Friday, October 30, 2026
ରାଜ୍ୟ

ନବୀନଙ୍କ ପ୍ରୟାସ, ଅର୍ଥାଭାବରୁ କେହିବି ଚିକିତ୍ସାରୁ ବଞ୍ଚିତ ହେବେନି

ଭୁବନେଶ୍ବର () ରାଜ୍ୟର ସମସ୍ତଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ରାଜ୍ୟ ସରକାର ଆଜି ଆଉ ପାଦେ ଆଗେଇ ଯାଇଛନ୍ତି । ନିରାମୟ ଯୋଜନାରେ ମାଗଣା ଔଷଧ, ନିଦାନ ଯୋଜନାରେ ରୋଗ ନିରୁପଣ ସୁବିଧା, ସହାୟ ଯୋଜନାରେ ଜିଲ୍ଲା ସ୍ତରରେ ଡଏଲିସିସ ସୁବିଧା ଏବଂ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମୋଥେରାପି ଚିକିତ୍ସା ସୁବିଧା ପରେ ଆଜିଠାରୁ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ।

ଏକ ସୁସ୍ଥ ଓ ସକ୍ଷମ ଓଡିଶା ଗଠନ ଉଦ୍ୟମରେ ରାଜ୍ୟର ସାଢେ ଚାରି କୋଟି ଲୋକଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁଠି ବିନା ଖର୍ଚ୍ଚରେ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାରଙ୍କ ନିଜସ୍ବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା  । ରାଜ୍ୟର କେହି ଜଣେ ବି ଯେପରି ଅର୍ଥାଭାବରୁ ଚିକିତ୍ସା ସୁବିଧାରୁ ବଞ୍ଚିତ ନହୁଅନ୍ତୁ ସେଥିପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ 2014ରେ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶୃତି ପାଳନ କରିବାକୁ ଆଜିର ଦିନରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଜାତୀ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଏହି ଯୋଜନାରେ ରାଜ୍ୟର 70 ଲକ୍ଷ ପରିବାରର 3 କୋଟି 50 ଲକ୍ଷ ଲୋକ ଉପକୃତ ହେବେ । ପ୍ରତି ପରିବାରକୁ ବାର୍ଷିକ 5 ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ । ପୂର୍ବରୁ ଏହି ଯୋଜନାରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଦେବାକୁ ଘୋଷଣା ହୋଇଥିଲା । କିନ୍ତୁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ଜଣେ ମହିଳା ମମତାଙ୍କ ଅନୁରୋଧ କ୍ରମେ ମହିଳାଙ୍କ ପାଇଁ ଅତିରିକ୍ତ2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଦେବାକୁ ନିଷ୍ପତ୍ତି ନେଇଥିଲେ ସରକାର । ତେଣୁ ହିତାଧୀକାରୀଙ୍କ ପରିବାରରେ ମହିଳାଙ୍କୁ ବାର୍ଷିକ 7 ଲକ୍ଷ ଟଙ୍କାର ଦେୟମୁକ୍ତ ସ୍ବାସ୍ଥ୍ୟ ସୁରକ୍ଷା ଦିଆଯିବ । ଏହାଦ୍ବାରା ରାଜ୍ୟର ପ୍ରାୟ ଦେଢ କୋଟି ମହିଳା ଉପକୃତ ହେବେ ।

ବର୍ତ୍ତମାନ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବିମା ଯୋଜନା ଓ ବିଜୁ କୃଷକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧୀକାରୀଙ୍କ ସମେତ ଅନ୍ୟାନ ସ୍ବଳ୍ପ ଆୟକାରୀ ପରିବାରଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ । ଏହି ଯୋଜନାର ସୁବିଧା ରାଜ୍ୟର ସବୁ ସ୍ବାସ୍ଥ୍ୟ ଉପକେନ୍ଦ୍ରରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ଉବଲବ୍ଧ ହେବ  ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାର୍ବଜନୀନ ସ୍ବାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ରାଜ୍ୟରେ ଥିବା ସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବ୍ୟବସ୍ଥାରେ କୌଣସି ରୋଗୀଙ୍କୁ ଡାକ୍ତରଖାନାରେ ଓଟି ସୁବିଧା, ଆସ୍ତ୍ରୋପଚାର, ଆଇସିୟୁ ସେବା, ଅର୍ନ୍ତବିଭାଗ ସେବା ପାଇଁ କୌଣସି ପ୍ରକାର ଦେୟ ଦେବାକୁ ପଡିବନି । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହେଲ୍ପ ଡେକ୍ସ କାର୍ଯ୍ୟକ୍ଷମ ହୋଇଛି ।

Share

Leave a Reply

Your email address will not be published. Required fields are marked *

15 − 10 =