୬ ଜିଲାକୁ ସତର୍କ ସୂଚନା, ପ୍ରବଳ ବର୍ଷିବ

ଭୁବନେଶ୍ୱର()  ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେବାକୁ ଯାଉଛି । ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ବର୍ଷା ଲାଗି ରହିବ । ଆଜି ପାଇଁ ୬ଟି ଜିଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୃଷ୍ଟି ହୋଇଥିବା ଲଘୁଚାପ ଆନ୍ଧ୍ର ଉପକୂଳରେ ଘନୀଭୂତ ହୋଇ ୱେଲ ମାର୍କଡରେ ପରିଣତ ହୋଇଛି । ଏହା ୧୨ ଘଣ୍ଟାରେ ଅବପାତ ରୂପ ନେବା ସହିତ ୨୪ ଘଣ୍ଟା ଭିତରେ ଗଭୀର ଅବପାତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ବର୍ଷା ଲାଗି ରହିବ । ଏନେଇ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୬ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସମ୍ଭାବ୍ୟ ଅବପାତ ପାଇଁ ପୁରୀ ଓ ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ସେପଟେ ଟ୍ୱିନ ସିଟି କଟକ-ଭୁବନେଶ୍ୱର ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା କାରଣରୁ ରାସ୍ତାଘାଟ ଭଲ ଭାବରେ ଦେଖାଯିବ ନାହିଁ । ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମା ହେବା ସହିତ ଟ୍ରାଫିକ ଜାମ୍ ସମସ୍ୟା ଦେଖାଯାଇପାରେ ।

Share

Leave a Reply

Your email address will not be published. Required fields are marked *

2 × five =