କେନ୍ଦ୍ରାପଡାରେ ନବୀନଙ୍କ ବଡ ଘୋଷଣା : 33% ମହିଳା ଯିବେ ସଂସଦକୁ

 

ଜାତୀୟ ଦଳଙ୍କୁ ନବୀନଙ୍କ ଆହ୍ୱାନ : ପ୍ରତିଶ୍ରୁତି ପାଳ

ଭୁବନେଶ୍ୱର () କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସାରା ଦେଶରେ ମହିଳାଙ୍କ ପାଇଁ ସାଂସଦ ଓ ବିଧାନସଭାରେ 33 ପ୍ରତିଶତ ସଂରକ୍ଷଣ ଅଭିଯାନର ନେତୃତ୍ୱ ନେଉଥିବାରୁ 2019ରେ ବିଜେଡି କେତେ ମହିଳାଙ୍କୁ ଦଳୀୟ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ କେନ୍ଦ୍ରାପଡାରେ ସେ ଘୋଷଣା କରିଛନ୍ତି ଯେ, ଓଡିଶାରୁ 33 ପ୍ରତିଶତ ମହିଳା ସଂସଦକୁ ଯିବେ ।

କେନ୍ଦ୍ରାପଡା ମାଟି, ବିଜୁ ବାବୁଙ୍କ ମାଟି । ବିଜୁ ବାବୁ ସାରା ଦେଶକୁ ବାଟ ଦେଖାଇଥିଲେ । 90 ଦଶକରେ ମହିଳାଙ୍କ ପାଇଁ ପଂଚାୟତରେ 33 ପ୍ରତିଶତ ସଂରକ୍ଷଣ ଦେଇ ଇତିହାସ ସୃଷ୍ଟି କରିଥିଲେ ।

କେନ୍ଦ୍ରାପଡାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣଙ୍କ ସରକାର 2012ରେ ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାମାନଙ୍କ ପାଇଁ 50 ପ୍ରତିଶତ ସଂରକ୍ଷଣ ଦେଲେ । ମହିଳା ସଶକ୍ତିକରଣ ଅଭିଯାନକୁ ଆଗେଇନେଇ ଗତବର୍ଷ ଆପଣଙ୍କ ସରକାର ସାରା ଦେଶରେ ପ୍ରଥମ ଥର ପାଇଁ ମହିଳାଙ୍କୁ ସଂସଦ ଓ ବିଧାନସଭାରେ 33 ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଓଡିଶା ବିଧାନସଭାରେ ସଂକଳ୍ପ ପାରିତ କଲା । ମୁଁ ଦେଶର ସବୁ ଦଳ ଓ ମୁଖ୍ୟମନ୍ତ୍ରୀମାନକୁ ଏହି ପ୍ରସ୍ତାବ ଦେଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।

ଏଥିସହ ଆଜି ବିଜୁ ବାବୁଙ୍କ ପ୍ରିୟ ଐତିହାସିକ କେନ୍ଦ୍ରାପଡା ମାଟିରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ସଂସଦକୁ ଓଡିଶାରୁ 33 ପ୍ରତିଶତ ମହିଳା ଯିବେ । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶା ସାରା ଦେଶକୁ ମହିଳା ସଶକ୍ତିକରଣର ବାଟ ଦେଖାଇବେ । ଓଡ଼ିଶାର ମା ମାନେ ଦେଶକୁ ବାଟ ଦେଖାଇବେ  । ସେ କହିଥିଲେ ଯେ, ଯଦି ଭାରତକୁ ସାରା ବିଶ୍ୱର ଅଗ୍ରଣୀ ଦେଶ ହେବାର ଅଛି, ଯଦି ଭାରତ ଆମେରିକା ଓ ଚୀନ ପରି ଆଗୁଆ ଦେଶ ହେବାର ଅଛି, ତେବେ ଏହା କେବଳ ମହିଳା ସଶକ୍ତିକରଣ ଦ୍ୱାରା ହିଁ ସମ୍ଭବ ।

ମହିଳା ସଶକ୍ତିକରଣ ପାଇଁ ଜାତୀୟ ଦଳଗୁଡିକ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ପାଳନ କରନ୍ତୁ। ଶ୍ରୀ ବଳଦେବଜୀଉଙ୍କ ପବିତ୍ର ମାଟି କେନ୍ଦ୍ରାପଡ଼ାରୁ ଏହି ଘୋଷଣା ସାରା ଦେଶରେ ଇଟିହାସ ସୃଷ୍ଟି କରିବ ବୋଲି ସେ କହିଥିଲେ ।

Share

Leave a Reply

Your email address will not be published. Required fields are marked *

fifteen − fifteen =