୫୨୦୦ ଅଧ୍ୟାପକ ଓ ଅଧ୍ୟାପିକା ଦରମା ବୃଦ୍ଧିହେବ

ଭୁବନେଶ୍ୱର- ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ କାଳିଆ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥର ଆବଶ୍ୟକ ପଡ଼ୁଥିବାରୁ ଓଡ଼ିଶା ଆକସ୍ମିକ ପାଣ୍ଠିର କର୍ପସକୁ ୪୦୦ କୋଟିରୁ ୧୬୦୦ କୋଟି ଟଙ୍କାଙ୍କୁ ବୃଦ୍ଧି କରିବା ନିମନ୍ତେ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଏହା ଅଧ୍ୟାଦେଶ ବଳରେ ବୃଦ୍ଧି କରାଯିବ ବୋଲି ଏହି ବୈଠକରେ ନିଷ୍ପତି ହୋଇଛି । ଏହି ବିଷୟ ସମେତ ଆସିଥିବା ୧୨ଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି ।
ଆଜି ସଚିବାଳୟଠାରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଧ୍ୟକ୍ଷତାରେ ଅନୁÂିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଆକସ୍ମିକ ଖର୍ଚ୍ଚ ଭରଣା ନିମନ୍ତେ ଓଡ଼ିଶା ଆକସ୍ମିକ ପାଣ୍ଠି ସଂଶୋଧନ ଆଇନ ୨୦୦୮ ଦ୍ୱାରା ଏହି ପାଣ୍ଠିର କର୍ପସ ଅର୍ଥକୁ ୧୫୦ କୋଟି ଟଙ୍କାରୁ ୪୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ଓଡ଼ିଶା ଆକସ୍ମିକ ପାଣ୍ଠି ଆଇନ ୧୯୬୭ ଧାରା (୧) ଅନୁଯାୟୀ ସଂଶୋଧନ ମାଧ୍ୟମରେ ୨୦୧୮ର ଓଡ଼ିଶା ଅଧ୍ୟାଦେଶ ନଂ ୧ ଦ୍ୱାରା ପାଣ୍ଠିର କର୍ପସ ଅର୍ଥ ୪୦୦ କୋଟି ଟଙ୍କାରୁ ୧୪୦୦ କୋଟି ଟଙ୍କାକୁ ସାମୟିକ ଭାବେ ବୃଦ୍ଧି କରାଯାଇଥିଲା । ପଂଚାୟତରାଜ ପାନୀୟ ଜଳ ବିଭାଗର କେନ୍ଦ୍ର ପ୍ରବର୍ତିତ ଯୋଜନା ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଅନ୍ତର୍ଗତ ରାଜ୍ୟ ଅଂଶ ଓ କେନ୍ଦ୍ର ଅଂଶ ବାବଦକୁ ଏହି ସାମୟିକ ବୃଦ୍ଧି କରାଯାଇଥିଲା । ସମ୍ବିଧାନ ଧାରା ୨୧୩ (୨) (ଏ) ଅନୁଯାୟୀ ବିଧାନ ସଭା ଆରମ୍ଭ ହେବାର ୬ ସପ୍ତାହ ପରେ ଏହି ଅଧ୍ୟଦେଶର କାର୍ଯ୍ୟ କ୍ଷମତା ସମାପ୍ତ ହୋଇଯାଇଛି । ତେଣୁ ୧୦୦୦ କୋଟି ଟଙ୍କା ଓଡ଼ଶା ସଂଗଠିତ ପାଣ୍ଠିକୁ ଫେରସ୍ତ କରାଯାଇଛି । ବର୍ତମାନ ଓଡ଼ିଶା ଆକସ୍ମିକ ପାଣ୍ଠିରେ ୪୦୦ କୋଟି ଟଙ୍କା ରହିଛି । ଓଡ଼ିଶା ମୁଖ୍ୟତଃ କୃଷିଭିତିକ ଅର୍ଥନିତୀ ହୋଇଥିବାରୁ ଏହାର ୬୦ ପ୍ରତିଶତ ଜନସାଧାରଣ ସେମାନଙ୍କ ଜୀବିକା କୃଷି ଉପରେ ନିର୍ଭର କରିଥାନ୍ତି । ତେଣୁ କୃଷକ ମାନଙ୍କର କଲ୍ୟାଣ ଉପରେ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ରାଜ୍ୟରେ ଅଧିକ ଦର କୃଷିର ଉନ୍ନତିକରଣ ଓ ଦାରିଦ୍ର୍ୟ ହ୍ରାସ ନିମନ୍ତେ ଜୀବିକା ଓ ଆୟ ବୃଦ୍ଧି ପାଇଁ କୃଷକଙ୍କୁ ସହାୟତା ଲାଗି କାଳିଆ ଯୋଜନା ମାଧ୍ୟମରେ ୩ ବର୍ଷ ପାଇଁ ୧୦ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ଗୋଟିଏ ପ୍ରଗତିଶୀଳ ଯୋଜନା । ଯାହାଦ୍ୱାରା ୫ ଗୋଟି ଗଠନମୂଳକ ପଦକ୍ଷେପ ମାଧ୍ୟମରେ କୃଷିର ଅଭିବୃଦ୍ଧି ଓ ସାମଗ୍ରିକ ଉନ୍ନୟନ ହୋଇପାରିବ । ଏହି ୫ ଗୋଟି ହେଲା – ଚାଷୀ ପାଇଁ ସହାୟତା, ଜୀବିକା ପାଇଁ ସହାୟତା, ଦୁର୍ବଳ ଚାଷୀ ପରିବାର ଓ ଆର୍ଥିକ ସହାୟତା, ଜୀବନ ବୀମା ସୁବିଧା ଓ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଫସଲ ଋଣ । ଏହି ଯୋଜନା ବାବଦକୁ ଚଳିତ ଆର୍ଥିକ ବର୍ଷରେ ୧୭୩୩ କୋଟି ଟଙ୍କାର ଆବଶ୍ୟକ ହେବ ଓ ଏହା ବାର୍ଷିକ ବଜେଟ ୨୦୧୯-୨୦ ପର୍ଯ୍ୟନ୍ତ ଅପେକ୍ଷା କରାଯାଇ ପାରିବ ନାହିଁ ।
୨୦୧୮-୧୯ ବଜେଟରେ କୃଷକ କଲ୍ୟାଣ ଯୋଜନା ଅଧିନରେ ୨୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ଏବଂ ବିଭିନ୍ନ ଯୋଜନା ଗୁଡ଼ିକ ଅଧିକରେ ଚିହ୍ନିତ ସଂଚୟ ଅର୍ଥ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ନୁହେଁ । ତେଣୁ ଆକସ୍ମିକ ଖର୍ଚ୍ଚ ଭରଣା ନିମିତ ଓଡ଼ିଶା ଆକସ୍ମିକ ପାଣ୍ଠିରୁ ପ୍ରାୟ ୧୦୦୦ କୋଟି ଟଙ୍କା ଅଗ୍ରୀମ ମଂଜୁରୀ ଆବଶ୍ୟକ । ସେହିପରି ସରକାରୀ ବ୍ୟୟ ଆବଶ୍ୟକତାକୁ ଭରଣା କରିବା ପାଇଁ ସାମୟିକ ଭାବରେ ଆକସ୍ମିକ ପାଣ୍ଠିର ପରିମାଣ ୪୦୦ କୋଟିରୁ ୧୬୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବାର ଆବଶ୍ୟକତା କରୁଛି । ବର୍ତମାନ ବିଧାନସଭା ଚାଲୁନାହିଁ । ତେଣୁ ଅର୍ଥର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ଅଧ୍ୟାଦେଶ ବେଳରେ ଆକସ୍ମିକ ପାଣ୍ଠିର କର୍ପସ ବୃଦ୍ଧି କରାଯିବା ପାଇଁ ନିଷ୍ପତି ହୋଇଛି ।
ସେ କହିଲେ ଯେ, ବିଶ୍ୱ ବିଦ୍ୟାଳୟ ମଂଜୁରୀ ଆୟୋଗର ସୁପାରିଶ କ୍ରମେ ରାଜ୍ୟରେ ଥିବା ସରକାରୀ ବିଶ୍ୱ ବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ଏବଂ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଗୁଡ଼ିକର ୟୁଜିସି ହାରରେ ବେତନ ପାଉଥିବା ଶିକ୍ଷକ ମାନଙ୍କର ବେତନ ସଂଶୋଧନ କରିବା ନିମନ୍ତେ ସରକାର ଗଠନ କରିଥିବା ବେତନ ନିର୍ଦ୍ଧାରଣ କମିଟିର ରିପୋର୍ଟ ରାଜ୍ୟ ମନ୍ତ୍ରୀମଣ୍ଡଳୀୟ ବୈଠକରେ ଅନୁମୋଦନ ଲାଭ କରିଛି । ଏହାଦ୍ୱାରା ରାଜ୍ୟରେ ଥିବା ବିଶ୍ୱ ବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଗୁଡ଼ିକର ପ୍ରାୟ ୫୨୦୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପକୃତ ହେବେ । ଏହି ସଂଶୋଧିତ ବେତନ ପ୍ରଦାନ ପାଇଁ ରାଜ୍ୟ ସରକାର ବର୍ଷକୁ ହାରାହାରି ୧୩୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ବହନ କରିବେ । ଆସନ୍ତା ମାସରୁ ଏହି ସଂଶୋଧିତ ବର୍ଦ୍ଧିତ ଦରମା ସମ୍ପୃକ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପାଇବେ । ଜାନୁୟାରୀ ୧ ତାରିଖରୁ ଏହା ଲାଗୁ ହେବ । ସପ୍ତମ ବେତନ କମିଶନ ବ୍ୟବସ୍ଥା ଅନୁଯାୟୀ ୪୦ ପ୍ରତିଶତ ମିଳିବ ଏବଂ ୬୦ ପ୍ରତିଶତ ପରେ ଦିଆଯିବ ।
ଏଣିକି ବନପାଳ ମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଖୋଲା, ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ଓଡ଼ିଶା ସବଡ଼ିନେଟ ଷ୍ଟାଫ ସିଲେକସନ କମିଶନଙ୍କ ଦ୍ୱାରା ପରୀକ୍ଷା କରିବା ଲାଗି କ୍ୟାବିନେଟରେ ନିଷ୍ପତି ନିଆଯାଇଛି । ଓଡ଼ିଶାର ଅଧସ୍ଥନ କର୍ମଚାରୀ ଚୟନ ଆୟୋଗଙ୍କ ଅନୁମୋଦନରେ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଅଧିନରେ ଏକ ବୋଡର଼୍ ଗଠନ ବ୍ୟବସ୍ଥା ରହିଛି । ଯେଉଁଥିରେ ସମ୍ପୃକ୍ତ ଡିଭିଜନର ଡିଏଫଓ, ଡିଡବ୍ଲୁଓ, ମେଡ଼ିକାଲ ଅଫିସର ସଦସ୍ୟ ଭାବେ ରହିବେ ଏବଂ ଏ.ସି.ଏଫ ହେଡ଼କ୍ୱାର୍ଟର ମେମ୍ବର ସେକ୍ରେଟେରୀ ରହିବେ । ଏହା ବ୍ୟତୀତ ପୋଲିସ କନେଷ୍ଟବଳ ମାନଙ୍କ ପାଇଁ ଶାରୀରିକ ପରୀକ୍ଷା ଯାହା ରହିଛି ଫରେଷ୍ଟର ଏବଂ ଫରେଷ୍ଟ ଗାଡର଼୍ ମାନଙ୍କ ପାଇଁ ମଧ୍ୟ ତାହା ଲାଗୁ କରିବା ପାଇଁ ବୈଠକରେ ସ୍ଥିର ହୋଇଛି ।
ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ତହସିଲ ଅନ୍ତର୍ଗତ ଟାଙ୍ଗି ମୌଜାରେ ୨.୦୪୫ ଡିସିମିଲ ସରକାରୀ ଜମିରେ ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସ୍ଥାପିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏ.ଆଇ.ଆଇ.ଏମ.ଏସ) ଭୁବନେଶ୍ୱର ଛାତ୍ର ମାନଙ୍କ ପାଇଁ ଉନ୍ନତ ତାଲିମ ଓ ଆବାସିକ ସୁବିଧା ଲାଗି ମାଗଣାରେ ଦେବାପାଇଁ କ୍ୟାବିନେଟରେ ଅନୁମୋଦନ କରାଯାଇଛି ।
ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଉକ୍ରଳ ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ ମନୋବିଜ୍ଞାନ ପ୍ରଫେସର ଡ. ନମିତା ମହାନ୍ତି ଏବଂ ଅବସରପ୍ରାପ୍ତ ସ୍ୱତନ୍ତ୍ର ଶାସନ ସଚିବ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କ ନିଯୁକ୍ତିକୁ କ୍ୟାବିନେଟ ଅନୁମୋଦନ କରିଛି ।

Share

Leave a Reply

Your email address will not be published. Required fields are marked *

19 + three =