ପ୍ରତିଭା ନା ରୁଦ୍ର, କାହା ମୁଣ୍ଡରେ ସୁନା କଳସ ?

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ । ଦଳୀୟ ମୁଖପାତ୍ର ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ପିପିଲିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡ଼ି ।ଏନେଇ ବିଜେଡି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି ।ତେବେ ଏସବୁ ଭିତରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ପିପିଲି ପାଇଁ ବିଜେଡି ପକ୍ଷରୁ କୌଣସି ପ୍ରାର୍ଥୀଙ୍କୁ ସାମ୍ନାକୁ ଅଣାଯାଇନଥିବା ବେଳେ ରୁଦ୍ର କହିଛନ୍ତି, ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ଗ୍ରହଣ କରିବୁ । ଏପରିକି ଦଳ ଯାହାକୁ ପ୍ରାର୍ଥୀ ରୂପେ ଚୟନ କରିବ, ଦଳର ନିଷ୍ପତ୍ତିକୁ ଆମେ ସମର୍ଥନ କରିବୁ ବୋଲି ରୁଦ୍ର କହିଛନ୍ତି  । 

ପ୍ରଦୀପଙ୍କ ଦେହାନ୍ତ ପରେ ପିପିଲିରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ସସପେନ୍ସ ଜାରି ରହିଛି । ଏପରିକି ଦଳ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସଂକେତ ମିଳିନାହିଁ । ତେବେ ବିଜେଡି ଟିକେଟ ପାଇଁ ପୁଅ ରୁଦ୍ର ଆଶାୟୀ କି ନୁହେଁ ପ୍ରଶ୍ନରେ ରୁଦ୍ର କହିଛନ୍ତି, ଦଳ ପକ୍ଷରୁ ଏଯାଏଁ ଡାକି ଆଲୋଚନା କରାଯାଇନାହିଁ କି ମୁଁ ମଧ୍ୟ କୌଣସି ନିଷ୍ପତ୍ତି ନେଇନାହିଁ । ମୁଁ ମାଟି ପାଇଁ କାମ କରୁଥିଲି କରିବି । ଟିକେଟ ଆଶାରେ କେବେ ମୁଁ ମାଟି ପାଇଁ କାମ କରିବି ନାହିଁ ବୋଲି କହିଛନ୍ତି ରୁଦ୍ର ମହାରଥୀ |

ପିପିଲି ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଠାରେ ନିଜର ଅଙ୍କକଷା ଆରମ୍ଭ କରିଦେଇଛନ୍ତି । ୩ ଦଳ ଏହି ଆସନରେ ବାଜିମାତ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେସୁଦ୍ଧା କୌଣସି ଦଳ ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିବା ସମୟରେ ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ସେ ନିଜେ କିଛି ଦିନ ତଳେ ସୁଯୋଗ ମିଳିଲେ ନିର୍ବାଚନ ଲଢିବେ ବୋଲି କହିଥିଲେ ।ସେହିଭଳି ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ମଧ୍ୟ ପରୋକ୍ଷ ଭାବେ ଟିକେଟ ଆଶାୟୀ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି |

Share

Leave a Reply

Your email address will not be published. Required fields are marked *

nineteen − 16 =