ସ୍ବାଧୀନତା ସଂଗ୍ରାମୀ ସଦନରେ କ୍ରାନ୍ତି ଦିବସ ପାଳିତ

ଭୁବନେଶ୍ବର,(ନିପ୍ର): ଦେଶର ସ୍ବାଧିନତା ଆନ୍ଦୋଳନରେ ଓଡ଼ିଶାର ବୀର ସହିଦ ସଂଗ୍ରାମୀମାନଙ୍କ ବଳିଦାନ ଅବିସ୍ମରଣୀୟ । ସେମାନଙ୍କ ପ୍ରତିଟି ରକ୍ତ ବିନ୍ଦୁର ବଦଳରେ ଦେଶ ସ୍ବାଧିନତା ପାଇଥିଲା। ଅଗଷ୍ଟ କ୍ରାନ୍ତି ଦିବସରେ ସେମାନଙ୍କୁ ଏ ଦେଶ ପ୍ରଣାମ କରୁଛି । ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ସହିଦ ସ୍ମାରକୀ ସ୍ୱାଧିନତା ସଂଗ୍ରାମୀ ସଦନରେ ସହିଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଓଡିଶାର ସହିଦଙ୍କ ସ୍ମୃତିରେ ନିର୍ମାଣ ହେଉଥିବା ସ୍ମୃତିସ୍ତମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସହିଦ ପୀଠରୁ ଆସିଥିବା ପବିତ୍ର ମାଟିର କଳସକୁ ସଂସ୍ଥାପନ କରିଛନ୍ତି । ପ୍ରାୟ ୩୮ଟି ସ୍ଥାନରୁ ଆସିଥିବା ମାଟି ସ୍ମୃତିସ୍ତମ୍ଭରେ ରଖାଯାଇଛି । ରାଜ୍ୟ ସ୍ୱାଧିନତା ସଂଗ୍ରାମୀ ସମିତି ସଭାପତି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ  ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଅମର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ପ୍ରକାଶିତ ପୁସ୍ତିକା ‘ସହିଦ ସ୍ମାରକୀ’ର ଉନ୍ମୋଚନ କରିଥିଲେ । ବରଗଡ, ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଝାରସୁଗୁଡା, ବାଲେଶ୍ୱର, ଭଦ୍ରକ, କୋରାପୁଟ,ନବରଙ୍ଗପୁର, ମାଲକାନଗିରି ପ୍ରଭୃତି ଜିଲ୍ଲାର ବିଭିନ୍ନ ସହିଦ ପୀଠରୁ ଆସିଥିବା ମାଟିକୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଓ ପରେ ପରେ ସହିଦ କଳସଗୁଡିକୁ ସ୍ମୃତିସ୍ତମ୍ଭରେ ସ୍ଥାପନ କରିଥିଲେ । ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଯୁବ ସାମୁଖ୍ୟ ସଭାପତି ସାଂସଦ ଭର୍ତ୍ତୃହରୀ  ମହତାବ ୧୮୦୭ ମସିହାରୁ ଆରମ୍ଭ କରି ୧୯୪୨ ପର୍ଯ୍ୟନ୍ତ ଓଡିଶାର ଅମର ସହିଦମାନଙ୍କ ପବିତ୍ର ପୀଠରୁ  କିଭଳି ବିଗତ ଦୁଇମାସ ମଧ୍ୟରେ ମାଟି ସଂଗ୍ରହ କରାଯାଇଛି ଓ ରାଜ୍ୟ ବ୍ୟାପୀ ସ୍ୱାଗତ ସମ୍ବର୍ଦ୍ଧନା ସହ ସଂଗ୍ରାମୀ ସଦନକୁ ଅଣାଯାଇଛି ସେ ସଂପର୍କରେ ସୂଚନା ଦେଇଥିଲେ । ୪୨ ଫୁଟ ଉଚ୍ଚତାର ସ୍ମୃତିସ୍ତମ୍ଭରେ ସ୍ୱାଧୀନତା ଆନ୍ଦୋଳନର ଓଡିଶାର ଅମର ସହିଦମାନଙ୍କ ନାମ ଉଲ୍ଲେଖ ରହିବା ସହିତ ସେମାନଙ୍କ ସ୍ମୃତିରେ ପବିତ୍ର ମୃତ୍ତିକା ଚିରଦିନ ଲାଗି ସଂରକ୍ଷିତ ହୋଇ ରହିବ ବୋଲି ଶ୍ରୀ ମହତାବ କହିଥିଲେ । ଭବିଷ୍ୟତରେ ଏହା ସ୍ୱାଧୀନତା ଆନ୍ଦୋଳନର ଏକ ପବିତ୍ର ସ୍ମୃତି ପୀଠ ଭାବେ ପରିଣତ ହେବ ବୋଲି ସେ ପ୍ରକାଶ କରିଥିଲେ । ସମାରୋହରେ କେନ୍ଦ୍ରାପଡା ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସ ସଂଗ୍ରାମୀଙ୍କ ଦାୟଦ ତଥା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଡାକ୍ତର ନୃସିଂହ ସାହୁ, ରମେଶ ମାଝି, ବିଧାୟକ ପ୍ରଭାତ ତ୍ରି ।ଠୀ, ପୁଷ୍ପେନ୍ଦ୍ର ସିଂଦେଓ,ରବିନାରାୟଣ ମହାପାତ୍ର, ମୁକ୍ତିକାନ୍ତ ମଣ୍ଡଳ, ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଉଦବୋଧନ ଦେଇଥିଲେ । ସେହିପରି ବିଧାୟକ ଭୁଜବଳ ମାଝି, କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ଣ୍ଣଚନ୍ଦ୍ର ନାଏକ, ରମେଶ ପଟୁଆ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ରବିନାରାୟଣ ପାଣି, ବିଧାୟକ ପ୍ରଶାନ୍ତ ଜଗଦେବ ପ୍ରମୁଖ ଉଦବୋଧନ ଦେଇ ସହିଦମାନଙ୍କ ତ୍ୟାଗ ଓ ବଳିଦାନ ସଂପର୍କରେ ଉଲ୍ଲେଖ କରିଥିଲେ । ସହୀଦ ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଉପେନ୍ଦ୍ର ପାଢୀ ସ୍ୱାଗତ ଅବିଭାଷଣ ପ୍ରଦାନ କରିଥିବା ବେଳେ ସ୍ୱାଧୀନତା ସଂଗ୍ରାମୀ ଯୁବ ସାମୁଖ୍ୟର ରାଜ୍ୟ ସଂପାଦକ ସାମ୍ବାଦିକ ବିରୁ ।କ୍ଷ ତ୍ରି ।ଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ସହିଦ ପୀଠରୁ ମାଟି ଆଣିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା । ପୂର୍ବରୁ ସକାଳେ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

7 − 4 =