RBIରୁ ଉଠିପାରିବ ୨୫୦୦ କୋଟି

ଭୁବନେଶ୍ୱର() କରୋନା ସଙ୍କଟ ସମୟରେ ଓଡିଶା ସରକାର ରିଜର୍ଭ ବ୍ୟାଙ୍କ୍‍ରେ ଗଚ୍ଛିତ ରଖିଥିବା ଅର୍ଥରୁ ଏବେ ୨୫୦୦ କୋଟି ଟଙ୍କା ଉଠାଇ ପାରିବେ । ରିଜର୍ଭବ୍ୟାଙ୍କ୍‍ ଏଥିପାଇଁ ଅନୁମତି ଦେବା ଫଳରେ ରାଜ୍ୟ ସରକାରଙ୍କୁ ଆଉ ଖୋଲା ବଜାରରୁ ଋଣ କରିବାକୁ ପଡିବନାହିଁ ।

ରାଜ୍ୟ ସରକାର ରିଜର୍ଭ ବ୍ୟାଙ୍କର କନସୋଲିଡେଟେଡ ସିଙ୍କିଙ୍ଗ୍‍ ଫଣ୍ଡ୍‍ (ସିଏସ୍‍ଏଫ୍‍)ରେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଜମା ରଖିଛନ୍ତି । ସରକାରଙ୍କ ସଫଳ ଆର୍ଥିକ ପରିଚାଳନା ଯୋଗୁଁ କରୋନା ଭଳି ବିପତ୍ତି ସମୟରେ ଏବେ ଏହି ଅର୍ଥ ସହାୟକ ହୋଇଛି । ଏହି ପାଣ୍ଠିରେ ଅର୍ଥ ଜମା ରଖିବା କ୍ଷେତ୍ରରେ ମହାରାଷ୍ଟ୍ର ଓ ଗୁଜୁରାଟ ପଛକୁ ଓଡିଶା ତୃତୀୟ ସ୍ଥାନରେ ରହିଛି । ଆଜିର ଦିନରେ ରଭିର୍ଭବ୍ୟାଙ୍କ୍‍ରେ ରାଜ୍ୟ ସରକାରଙ୍କର ୧୩,୦୦୩ କୋଟି ୫୪ଲକ୍ଷ ଟଙ୍କା ରହିଛି ।

ବର୍ତ୍ତମାନ କରୋନା ବିପତ୍ତି ସମୟରେ ରିଜର୍ଭବ୍ୟାଙ୍କ ଏହି ପାଣ୍ଠିରୁ ଅର୍ଥ ଉଠାଣ ପାଇଁ ନିୟମକୁ କୋହଳ କରିଛି । ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ୨୫୦୦ କୋଟି ଟଙ୍କା ଉଠାଯାଇ ପାରିବ । ଚଳିତ ଆର୍ଥକ ବର୍ଷରେ ଓଡିଶା ସରକାର ଏହି ପାଣ୍ଠିରୁ ୮୦୦ କୋଟି ଟଙ୍କା ଉଠାଇବାର ଅନୁମତି ଥିଲା । କିନ୍ତୁ କରୋନା ପାଇଁ ଲାଗୁ କୋହଳ ବ୍ୟବସ୍ଥାରେ ସରକାର ଆଉ ଅତିରିକ୍ତ ୧୭୦୦ କୋଟି ଟଙ୍କା ଉଠାଇବାପାଇଁ ରିଜର୍ଭବ୍ୟାଙ୍କ୍‍ ଅନୁମତି ଦେଇଛନ୍ତି । ଏହା ଫଳରେ ରାଜ୍ୟ ସରକାର ଆବଶ୍ୟକ କରୁଥିବା ୧୭୦୦ କୋଟି ଟଙ୍କା ଆଉ ଖୋଲା ବଜାରରୁ ଉଠାଇବେ ନାହିଁ ।

କରୋନା ପରିପ୍ରେକ୍ଷୀରେ ଖୋଲା ବଜାରରୁ ଅଧିକ ଋଣ ଉଠାଇବାପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଅନୁମତି ଦେଇଛନ୍ତି । ରାଜ୍ୟର ମୋଟ୍‍ ଘରୋଇ ଉତ୍ପାଦନ (ଜିଏସ୍‍ଡିପି) ୬ଲକ୍ଷ କୋଟି ଟଙ୍କା ଥିବାବେଳେ ଓଡିଶା ଦେଢ ଲକ୍ଷ କୋଟି ଟଙ୍କାର ଋଣ କରିପାରିବେ ବୋଲି କେନ୍ଦ୍ରୀୟ ଅନୁମତି ମିଳିଛି । ୨୦୧୯-୨୦ ମସିହାରେ ରାଜ୍ୟର ରାଜସ୍ୱ ଏକ ଲକ୍ଷ ୨ହଜାର କୋଟି ଟଙ୍କା ଥିବାବେଳେ କେରାନା ମହାମାରୀ ଯୋଗୁଁ ରାଜସ୍ୱ ଆଦାୟ ଚଳିତବର୍ଷ ପ୍ରଭାବିତ ହୋଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ୍‍ର ରିପୋର୍ଟ ଅନୁଯାୟୀ କରୋନା ପାଇଁ ଶିଳ୍ପ ଓ ବ୍ୟବସାୟ ପ୍ରଭାବିତ ହୋଇଥିବା ଯୋଗୁଁ ଓଡିଶା ୫୪,୦୩୩ କୋଟି ଟଙ୍କା ହରାଇବ ଯାହାକି ରାଜ୍ୟ ଜିଏସ୍‍ଡିପିର ୯.୪ ପ୍ରତିଶତ । ଯଦିଓ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା କ୍ଷତି ନେଇ ବିସ୍ତୃତ ଆକଳନ କରିନାହାନ୍ତି ତଥାପି ଏସ୍‍ବିଆଇର ଆକଳନକୁ ଅଧିକାରୀମାନେ ଅଣଦେଖା କରିପାରୁ ନାହାନ୍ତି ।

 

Share

Leave a Reply

Your email address will not be published. Required fields are marked *

14 − 3 =