କର୍ମଚାରୀଙ୍କୁ ଶୋଷଣ କରୁଛି ଓର୍‌ଟେଲ

ଭୁବନେଶ୍ୱର() ପୁଣି ଆସିଲା ଓର୍‌ଟେଲ ନାଁରେ ସାଂଘାତିକ ଅଭିଯୋଗ । କର୍ମଚାରୀଙ୍କୁ ଦରମା ନଦେଇ ଦୀର୍ଘ ଦିନ ଧରି କରୁଥିଲା ଶୋଷଣ । ଏନେଇ ମଙ୍ଗଳବାର ଓରଟେଲ୍‌ର କିଛି କର୍ମଚାରୀ ଅଭିଯୋଗ କରିଛନ୍ତି ।

ଓରଟେଲ କମ୍ୟୁନିକେସନ ଲିମିଟେଡରେ କାର୍ୟ୍ୟ କରୁଥିବା ପ୍ରାୟ ୧୭ ଜଣ କର୍ମଚାରୀଙ୍କୁ ଦୀର୍ଘ ୭ ମାସ ହେବ ଦରମା ଦେଇ ନାହିଁ କମ୍ପାନୀ । ୨୦୧୬ ମେ’ ମାସରୁ ୨୦୧୮ ଜୁଲାଇ ମାସ ମଧ୍ୟରେ ୭ ମାସର ଦରମା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । ୨୦୧୮ ମସିହାରେ ଶ୍ରମ ବିଭାଗ ପଷରୁ ଓରଟେଲ କମ୍ୟୁନିକେସନ ଜିଏମ୍‌ ଓ ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ନୋଟିସ ପରେ ବି କର୍ମଚାରୀ ମାନେ ଆଜି ପର୍ୟ୍ୟନ୍ତ ଦରମା ପାଇନଥିବା ଅଭିଯୋଗ ଜଣାପଡ଼ିଛି ।

ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ନେତୃତ୍ୱରେ ମଙ୍ଗଳବାର କର୍ମଚାରୀମାନେ ରାଉରକେଲା ଡିଭିଜନାଲ ଲେବର କମିଶନରଙ୍କ ନିକଟରେ ପୁଣି ଥରେ ଅଭିଯୋଗ କରିଛନ୍ତି । ବକେୟା ଦରମା ପ୍ରଦାନ କରାଯାଇନଥିବାରୁ ପୁଣି ଥରେ ଓରଟେଲ କର୍ତ୍ତୃପକ୍ଷଙ୍କୁ ଶ୍ରମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯିବ ବୋଲି ଜଣାପଡ଼ିଛି । ଏନେଇ ରାଉରକେଲା ଡିଭିଜନାଲ ଶ୍ରମ କମିଶନର ପ୍ରଣବ କୁମାର ପାତ୍ର ସୂଚନା ଦେଇଛନ୍ତି ।

ପୂର୍ବରୁ ୨୦୧୬ ମଇ ମାସରୁ ୨୦୧୮ ଜୁଲାଇ ମଧ୍ୟରେ ଓରଟେଲ କମ୍ୟୁନିକେସନରେ କାମ କରୁଥିବା ୧୭ କର୍ମଚାରୀଙ୍କୁ ୭-୮ ମାସର ଦରମା ଦେଇନଥିବା ଅଭିଯୋଗ ହୋଇଥିଲା । ଏନେଇ ୨୦୧୮ ଅକ୍ଟୋବର ୩୦ରେ ଶ୍ରମ ବିଭାଗ ନିକଟରେ କର୍ମଚାରୀମାନେ ଫେରାଦ ମଧ୍ୟ ହୋଇଥିଲେ । ହେଲେ ଅଭିଯୋଗକୁ ୨ ବର୍ଷ ପୂରିଥିଲେ ମଧ୍ୟ ଦାବି ପୂରଣ ହୋଇ ପାରିନାହିଁ ।
ବାଧ୍ୟ ହୋଇ କର୍ମଚାରୀମାନେ ରାଉରକେଲା ଡିଭିଜନାଲ ଲେବର କମିଶନରଙ୍କୁ ଭେଟି ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କର୍ମଚାରୀମାନେ । ତେବେ ୨୦୧୮ ନଭେମ୍ୱର ୩ରେ କର୍ମଚାରୀଙ୍କର ଅଭିଯୋଗ ଆଧାରରେ ଶ୍ରମ ବିଭାଗ ଓରଟେଲ୍ କମ୍ୟୁନିକେସନ ଲିମିଟେଡକୁ ନୋଟିସ କରିଥିଲା ।
ଘଟଣା ଉପରେ ନଜର ଦେବା ସହ ଦାବି ସମ୍ପର୍କିତ ଆଲୋଚନା କରିବା ପାଇଁ ମଧ୍ୟ କୁହାଯାଇଥିଲା । ମାତ୍ର ନୋଟିସ ସତ୍ତ୍ୱେ ମଧ୍ୟ ଓରଟେଲ୍ କର୍ମଚାରୀଙ୍କ ଟଙ୍କା ଦେଇନଥିଲା । ଏବେ ପୁଣି ଥରେ ରାଉରକେଲା ଶ୍ରମ କମିଶନ ସଂସ୍ଥା ନୋଟିସ କରିବେ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ କେବଳ ରାଉରକେଲା ନୁହେଁ, ରାଜ୍ୟ ଅନେକ ସ୍ଥାନରେ ଓରଟେଲ କର୍ମଚାରୀମାନଙ୍କୁ ଦରମା ପଇଠ କରାନଯିବାର ଅଭିଯୋଗ ସାମ୍ନାକୁ ଆସୁଛି ।

Share

Leave a Reply

Your email address will not be published. Required fields are marked *

13 + twelve =