ଫନୀ ମୁକାବିଲା ଓ ପ୍ରସ୍ତୁତି ବିଶ୍ବସ୍ତରୀୟ : ଏନଡିଏମଏ

ଭୁବନେଶ୍ବର () ବିଧ୍ବଂସକାରୀ ବାତ୍ୟା ଫନିର ମୁକାବିଲାରେ ଓଡିଶାର ପ୍ରସ୍ତୁତି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ବିଶ୍ବସ୍ତରୀୟ ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ସଦସ୍ୟ କମଳ କଶୋର କହିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସରକାର ଓ ଏନଡିଏମଏ ସମନ୍ବୟ ବୈଠକରେ କମଳ କିଶୋର ଏହା କହିଛନ୍ତି । ସେ କହିଛନ୍ତି ଯେ, ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ନୂତନ ମାନଙ୍କ ଓ ନିର୍ଣ୍ଣୟବିନ୍ଦୁ ନିର୍ଦ୍ଧାରଣ କରିଛନ୍ତି । ଏହା ଅନ୍ୟ ରାଜ୍ୟ ଓ ଦେଶମାନଙ୍କ ପାଇଁ ଅନୁକରଣୀୟ ।

ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଫନୀ ପରେ ପରେ ବର୍ତ୍ତମାନ ପୁନଃଥଇଥାନ ଏବଂ ପୁନଃନିର୍ମାଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରାଯାଉଛି । ଏହି କାର୍ଯ୍ୟରେ ଆନ୍ତର୍ଜାତିକ ସ୍ତରୀୟ ବୈଷୟିକ ସହାୟତା ଯୋଗାଇବା ପାଇଁ ମୁଖ୍ୟ ଶାସନ ସଚିବ ଏନଡିଏମଏକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏନଡିଆରଏପରୁ ମିଳିଥିବା 1000 କୋଟି ଟଙ୍କାର ବିନିଯୋଗ ହୋଇସାରିଛି । ପୁନଃଥଇଥାନ କାର୍ଯ୍ୟ ପାଇଁ ଏନଡିଆରଏଫରୁ 5200 କୋଟି ଟଙ୍କା ଯଥାଶୀଘ୍ର ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି ।

ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ପୁନଃଥଇଥାନ ଏବଂ ପୁନଃନିର୍ମାଣ ବିଷୟରେ ଆଲୋଚନା ହୋଇଥିଲା । ବାତ୍ୟା ସହନଶୀଳ ଗୃହ ନିର୍ମାଣ, ବିଦ୍ୟୁତ ବଣ୍ଟନ ଭିତ୍ତିଭୂମୀ, ଟେଲିକମ ଏବଂ ଜିବୀକା ନିର୍ବାହ ସହାୟତା ଆଦି କ୍ଷେତ୍ରରେ ଉଭୟ ରାଜ୍ୟ ସରକାର ଓ ଏନଡିଏମଏ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ବୈଠକରେ ସ୍ଥିର ହୋଇଛି ।

ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଜଣାଇଥିଲେ ଯେ, ବାତ୍ୟାରେ ପ୍ରାୟ 1ଲକ୍ଷ 35 ହଜାର ବାସଗୃହ ସଂପୁର୍ଣ୍ଣ ନଷ୍ଟ ହୋଇଛି ବା ଗୁରୁତ୍ତର ଭାବେ କ୍ଷତିଗ୍ରସ୍ତ ହୋଇଛି । 1ଲକ୍ଷ 40 ହଜାର ପକ୍କା ଏବଂ 2 ଲକ୍ଷ 72 ହଜାର କଚ୍ଚା ଘର ଆଂଶିକ ଭାବେ ଭାଙ୍ଗିଯାଇଛି । 7547 କୁଡିଆ ଏବଂ 1.19ଲକ୍ଷ ଗୋରୁ ଗୁହାଳ ସଂପୁର୍ଣ୍ଣ ଭାବେ ନଷ୍ଟ ହୋଇଛି । ପ୍ରାୟ 14 ଲକ୍ଷ 6ହଜାର 311 ହେକ୍ଟର ଜମିରେ ଶତକଡା 33 ଭାଗରୁ ଅଧିକ ଫସଲ ନଷ୍ଟ ହୋଇଛି । ପ୍ରାୟ 6281ଟି ବଡ ଗୃହପାଳିତ ପଶୁ ଏବଂ 53.26 ଲକ୍ଷ କୁକୁଡା କ୍ଷତିଗ୍ରସ୍ତ ହୋଇଛନ୍ତି । ବିନାଶକାରୀ ବାତ୍ୟା ଯୋଗୁଁ 71ହଜାର 60 ପାରମ୍ପାରିକ ହସ୍ତଶିଳ୍ପୀ, 42 ହଜାର 488 ହସ୍ତତନ୍ତ ବୁଣାକାର, 12ହଜାର 135 ରେଶମ ଚାଷୀଙ୍କ ଜିବୀକା ଗୁରୁତ୍ତର ଭାବେ ପ୍ରଭାବିତ ହୋଇଛି ଏହାଛଡା 6,416ଟି ମାଛଧରା ବୋଟ ଏବଂ 8,828ଟି ମାଛଧରା ଜାଲ ନଷ୍ଟ ହୋଇଥିବାରୁ ମତ୍ସଜିବୀଙ୍କ ଜିବୀକା ନିର୍ବାହ ପନ୍ଥା ପ୍ରଭାବିତ ହୋଇଛି । ପ୍ରାୟ 573 ଅଣୁ, କ୍ଷୁଦ୍ର ଶିଳ୍ପ ଏବଂ ଲୁଣ ଖଳା ନଷ୍ଟ ହୋଇଛି । ଓଡିଶା ଲୋକଙ୍କ ଚିରନ୍ତର ଜିବୀକା କୃଷି ଓ ଉଦ୍ୟାନଚାଷ ସଂପୁର୍ଣ୍ଣ ଭାବେ ନଷ୍ଟ ହୋଇଛି ବୋଲି ସେ କହିଛନ୍ତି । ରାସ୍ତାକଡ ଦୋକାନୀ ଏବଂ ବାଲୁ ବିକାଳୀମାନଙ୍କୁ ଜିବୀକା ସହାୟତାକୁ ଏନଡିଆରଏଫ ଏବଂ ଏସଡିଆରଏପ ଅନ୍ତର୍ଭୁକ୍ତ କରିବା ପାଇଁ ଏନଡିଏମଙ୍କୁ ଅନୁରୋଧ କରିଥିଲେ ସ୍ବତନ୍ତ୍ର ରିଲିଫ କମିଶନର ।

Share

Leave a Reply

Your email address will not be published. Required fields are marked *

one × 3 =