ଆଗୁଆ ନିର୍ବାଚନର ସମ୍ଭାବନା କ୍ଷୀଣ

ଭୂବନେଶ୍ବର () ରାଜ୍ୟରେ ଆଗୁଆ ନିର୍ବାଚନର ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଧାରିତ ସମୟରେ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତଦନୁଯାୟୀ ଆସନ୍ତା ଜାନୁଆରୀ 4 ତାରିଖରେ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବ । ସଂଶୋଧିତ ଭୋଟର ତାଲିକାରେ 2019 ଜାନୁଆରୀ 1 ତାରିଖ ସୁଦ୍ଧା 18 ବର୍ଷରେ ପ୍ରଦାର୍ପଣ କରୁଥିବା ଯୁବକମାନେ ମଧ୍ୟ ଆବଶ୍ୟକ ପ୍ରମାଣପତ୍ର ସହ ଆବେଦନ କଲେ ସେମାନେ ଆସନ୍ତା ସାଧାରଣ ନିର୍ବାଚନରେ ସେମାନଙ୍କ ମତଦାନର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିପାରିବେ । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି  ।

ଚଳିତ ବର୍ଷ ସେପ୍ଟେମ୍ବର 1 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଚିଠା ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା 3 କୋଟି 12 ଲକ୍ଷ 57 ହଜାର 803  । ସେ ମଧ୍ୟରେ ପୁରୁଷ ଭୋଟର 1 କୋଟି 61 ଲକ୍ଷ 16 ହଜାର 754 ଏବଂ ମହିଳା ଭୋଟରଙ୍କ ସଂଖ୍ୟା 1 କୋଟି 51 ଲକ୍ଷ 38ହଜାର 898  । 2151 ଜଣ ତୃତୀୟ ଲିଙ୍ଗ ଭୋଟର । ସେପ୍ଟେମ୍ବର 1ରୁ 31 ମଧ୍ୟରେ କମିଶନ ଆପତ୍ତି ଅଭିଯୋଗ ଗ୍ରହଣ କରି ନଭେମ୍ବର 30 ତାରିଖ ସୁଦ୍ଧା ଫଇସଲା କରିବେ । ଜାନୁଆରୀ 1 ତାରିଖ ସୁଦ୍ଧା 18ବର୍ଷ ହେବାକୁ ଥିବା ସବୁ ଯୁବକ ଯୁବତୀ ସେପ୍ଟେମ୍ବର 31 ତାରିଖ ସୁଦ୍ଧା ଆବଶ୍ୟକ ଜନ୍ମ ପ୍ରମାଣପତ୍ର ଦେଇ ଆବେଦନ କଲେ ସେମାନେ ମଧ୍ୟ ଚୁଡାନ୍ତ ଭୋଟର ତାଲିକାରେ ତାଲିକାଭୁକ୍ତ ହେବେ । ଜାନୁଆରୀ 4 ତାରିଖରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ  ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଗତ ଦୁଇଟି ସାଧାରଣ ନିର୍ବାଚନ ଭଳି ଏଥର ମଧ୍ୟ ରାଜ୍ୟରେ ଏଭିଏମରେ ମତଦାନ କରାଯିବ । ତେବେ ଏଥର ସାଧାରଣ ନିର୍ବାଚନରେ ଭାରତ ଇଲେକ୍ଟ୍ରିକାଲସ ଲିମିଟେଡ ଦ୍ବାରା ପ୍ରସ୍ତୁତ ଇଭିଏମ ନୁହେଁ ବରଂ ଇଲୋକଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ନିର୍ମିତ ଇଭିଏମର ବ୍ୟବହାର କରାଯିବ । ଏଥିସହ ସବୁ ବୁଥରେ ଭିଭିପାଟର ମଧ୍ୟ ବ୍ୟବହାର କରାଯିବ  । ଗତ ନିର୍ବାଚନରେ ରାଜ୍ୟରେ ମୋଟ 35ହଜାର 896ଟି ମତଦାନ କେନ୍ଦ୍ରରେ ମତଦାନ କରାଯାଇଥିବା ବେଳେ ଏବର୍ଷ ନୂଆ ଫର୍ମୁଲାରେ ହେଉଥିବା ମତଦାନ କେନ୍ଦ୍ରର ସମୀକରଣରେ ରାଜ୍ୟରେ ମତଦାନ କେନ୍ଦ୍ର ସଂଖ୍ୟା 18ଶହରୁ ଦୁଇ ହଜାର ବଢିବ  । ପ୍ରଥମ ଥର ପାଇଁ 2019 ସାଧାରଣ ନିର୍ବାଚନରେ ରାଜ୍ୟରେ ସବୁ ବୁଥରେ ଇଭିଏମ ସହ ଭିଭିପାଟର ବ୍ୟବହାର ହେଉଥିବାରୁ ଭାରତୀୟ ନିର୍ବାଚନ ଆୟୋଗ ଓଡିଶାକୁ 96 ହଜାର ଇଭିଏମ ଓ ଭିଭିପାଟ ମେସିନ ଯୋଗାଇଦେବେ । ଓଡିଶାରେ ଏମ୍-2 ମଡେଲ ଇଭିଏମ ମେସିନ ବ୍ୟବହାର କରାଯିବ ।

ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ରାଜ୍ୟରେ ଇଭିଏମ ଏବଂ ଭିଭିପାଟ ମେସିନ ପହଁଚିବ । ସାଧାରଣ ନିର୍ବାଚନ ପାଇଁ ରହିଥିବା ବିଧି ବ୍ୟବସ୍ଥା ଅନୁଯାୟୀ ନିର୍ବାଚନର 180 ଦିନ ଅର୍ଥାତ 6 ମାସ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ଜିଲ୍ଲାର ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତିରେ ଇଭିଏମଗୁଡିକର ପ୍ରଥମ ସ୍ତରର ଜାଂଚ କରାଯିବ । ଏଥିସହିତ ଇଭିଏମ ଏବଂ ଭିଭିପାଟର ପରୀକ୍ଷଣ ପାଇଁ ମକଡ୍ରିଲ ମଧ୍ୟ କରାଯିବ । ଏହାପରେ ଇଭିଏମଗୁଡିକୁ ଗୋଲାପି ରଙ୍ଗର କାଗଜରେ ସିଲ କରାଯିବ ।

ଏଥର ନିର୍ବାଚନକୁ କେନ୍ଦ୍ର ସରକାର ସୁଗମ ମତଦାନ ବର୍ଷ ଭାବେ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମ ଅନଯାୟୀ ଭିନ୍ନକ୍ଷମ ଭ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ଯୋଗ କରାଯିବା ସହ ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସଂଶ୍ଲିଷ୍ଟ କରିବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ । ଏଥିପାଇଁ ମତଦାନ କେନ୍ଦ୍ରରେ ର୍ୟାମ, ହ୍ବିଲ ଚେୟାର ଓ ସ୍ବେଚ୍ଛାସେବୀଙ୍କ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × two =