ମୋଚନ କରି ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ କହିଛନ୍ତି ଯେ, ଏହି ପ୍ଲାଟଫର୍ମଟି ଭିନ୍ନକ୍ଷମ ଏବଂ ସେମାନଙ୍କ ଅଭିଭାବକଙ୍କୁ ଆଗାମୀ ଦିନରେ ବିଭିନ୍ନ ଯୋଜନା ଏବଂ ଏହାର ସୁଫଳ କିଭଳି ମିଳିପାରିବ ସେଦିଗରେ ବେଶ ସହାୟକ ହେବ । ରାଜ୍ୟ ସରକାର ଭିନ୍ନକ୍ଷମଙ୍କ ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଭିନ୍ନକ୍ଷମ ଏବଂ ସେମାନଙ୍କ ଅଭିଭାବକମାନେ ସେ ସବୁ ସୁବିଧା ପାଇବାକୁ ବହୁତ ହଇରାଣ ହରକତ ହେଉଛନ୍ତି । ସେମାନେ ନଥିପତ୍ର ଧରି ଏଣେତେଣେ ଧାଉଁଛନ୍ତି । ଏହି ଡିଜିଟାଲ ପ୍ଲାଟଫର୍ମ ଦ୍ବାରା ସେମାନେ ସହଜରେ ସେସବୁ ସୁବିଧା ସୁଯୋଗ ପାଇପାରିବେ ଏବଂ ଜିଲ୍ଲା ପ୍ରଶାସନ ସବୁଦିନ ପାଇଁ ସେମାନଙ୍କ ରେକର୍ଡ ରଖିପାରିବ ।

ଏହି ପୋର୍ଟାଲରେ ସେମାନେ ଥରେ ନିଜର ଆବେଦନ କରିବେ । ଆପେ ଆପେ ଜିଲ୍ଲା ପ୍ରଶାସନ ତାଙ୍କ ଆବେଦନ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବ । ଏହାର ବ୍ୟବହାର ମଧ୍ୟ ଅତ୍ୟନ୍ତ ସରଳ । ଆବେଦନ ପତ୍ର ଦାଖଲ ହେବାମାନେ ତାହା ସମ୍ପୃକ୍ତ ସ୍କୁଲର ହେଟମାଷ୍ଟର ଏବଂ ବିଭାଗୀୟ ଅଧିକାରୀଙ୍କ ପାଖକୁ ପହଁଚିଯିବ । ଏହା କାଗଜ ବିହିନ ପ୍ରକ୍ରିୟା ହୋଇଥିବା ବେଳେ ପିଲାମାନଙ୍କୁ ପ୍ରତିବର୍ଷ ସମାନ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ ନାହିଁ ।

ପ୍ରଶାସନିକ ସ୍ବଚ୍ଛତା ରକ୍ଷା କରିବାକୁ ଆବେଦନକାରୀଙ୍କୁ ସେମାନଙ୍କ ଆବେଦନର ଷ୍ଟାଟସ ମୋବାଇଲ ଏସଏମଏସ ଜରିଆରେ ଜଣାଇଦିଆଯିବ । ଏହି ପୋର୍ଟାଲରେ କେବଳ ଭିନ୍ନକ୍ଷମଙ୍କ ପାଇଁ ଆବେଦନପତ୍ର କିମ୍ବା ସେମାନଙ୍କ ସମ୍ବନ୍ଧୀୟ ଆଇନ କାନୁନ ବାବଦରେ ଉଲ୍ଲେଖ କରାଯାଇନି । ବରଂ ଜିଲ୍ଲା ପ୍ରଶାସନର କେଉଁ ଅଧିକାରୀମାନେ ସେମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି ସେ ସମ୍ପର୍କିତ ତଥ୍ୟ ମଧ୍ୟ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ର ଆଧାରରେ ଏଭଳି ଏକ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହାଦ୍ବାରା ଟେକ୍ନୋଲୋଜିର ବ୍ୟବହାର ସହ ଟିମୱାର୍କ ଓ ସ୍ବଚ୍ଛତାର ସହ ରୂପାନ୍ତରଣ ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ଉଦ୍ୟମ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

7 + 18 =