ଓଡିଶା ପାଇଁ ଗୋଟିଏ ରେଳବାଇ ଜୋନ ଦାବି

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ଦକ୍ଷୀଣତଟ ରେଳବାଇ ପ୍ରତିଷ୍ଠା ନେଇ ପ୍ରତିବାଦର ସ୍ବର ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସଂପର୍କରେ ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସହ ଓଡିଶାକୁ ଗୋଟିଏ ରେଳବାଇ ଜୋନ ଅଧିନରେ ରଖିବାକୁ ଦାବି କରିଛନ୍ତି । ଏଥିପାଇଁ ଆଉ ତିନୋଟି ରେଳବାଇ ଡିଭିଜନ ଗଠନର ଦାବିକୁ ମଧ୍ୟ ଦୋହରାଇଛନ୍ତି ।

ନିକଟରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଆନ୍ଧ୍ରପ୍ରଦେଶ ପାଇଁ ନୂଆ ରେଳବାଇ ଜୋନ ଗଠନର ଘୋଷଣା ଓଡିଶାବାସୀଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ପୂର୍ବତଟ ରେଳବାଇ ଅଧିନରେ ଓଡିଶାର 70 ପ୍ରତିଶତ ଅଂଚଳ ରହିଛି । କୋଇଲା, ଲୁହାପଥର, ବକ୍ସାଇଟ ଓ ମାଙ୍ଗାନିଜ ଉତ୍ପାଦନରେ ଓଡିଶା ସବୁଠୁ ଆଗରେ । ଓଡିଶାରେ ଉତ୍ପାଦିତ ହେଉଥିବା ଏହିସବୁ ଖଣିଜ ସଂପଦର ସୁବିନିଯୋଗ ପାଇଁ ରାଜ୍ୟ ସରକାର ଶିଳ୍ପାୟନ ପ୍ରକ୍ରିୟାକୁ ଗୁରୁତ୍ବ ଦେଉଛନ୍ତି । ଓଡିଶାରେ ଦେଶର ସର୍ବାଧିକ ଆଲୁମିନିୟମ ମଧ୍ୟ ଉତ୍ପାଦିତ ହେଉଛି । ଏଦିଗରେ ଓ ବଳିଷ୍ଠ ରେଳ ନେଟୱାର୍କର ମଧ୍ୟ ଆବଶ୍ୟକତା ରହିଛି । ବର୍ତ୍ତମାନ କିନ୍ତୁ ଲୁହାପଥର ଏବଂ କୋଇଲା ଉତ୍ପାଦନ ଅଂଚଳଗୁଡିକ ଅନ୍ୟ ରେଳ ଜୋନ ଅଧିନରେ ରହିଛି ।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର ହରିଦାସପୁର-ପାରାଦ୍ବୀପ ଓ ଅନୁଗୁଳ-ସୁକିନ୍ଦା ରେଳ ଭିତ୍ତିଭୂମୀର ବିକାଶ ପାଇଁ ନିଜସ୍ବ ପାଣ୍ଠିରୁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି । ଖୋର୍ଦ୍ଧା ରୋଡ-ବଲାଙ୍ଗିର, ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେଇଛନ୍ତି । ରାଜ୍ୟରେ ରେଳପଥର ବିକାଶ ପାଇଁ ରାଜ୍ୟ ସରକାର 5ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି ।

ଏହି ପୃଷ୍ଠଭୂମୀରେ ଓଡିଶା ରେଳବାଇର ପୁର୍ନଗଠନ ଦାବି କରିବା ସହ ରାଜ୍ୟ ମଧ୍ୟରେ ରହିଥିବା ସବୁ ରେଳପଥକୁ ଗୋଟିଏ ପୂର୍ବତଟ ରେଳବାଇ ଜୋନ ଅଧିନକୁ ଆଣିବାକୁ ଦାବି କରୁଛି । ଯେହେତୁ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ପାଇଁ ରାଜ୍ୟର ସୀମାକୁ ଆଧର କରି ସ୍ବତନ୍ତ୍ର ରେଳବାଇ ଜୋନ ଗଠନ କରାଯାଇଛି, ସମାନ ଦାବି ମଧ୍ୟ ଓଡିଶା ରଖୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡିଶାକୁ ଗୋଟିଏ ରେଳବାଇ ଜୋନ ମଧ୍ୟରେ ରଖିବାକୁ ରାଉଲକେଲା ଏବଂ ଯାଜପୁରରେ ନୂଆ ରେଳବାଇ ଡିଭିଜନ ଗଠନ କରିବାକୁ ସେ ଦାବି କରିଛନ୍ତି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ନହେବା ଯାଏଁ ଦକ୍ଷୀଣତଟ ରେଳବାଇ ଜୋନକୁ କାର୍ଯ୍ୟକ୍ଷମ ନକରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 + 2 =