Friday, October 30, 2026
Latestରାଜ୍ୟ

ବିବାଦୀୟ ଚନ୍ଦ୍ରସୂର୍ଯ୍ୟ ମହାପ୍ରଭୁଙ୍କୁ ଲାଗି ହୋଇନଥିଲା, ନୀତି ପ୍ରଶାସକ କଣ କହୁଛନ୍ତି ଶୁଣନ୍ତୁ …

ପୁରୀ () ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟକୁ ନେଇ ଚାଲିଥିବା ଚର୍ଚ୍ଚା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ମନ୍ଦିର ବାହାରକୁ ଆସିଥିବା ଚନ୍ଦ୍ରସୂର୍ଯ୍ୟ ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ବେଶ ସାମଗ୍ରୀର ଅଂଶ ବିଶେଷ ନୁହେଁ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ନାଗାର୍ଜୁନ ବେଶର ସମସ୍ତ ସାମଗ୍ରୀ ସମ୍ପୂର୍ଣ ଭାବେ ସୁରକ୍ଷିତ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି ।

ଶ୍ରୀମନ୍ଦିରରେ ନଭେମ୍ବର ୨୭ତାରିଖରେ ଅନୁଷ୍ଠିତ ହୋଇଥିବା ପବିତ୍ର ନାଗାର୍ଜୁନ ବେଶର ସୋଲ ଚନ୍ଦ୍ରସୂର୍ଯ୍ୟ କେହି ନେଇ ଯାଇଥିବାର ଅଭିଯୋଗ ହୋଇଥିଲା । ଗତ ତା. ୨୮-୧୧-୨୦୨୦ ରିଖ ଦିନ ଜନୈକ ବ୍ୟକ୍ତି ସୋଲ ନିର୍ମିତ ଚନ୍ଦ୍ରସୂର୍ଯ୍ୟ ଧରି ଶ୍ରୀମନ୍ଦିର ବାହାରକୁ ଆସିବା ବେଳେ ତାଙ୍କ ପ୍ରତିକ୍ରିୟା ନେବା ସହ ନାଗାର୍ଜୁନ ବେଶର ସୋଲ ଚନ୍ଦ୍ରସୂର୍ଯ୍ୟ ମନ୍ଦିର ବାହାରକୁ ଆସିବା ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଏହାକୁ ଗୁରୁତ୍ବର ସହ ନେଇ ମୁଖ୍ୟ ପ୍ରଶାସକ ସମଗ୍ର ଘଟଣା ଉପରେ ସବିଶେଷ ତଦନ୍ତ କରିବାକୁ ନୀତି ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ମତେ ନୀତି ପ୍ରଶାସକ ସବିଶେଷ ତଦନ୍ତ କରିଛନ୍ତି । 

ତଦନ୍ତରୁ ଜଣାପଡିଛି ଯେ, ଏବର୍ଷ ହରଚଣ୍ଡି ସାହିର ଚକ୍ରକୋଟ ଶ୍ରୀ ବଳରାମ ଖୁଣ୍ଟିଆ ନାଗାର୍ଜୁନ ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଯୋଗାଇଥିଲେ । ତାଙ୍କ ବାସଭବନରେ ଖୁଣ୍ଟିଆ କାରିଗର ନିୟୋଜିତ କରି ବେଶ ନିର୍ମାଣ କରିଥିଲେ । ବେଶ ନିର୍ମାଣ ସମୟରେ ବେଶରେ ଲାଗିବାକୁ ଥିବା ସାମଗ୍ରୀର ତାଲିକା ଶ୍ରୀମନ୍ଦିର କମାଣ୍ଡର ୧୯୯୪ ମସିହାରେ ଅନୁଷ୍ଠିତ ନାଗାର୍ଜୁନ ବେଶ ସାମଗ୍ରୀ ତାଲିକା ଆଧାରରେ ମୁଖ୍ୟ କାରିଗର ବସନ୍ତ କୁମାର ରଣାଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ଏହା ପରେ ବି ତାଲିକା ବାହାରେ ସୋଲର ଦୁଇଟି ସେଟ୍ ଚନ୍ଦ୍ରସୂର୍ଯ୍ୟ ଶ୍ରୀ ରଣା ତିଆରି କରିଥିଲେ । ନାଗାର୍ଜୁନ୍ ବେଶ ଦିନ ଭୋରରୁ ଦାତା ଏବଂ କାରିଗରମାନେ ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଆଣିଥିଲେ । ସେହି ବେଶ ସାମଗ୍ରୀରେ ସୋଲ ନିର୍ମିତ ଚନ୍ଦ୍ରସୂର୍ଯ୍ୟ ଲାଗିଥିଲା । ତେବେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ସୁବର୍ଣ୍ଣ ଚନ୍ଦ୍ରସୂର‌୍ୟ୍ୟ ଲାଗି କରାଯାଉଥିବାର ବିଧି ଥିବାରୁ ଶ୍ରୀମନ୍ଦିର ମେକାପ ସେବକ ସେହି ସୋଲର ଚନ୍ଦ୍ରସୂର୍ଯ୍ୟକୁ ବେଶ ସାମଗ୍ରୀରୁ ବାହାର କରିବାକୁ କାରିଗରଙ୍କୁ ପରାମର୍ଶ ଦେଇଥିଲେ ।

ନାଟମଣ୍ଡପରେ ବେଶ ସାମଗ୍ରୀମାନ ରଖାଯାଇଥିବା ସମୟରେ କାରିଗର ସେହି ସୋଲର ଚନ୍ଦ୍ରସୂର୍ଯ୍ୟକୁ ବେଶ ସାମଗ୍ରୀରୁ ବାହାର କରିନେଇଥିଲେ ଏବଂ କମାଣ୍ଡର ପୂର୍ବରୁ ଦେଇଥିବା ତାଲିକା ବାହାରେ କୌଣସି ଜିନିଷ କାରିଗରଙ୍କ ଦ୍ବାରା ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇନଥିଲା । କମାଣ୍ଡର ପୂର୍ବରୁ ଦେଇଥିବା ତାଲିକା ଅନୁସାରେ ହିଁ ମହାପ୍ରଭୁଙ୍କ ବେଶରେ ସାମଗ୍ରୀମାନ ଲାଗି କରାଯାଇଥିଲା । ଏହାପରେ ବାହାର କରାଯାଇଥିବା ୨ଟି ସେଟ୍ ଚନ୍ଦ୍ରସୂର୍ଯ୍ୟ ମଧ୍ୟରୁ ଗୋଟିଏକୁ ଭଣ୍ଡାର ମେକାପ ମଧୁସୂଦନ ମେକାପ ବ୍ୟକ୍ତିଗତ ଅନୁରୋଧରେ ଭଣ୍ଡାର ଲୋକନାଥଙ୍କୁ ଲାଗି କରିବାକୁ କାରିଗରଙ୍କଠାରୁ ନେଇଥିଲେ । ସେହିପରି ଦ୍ବିତୀୟ ସେଟ୍କୁ ଦଇତା ସେବକ ରାମଚନ୍ଦ୍ର ଦାସ ମହାପାତ୍ର ବ୍ୟକ୍ତିଗତ ଅନୁରୋଧରେ କାରିଗରଙ୍କ ଠାରୁ ନୀଳମାଧବଙ୍କୁ ଲାଗି କରିବାକୁ ନେଇଥିଲେ । ଲାଗିପରେ ଏହାକୁ ଦାସମହାପାତ୍ର ଶ୍ରୀମନ୍ଦିର ଗାରଦରେ ରଖିଥିଲେ ଏବଂ ନଭେମ୍ବର ୨୮ ତାରିଖ ସକାଳେ ନିଜ ଘରକୁ ସମ୍ପୃକ୍ତ ବ୍ୟକ୍ତି ଦ୍ବାରା ମଗାଇ ନେଇଥିଲେ । ସମ୍ପୃକ୍ତ ବ୍ୟକ୍ତି ସେହି ସୋଲର ଚନ୍ଦ୍ରସୂର‌୍ୟ୍ୟକୁ ଶ୍ରୀ ଦାସମହାପାତ୍ରଙ୍କୁ ଦେବାକୁ ନେବା ବେଳେ ଉପସ୍ଥିତ ଥିବା ଗଣମାଧ୍ୟମର ଧ୍ୟାନ ଆକର୍ଷଣ ହୋଇଥିଲା।

ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିବାକୁ ଚାହେଁ ଯେ, ଯେଉଁ ଚନ୍ଦ୍ରସୂର୍ଯ୍ୟକୁ ନେଇ ଚର୍ଚ୍ଚା କିମ୍ବା ଅଭିଯୋଗ ହେଉଛି, ତାହା ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ବେଶ ସାମଗ୍ରୀର ଅଂଶ ବିଶେଷ ନୁହେଁ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ନାଗାର୍ଜୁନ ବେଶର ସମସ୍ତ ସାମଗ୍ରୀ ସମ୍ପୂର୍ଣ ଭାବେ ସୁରକ୍ଷିତ ରହିଛି । ବେଶ ଦିନ ଓଲାଗି ପରେ ମହାପ୍ରଭୁଙ୍କ ଲାଗି ହୋଇଥିବା ସମସ୍ତ ବେଶ ସାମଗ୍ରୀ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ସଂଗ୍ରହାଳୟରେ ସୁରକ୍ଷିତ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

seventeen − 14 =