ଆଜି ସହସ୍ର କୁମ୍ଭାଭିଷେକ ନୀତି

ପୁରୀ()  ଆସନ୍ତା ବୁଧବାର ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେବ । ଏହା ପରେ ଶ୍ରୀମନ୍ଦିରରେ ଶାରଦୀୟ ପୂଜାର୍ଚ୍ଚନାର ଶୁଭାରମ୍ଭ ହେବ । ୧୦ ତାରିଖ ଗୁରୁବାର ମୂଳାଷ୍ଟମୀ । ଶ୍ରୀମନ୍ଦିରରେ ଆରମ୍ଭ ହେବ ମା’ବିମଳାଙ୍କ ଷୋଡଶଦିନାତ୍ମକ ପୂଜାର୍ଚ୍ଚନା । ଏହି ଅବସରରେ ଦୁର୍ଗାମାଧବ ଉପାସନା କରାଯିବ । ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ । ସର୍ବତ୍ର ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ଥିଲା ବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଉପାସନାର ପ୍ରଚଳିତ ରହିଛି

ଶାରଦୀୟ ପୂଜା ଅବସରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ରତ୍ନ ଭଣ୍ଡାରରୁ ମା’ଦୁର୍ଗାଙ୍କର ସ୍ୱର୍ଣ୍ଣପ୍ରତିମା ସିଂହାସନରେ ବିଜେ ହେବେ । ମା’ସୁଭଦ୍ରାଙ୍କ ଆଜ୍ଞାମାଳ ମା’ଦୁର୍ଗାଙ୍କୁ ଲାଗି କରାଯିବ । ମା’ଦୁର୍ଗାଙ୍କ ମାଜଣା ମଣ୍ଡପକୁ ବିଜେ ହୋଇ ଠାକୁରାଣୀଙ୍କ କୁମ୍ଭାଭିଷେକ ହେବ । ପଞ୍ଚୋପଚାରରେ ପୂଜାବିଦ୍ଧି ସରିବ । ମାଧବଙ୍କ ପ୍ରତିମୂର୍ତ୍ତିଙ୍କୁ ବିଜେ କରାଯାଇ ଦୁର୍ଗାଙ୍କ ସହିତ ରୁନ୍ଧା ହୋଇ ଏକତ୍ର ଇନ୍ଦ୍ର ଆସନରେ ବିଜେ ହେବେ । ପରେ ସୁସଜ୍ଜିତ ବିମାନରେ ଯାଇ ମା’ବିମଳା ଠାକୁରାଣୀଙ୍କ ଜଗମୋହନରେ ବିଜେ ହେବେ । ସ୍ୱତନ୍ତ୍ର ଭୋଗ ଅର୍ପଣ କରାଯାଇ ଆଳତି ଓ ବନ୍ଦାପନା ନୀତି ବଢ଼ିବ । ଶୀତଳ ଭୋଗ ଅର୍ପଣ ହୋଇ ବନ୍ଦାପନା କରାଯିବ । ଠାକୁରଙ୍କ ରାତି ଚନ୍ଦନଲାଗି ନୀତି ବଢ଼ିବା ପରେ ସେବାୟତମାନେ ଦୁର୍ଗାମାଧବଙ୍କୁ ବିଜେ କରାଇ ଆଣି ଭଣ୍ଡାର ଘରେ ସ୍ଥାପନ କରିବେ । ଷୋଳପୂଜାର ପ୍ରଥମ ୮ଟି ଦିନ ଏହିଭଳି ନୀତି ହେବ । ଷୋଳପୂଜା ନବମ ଦିନରୁ ଦୁର୍ଗାମାଧବଙ୍କୁ ବିମାନରେ ନେଇ ଶ୍ରୀମନ୍ଦିର ସମ୍ମୁଖସ୍ଥ ଦୋଳମଣ୍ଡପ ସାହିରେ ଥିବା ନାରାୟଣଙ୍କ ମନ୍ଦିରଠାରେ ବିଜେ ହୋଇ ସେଠାରେ ଯଥାବିଧି ପୂଜା ସମ୍ପନ୍ନ ପରେ ଠାକୁର ଠାକୁରାଣୀ ଫେରିଆସି ଭଣ୍ଡାରଘରେ ବିରାଜିବେ । ଏହି ୧୬ ଦିନ ବ୍ୟାପି ଦୁର୍ଗା ମାଧବ ଉପାସନାକୁ ଶକ୍ତ ଗୁଣ୍ଡିଚା, ଷୋଳପୂଜା, ଶାରଦୀୟ ଦେବୀ ପୂଜା ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ଠାକୁରାଣୀଙ୍କ ପୂଜାର୍ଚ୍ଚନା କରାଯିବ ।

Share

Leave a Reply

Your email address will not be published. Required fields are marked *

fourteen − seven =