ଚାଷୀଙ୍କ ପାଇଁ ସ୍ବର ଉଠାଇଲେ ନବୀନ

ଭୁବନେଶ୍ବର () ପିଏମ କିଷାନ ଯୋଜନାରେ ସହାୟତା ରାଶିକୁ 10ହାଜର ଟଙ୍କାକୁ ବୃଦ୍ଧି ସହ ଏହି ଯୋଜନାରେ ଭୁମିହୀନ କୃଷି ଶ୍ରିମକ, ଭାଗଚାଷୀ ଓ ଦୁର୍ଦ୍ଦିନରେ ଥିବା ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଏନେଇ ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।

ଗତ ଫେବୃଆରୀ 11 ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ସମାନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ପିଏମ-କିଷାନ ଯୋଜନାରେ ଭୂମିହୀନ ଚାଷୀ, ଭାଗଚାଷୀ ଓ ଦୁର୍ଦ୍ଦିନରେ ଥିବା ଚାଷୀଙ୍କୁ ସାମିଲ କରିବାକୁ ଦାବି କରିଥିଲେ । ଏହିଶ୍ରେଣୀର ଚାଷୀ କୃଷି ଅର୍ଥନୀତି ପିରାମିଡର ସବୁଠାରୁ ତଳ ସ୍ତରରେ ରହିଛନ୍ତି । ଏବଂ ଏମାନଙ୍କ ଆର୍ଥିକ ସୁରକ୍ଷା ପାଇଁ ସ୍ବତନ୍ତ୍ର ସହାୟତା ଦିଆଯିବା ଆବଶ୍ୟକ । ଗ୍ରାମୀଣ ଅର୍ଥନୀତି ଓ ବିକାଶ ଏହି ଶ୍ରେଣୀର ଲୋକଙ୍କ ବିକାଶ ବିନା ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କାଳିଆ ଯୋଜନାରେ କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନୁହେଁ ଭୂମିହୀନ ଚାଷୀ, ଭାଗଚାଷୀ ଏବଂ ଦୁର୍ଦ୍ଦିନରେ ଥିବା ଚାଷୀଙ୍କୁ ମଧ୍ୟ ସହୟତା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା 30ଲକ୍ଷ 40 ହଜାର ଚାଷୀଙ୍କୁ କାଳିଆ ସହାୟତା ମିଳିଛି । ସେ ମଧ୍ୟରେ ଅଛନ୍ତି 3.10 ଲକ୍ଷ ଭୁମିହୀନ ଏବଂ 58 ହଜାର ଭାଗଚାଷୀ । କାଳିଆ ଯୋଜନାରେ ଚାଷୀଙ୍କ ଅର୍ଥନୀତିର ଉନ୍ନତି ସହ ସୁରକ୍ଷିତ ରୋଜଗାର ଉପରେ ଗୁରୁତ୍ବ ଦିଆଯାଉଛି ।

କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବର୍ଷକୁ 10ହଜାର ଟଙ୍କା, ଖରିଫ ଓ ରବିରେ 5ହଜାର ଟଙ୍କା ଲେଖାଏଁ ସହୟାତା ଦିଆଯାଉଛି । ଭୂମିହୀନଙ୍କୁ ଜୀବନଜୀବୀକା ପାଇଁ 12ହଜାର 500 ଟଙ୍କାର ସହାୟତା ଦିଆଯିବ । ଦୁର୍ଦ୍ଦିନରେ ଥିବା ଚାଷୀଙ୍କୁ ସେହିଭଳି 10ହଜାର ଟଙ୍କା ଦିଆଯାଉଛି । ଏହାଭିନ୍ନ ଭୂମିହୀନଙ୍କ ସହ  ସବୁ ଚାଷୀଙ୍କୁ 2ଲକ୍ଷ ଟଙ୍କାର ଅତିରିକ୍ତ ଦୁର୍ଘଟଣା ବୀମା ଏବଂ 2 ଲକ୍ଷ ଟଙ୍କା ଜୀବନ ବିମା ସୁରକ୍ଷା ଦିଆଯାଉଛି । 50ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବ । ଏହାସହ ରାଜ୍ୟ ସରକାର କାଳିଆ ଯୋଜନାରେ ଉପକୃତ ହେଉଥିବା ଚାଷୀଙ୍କ ପିଲାଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହିଦୃଷ୍ଟିରୁ କେନ୍ଦ୍ର ସରକାର ମଧ୍ୟ ପିଏମ-କିଷାନ ଯୋଜନାରେ ସହାୟତା ରାଶି 6ହଜାରରୁ 10ହଜାରକୁ ବୃଦ୍ଧି କରିବା ସହ ଏହି ଯୋଜନାରେ ଭୁମିହୀନ କୃଷି ଶ୍ରିମକ, ଭାଗଚାଷୀ ଓ ଦୁର୍ଦ୍ଦିନରେ ଥିବା ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − 5 =