ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ପକ୍କାଘର ଯୋଗ୍ୟତା କାର୍ଡ ବଣ୍ଟନ

ଭୁବନେଶ୍ୱର() ବିଜୁ ଜୟନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଂଚଳରେ ପକ୍କା ଘର ନଥିବା ୨୦ ଲକ୍ଷ ପରିବାରଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ‘ ପକ୍କା ଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର’ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ରାଜ୍ୟ ସ୍ତରୀୟ ପଂଚାୟତିରାଜ ଦିବସ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏଥିରେ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଗ୍ରାମାଂଚଳରେ କଚ୍ଚାଘରେ ବାସ କରୁଥିବା ୨୫ ଲକ୍ଷ ପରିବାରଙ୍କୁ ଇତି ମଧ୍ୟରେ ପକ୍କାଘର ଯୋଗାଇ ଦିଆଯାଇଛି । ଗ୍ରାମାଂଚଳରେ ରହୁଥିବା ପ୍ରତ୍ୟକ ନାଗରିକର ମୁଣ୍ଡ ଉପରେ ଖଣ୍ଡେ ଭଲ ଛାତ ଥାଉ ଏହା ଥିଲା ବିଜୁ ବାବୁଙ୍କ ସ୍ୱପ୍ନ । ଏହାକୁ ପୂରଣ କରିବା ଦିଗରେ ଆମ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନକୁ ରାଜ୍ୟ ସରକାର ସର୍ବାଥିକ ପ୍ରାଥମିକତା ଦେଇ କାର୍ଯ୍ୟକ୍ରମ କରୁଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ୫-ଟି ପ୍ରୟାସ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ପଂଚାୟତରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନଲାଇନ କେସ ରେକର୍ଡ ପରିଚାଳନା ଏବଂ ଆମ ଘର ମୋବାଇଲ ଆପର ଶୁଭାରମ୍ଭ କରାଯାଇଛି ।

ଆଜିର ଏହି ଉତ୍ସବ ପାଳନ ଅବସରରେ ଗ୍ରାମୀଣ ବାସଗୃହ ଯୋଜନାରେ ରାଜ୍ୟରେ ଉପକୃତ ହୋଇଥିବା ଯୋଗ୍ୟ ହୀତାଧିକାରୀଙ୍କ ୨୧ଟି ସଫଳ କାହାଣିକୁ ନେଇ ‘କଫି ଟେବୁଲ ବୁକ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ଯୋଜନା ସମ୍ମନ୍ୱୟ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ଅନ୍ୟାନ୍ୟ ସଦସ୍ୟ, ସାଂସଦ ଓ ବିଧାୟକ ଯୋଗ ଦେଇଥିଲେ । ପଂଚାୟତିରାଜ ବିଭାଗ ଶାସନ ସଚିବ ଦେଓ ରଂଜନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

17 + three =