ଛାତ୍ରଙ୍କୁ ନବୀନ ମନ୍ତ୍ର : ଅପପ୍ରଚାର ବିରୁଦ୍ଧରେ ସଂଗ୍ରାମ କର

ଭୁବନେଶ୍ବର () ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ସମାଜକୁ ଦେଇଛନ୍ତି ଗୁରୁମନ୍ତ୍ର । ଅପପ୍ରଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ହେବ । ଅପପ୍ରଚାର ସମାଜିକ ଭାଇଚାରାକୁ ନଷ୍ଟ କରିଥାଏ । ତେଣୁ ସତର୍କ ନ ରହିଲେ ଏହା ଆମ ସମାଜକୁ, ଆମର ସ୍ବତନ୍ତ୍ର ପରିଚୟକୁ ନଷ୍ଟ କରିଦେବ  । ଅପପ୍ରଚାର ଦୂର କରି ସତକୁ ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ବ ଛାତ୍ରସମାଜର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ କହିଛନ୍ତି ଯେ, କିଛି ଦିନ ତଳେ ଆମ ଯୁବ ଶାଖାର କାର୍ଯ୍ୟନିର୍ବାହୀ କମିଟି ବୈଠକ ହୋଇଥିଲା  । ସେଥିରେ ରାଜ୍ୟର ସ୍ବତନ୍ତ୍ର ପରିଚୟ ଉପରେ କହିଥିଲେ ନବୀନ । ଓଡିଆ ଗର୍ବ ଓ ଗୌରବ ଉପରେ କହିଥିଲେ ମୁଖ୍ୟମନ୍ତ୍ରୀ  ।

ସେ କହିଛନ୍ତି, ଓଡିଆ ଜାତି ଏକ ମହାନ ଜାତି  । ଏ ଜାତି ଦିନେ ଗଙ୍ଗା ଠାରୁ ଗୋଦାବରୀ ଜୟ କରିଥିଲା  । ଖାରବେଳ ଓ କପିଳେନ୍ଦ୍ର ଦେବଙ୍କ ପରି ମହାନ ସମ୍ରାଟମାନଙ୍କ ରାଜ୍ୟ ହେଉଛି ଆମ ଓଡିଶା  । ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ ଯେଉଁଥିରେ ନିଜେ ମହାପ୍ରଭୁ ସାମିଲ ହୋଇଥିଲେ, ଆଜି ମଧ୍ୟ ଆମର ଯୁବ ସମାଜ ମଧ୍ୟରେ ଶକ୍ତି ସଞ୍ଚାର କରୁଛି  । ଆମର ବୀର ପାଇକମାନଙ୍କର ସାହସ ଓ ରଣନୀତି ବହୁଦିନ ଧରି ଓଡିଶାକୁ ଅଜୟ କରି ରଖିଥିଲା  । ସେବାର ଅବତାର ଉତ୍କଳମଣି ଗୋପବନ୍ଧୁ, ଆମ ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁବାବୁ, ସଂଗ୍ରାମର ପ୍ରତୀକ ବକ୍ସି ଜଗବନ୍ଧୁ ଓ ବୀର ସୁରେନ୍ଦ୍ର ସାଏ – ଓଡିଶାର ଏହି ବରପୁତ୍ରମାନେ ହେଉଛନ୍ତି ଆମ ଆଦର୍ଶ ବୋଲି ସେ କହିଛନ୍ତି ।

ସେହିପରି ଫକୀର ମୋହନଙ୍କ ସାହିତ୍ୟ ଓଡିଆ ଭାଷାର ମହିମାକୁ ବୃଦ୍ଧି କରିଛି  । ମା’ ରମାଦେବୀ, ମାଳତୀ ଚୌଧୁରୀ ଓ ପାର୍ବତୀ ଗିରିଙ୍କ ତ୍ୟାଗ ଓ ସଂଗ୍ରାମ ଓଡିଶାର ନାରୀ ଜାତିକୁ ମହିମା ମଣ୍ଡିତ କରିଛି  ।

ଛାତ୍ର ସମାଜକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାନବ ଜାତି ପାଇଁ ସନ୍ଥ ଭୀମଭୋଇଙ୍କ ବାର୍ତ୍ତା ସାରା ବିଶ୍ବକୁ ମୋହିତ କରିଛି ୤ ଛୋଟ ପିଲା ହେଲେ ମଧ୍ୟ ସଂଗ୍ରାମୀ ବାଜି ରାଉତଙ୍କ ସାହସ ଓ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ପ୍ରେରଣା ୤ ସେହିପରି ବିଜୁ ବାବୁଙ୍କ ଓଡିଆ ଜାତି ପ୍ରୀତି ତାଙ୍କୁ ଅମର କରି ରଖିଛି  । ଏହି ବରପୁତ୍ରମାନେ ସେମାନଙ୍କ କାର୍ଯ୍ୟ ଦ୍ବାରା ଓଡିଆ ଜାତିର ଗୌରବ ବୃଦ୍ଧି କରିଛନ୍ତି  । ସେମାନେ ହିଁ ଆମର ଶ୍ରେଷ୍ଠ ପରିଚୟ  । ତେଣୁ ଆପଣମାନେ ସେମାନଙ୍କ ବିଷୟରେ ଭଲ ଭାବରେ ଜାଣିବା ଦରକାର  । ଓଡିଆ ଜାତି ପାଇଁ, ଓଡିଆ ଭାଷା ପାଇଁ, ଓଡିଆ ସଂସ୍କୃତି ପାଇଁ ସେମାନେ କରିଯାଇଥିବା ମହାନ କାର୍ଯ୍ୟ ହିଁ ଆମର ପ୍ରେରଣା ୤ ସେମାନଙ୍କୁ ଚିହ୍ନିଲେ ହିଁ ଆମେ ଆଗକୁ ବଢିବା  । ଆମ ଭାଷା, ସଂସ୍କୃତି ଓ ପରିଚୟର ସୁରକ୍ଷା କରିପାରିବା ୤ ତେଣୁ ଆପଣମାନେ ସ୍ବତନ୍ତ୍ର ପରିଚୟ ବିଷୟରେ ଭଲ ଭାବରେ ଜାଣନ୍ତୁ ଏବଂ ପୀଢି ପରେ ପୀଢି ଏହାର ପ୍ରଚାର କରନ୍ତୁ  ।

ଆପଣମାନେ ଜାଣନ୍ତି ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଯୁଗ  । ସୋସିଆଲ ମିଡିଆର ଯୁଗ  । ସୋସିଆଲ ମିଡିଆ ଆଜି ବହୁତ ପ୍ରଭାବଶାଳୀ  । ସବୁ କ୍ଷେତ୍ରରେ ଏହାର ପ୍ରଭାବ ବଢୁଛି  । କିନ୍ତୁ ସୋସିଆଲ ମିଡିଆରେ ବହୁ ଅପପ୍ରଚାର ହେଉଛି । ଅନେକ ସମୟରେ ସୋସିଆଲ ମିଡିଆ ଓ ଗଣମାଧ୍ୟମର ମୁଖ୍ୟ ସ୍ରୋତରେ ମିଛ ଖବର ଆସୁଛି । ତେଣୁ ଆପଣମାନଙ୍କୁ ଅପପ୍ରଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ହେବ  । ଆମେ ସତର୍କ ନ ରହିଲେ ଏହା ଆମ ସମାଜକୁ, ଆମର ସ୍ବତନ୍ତ୍ର ପରିଚୟକୁ ନଷ୍ଟ କରିଦେବ  । ଅପପ୍ରଚାର ଦୂର କରି ସତକୁ ଲୋକଙ୍କ ପାଖରେ ପହଞ୍ଚାଇବା ଆପଣମାନଙ୍କର ଦାୟିତ୍ବ  ।

ଆପଣମାନେ ହେଉଛନ୍ତି ଏ ଜାତିର ଭବିଷ୍ୟତ  । ଆପଣମାନେ ହିଁ ଓଡିଆ ଗର୍ବକୁ ଆଗକୁ ନେଇପାରିବେ ।

ଛାତ୍ରମାନେ ତିନୋଟି କଥା ଉପରେ ଗୁରୁତ୍ବ ଦେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।  

ଆପଣଙ୍କ ଭିତରେ ଥିବା ପ୍ରତିଭାର ପୂରା ବିକାଶ ପାଇଁ କଠିନ ପରିଶ୍ରମ କରନ୍ତୁ ୤ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ । ନିଜ ପରିବାର ଓ ବାପା ମା’ଙ୍କ ପ୍ରତି ଥିବା ଆପଣଙ୍କ ଦାୟିତ୍ବକୁ କେବେ ବି ଭୁଲନ୍ତୁ ନାହିଁ  । ଆମ ସମାଜ, ଆମେ ଯେଉଁଠାରେ ବଢିଛେ, ପଢିଛେ ଓ ନିଜକୁ ଗଢିଛେ; ତାର ବିକାଶ ପାଇଁ ନିଜ ପ୍ରତିଭାର ପୂରା ଉପଯୋ କରନ୍ତୁ । କାରଣ ଆପଣମାନେ ହିଁ ଓଡିଶାର ପରିବର୍ତ୍ତନର ସାରଥୀ  ।

Share

Leave a Reply

Your email address will not be published. Required fields are marked *

one × 2 =